ଫେଲ୍‌ ମାରିଛି କୁକୁଡ଼ାଚାଷ, ସରକାରୀ ସହାୟତା ଅର୍ଥ ଆତ୍ମସାତ୍‌ ଅଭିଯୋଗ

କେସିଙ୍ଗା,୧୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ରାଜ୍ୟ ଯୋଜନା ଅଧୀନରେ ବିଭିନ୍ନ ମହିଳା ଗ୍ରୁପ୍‌କୁ ରୋଜଗାର କ୍ଷମତା ବଢାଇବା ପାଇଁ ତତ୍କାଳୀନ ରାଜ୍ୟ ସରକାର କୁକୁଡ଼ା ଚାଷ ପାଳନ କରିବା ପାଇଁ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓଡ଼ିଶା ସରକାର ମିଶନ ଶକ୍ତି ଦ୍ୱାରା ପ୍ରକଳ୍ପ ମହିଳା ଗ୍ରୁପ୍‌କୁ ଆର୍ଥିକ ସହାୟତା ଯୋଗାଇଥିଲେ। ଗୋଟିଏ ଗ୍ରୁପ୍‌ ପିଛା ୭ଲକ୍ଷ ୨୦ହଜାର ଅର୍ଥ ଯୋଗାଇ ଦେଉଥିଲେ। ସମଗ୍ର କେସିଙ୍ଗା ବ୍ଲକରେ ଗତ ୨୦୨୦ରୁ ୨୦୨୫ ଯାଏ ଦୀର୍ଘ ୫ବର୍ଷ ମଧ୍ୟରେ ୫୦ରୁ ଊର୍ଦ୍ଧ୍ୱ ମହିଳା ଗ୍ରୁପ୍‌କୁ କୁକୁଡ଼ା ଚାଷ କରିବା ପାଇଁ ପ୍ରାୟ ୩କୋଟି ୬୦ଲକ୍ଷ ଅର୍ଥ ଯୋଗାଇ ଦିଆଯାଇଥିଲା।

ସାଧାରଣ ବର୍ଗର ଗ୍ରୁପ୍‌କୁ ୪୦% ଏବଂ ଏସ୍‌ଟି, ଏସ୍‌ସିଙ୍କୁ ୬୦% ସବ୍‌ସିଡି ଯୋଗାଇ ଦିଆଯାଇଛି। କିନ୍ତୁ ଉକ୍ତ ବିଭାଗର ସର୍ଭେ ମୁତାବକ ସମଗ୍ର କେସିଙ୍ଗା ବ୍ଲକରେ ବିଭିନ୍ନ ମହିଳା ଗ୍ରୁପ୍‌କୁ ବଏଲର କୁକୁଡ଼ା ପାଳନ କରିବା ପାଇଁ ୨ହଜାର, ୨ହଜାର ୫ ଶହ, ୩ ହଜାର ଟିକିଆ ବଏଲର ଡିପଲିଟର ପଦ୍ଧତିରେ କୁକୁଡ଼ା ପାଳନ କରିବା ବିଭିନ୍ନ ପ୍ରକଳ୍ପ ପାଇଁ ୭ ଲକ୍ଷ, ୨୦ ହଜାର ଅର୍ଥ ରାଜ୍ୟ ଯୋଜନା ଦ୍ୱାରା ମହିଳା ଗ୍ରୁପ୍‌କୁ ଯୋଗାଇ ଦିଆଯାଇଛି। କିନ୍ତୁ ମହିଳା ଗ୍ରୁପ୍‌ର ସଦସ୍ୟାମାନେ ଘର, ଶେଡ୍‌, ନିର୍ମାଣ କରି ଗୋଟିଏ ମାସ କିମ୍ବା ଦୁଇମାସ କୁକୁଡ଼ା ଚାଷ କରି ସବ୍‌ସିଡି ଅର୍ଥକୁ ଆତ୍ମସାତ କରିଥିବା ଜଣାପଡ଼ିଛି।

ଉଦାହରଣ ସ୍ବରୂପ କେସିଙ୍ଗା ବ୍ଲକର ମଶାଣିବନ୍ଧ ଗ୍ରାମର ଏକ ମହିଳା ଏସ୍‌ଏଚ୍‌ଜି ପରେ ମାସେ କି ଦୁଇ ମାସ ବଏଲର କୁକୁଡ଼ା ଚାଷ କରି ଥିଲେ। ଉକ୍ତ ପ୍ରକଳ୍ପର ଅଟକଳ ୭ଲକ୍ଷ ୨୦ହଜାରର ପ୍ରକଳ୍ପ ଥିଲା। ଏଥିରୁ ୨ଲକ୍ଷ ୮୮ହଜାର ସବ୍‌ସିଡି ଅର୍ଥ ଉକ୍ତ ଗ୍ରୁପ୍‌ ପାଇଲା ପରେ ଆଉ କୁକୁଡ଼ା ଚାଷ ୩ବର୍ଷ ବିତିଗଲାଣି ବନ୍ଧ ହୋଇ ପଡିଛି। କୁକୁଡ଼ା ଘରଗୁଡିକ ଭୂତକୋଠି ହୋଇ ଅକାମି ହୋଇପଡ଼ିରହିଛି। ଏଥିପାଇଁ କେସିଙ୍ଗାସ୍ଥିତ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ତଦନ୍ତ ରିପୋର୍ଟରେ ଠିକ୍‌ ଭାବେ କୁକୁଡ଼ା ଚାଷ ପାଳନ କରାଯାଉଛି ବୋଲି ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ରିପୋର୍ଟ ଦେଲା ପରେ ସବ୍‌ସିଡି ଅର୍ଥ ମଞ୍ଜୁରୀ ହେଲା ପରେ ଟଙ୍କା ଉଠାଇ ଉକ୍ତ ଗ୍ରୁପ୍‌ ହୋଇ ବସିଛି। କୁକୁଡ଼ା ଚାଷ ହେଉଛି କି ନାହିଁ ତାହାର କିଛି ଉକ୍ତ ବିଭାଗ ହିସାବ କିତାବ ରଖୁ ନ ଥିବାରୁ ସରକାରୀ ଅର୍ଥ କୋଟି କୋଟି ଟଙ୍କା ଆତ୍ମାସାତ କରିଚାଲିଛନ୍ତି। ଏଥିରେ ବିଭାଗୀୟ ଅଧିକାରୀଙ୍କ ମଧ୍ୟ ହାତ ଥିବା ଜନସାଧାରଣରେ ସନ୍ଦେହ ଓ ଅଭିଯୋଗ ହେଉଛି।

ଏ ସଂକ୍ରାନ୍ତରେ କେସିଙ୍ଗା ଅତିରିକ୍ତ ପ୍ରାଣୀ ସମ୍ପଦ ସହାୟକ ଡ.ସୌମ୍ୟ ରଞ୍ଜନ ଦାଶ ୟଙ୍କୁ ପଚାରିବାରୁ ରାଜ୍ୟର ପ୍ରାଣୀ ସମ୍ପଦ ବିକାଶ ବିଭାଗ କିଛି ପଦକ୍ଷେପ ନେଉ ନ ଥିବାରୁ ସମସ୍ତ ପ୍ରକଳ୍ପ ଗୁଡିକ ଅକାମି ହୋଇ ପଡିଛି। ବର୍ତ୍ତମାନ ୫୦ଟି ପ୍ରକଳ୍ପରୁ ୧୦ଟି କୁକୁଡ଼ା ଫାର୍ମ ଚାଲୁଛି ବୋଲି ପ୍ରକାଶ କରିଥିଲେ।

Dharitri – Odisha’s No.1 Odia Daily

Share