Categories: Home Leftଖେଳ

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ ୩୫୭ ରନ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ପଡିକଲ ୧୪୨ ଓ ଗୁରନୁର ବ୍ରାର ୩୬ ରନରେ ଅପରାଜିତ ରହିଛନ୍ତି।

ଘରୋଇ ଶ୍ରୀଲଙ୍କା ଏକାଦଶ ପୂର୍ବ ଦିନର ସ୍କୋର ୩୬୩/୮ରେ ପାଳି ଘୋଷଣା କରିଥିଲା। ଭାରତ ପାଇଁ ଓପନର ଯଶସ୍ବୀ ଜୟସ୍ବାଲ ଖାତା ଖୋଲିବାକୁ ବିଫଳ ହୋଇଥିଲେ। ଅନ୍ୟତମ ଓପନର ଲୋକେଶ ରାହୁଲ ଓ ପଡିକଲ ୨୩ ଓଭର ଧରି ଧୈର୍ଯ୍ୟର ସହ ବ୍ୟାଟିଂ କରି ଦ୍ୱିତୀୟ ଉଇକେଟରେ ୯୬ ରନ ଯୋଡ଼ିଥିଲେ।

ରାହୁଲ (୪୦) ହେବା ପରେ ତାଙ୍କ ସ୍ଥାନରେ ଆସିଥିବା ରବୀନ୍ଦ୍ର ଜାଡେଜା (୬୩) ଅର୍ଦ୍ଧଶତକୀୟ ଇନିଂସ ଖେଳିବା ପରେ ରିଟାୟର୍ଡ ହର୍ଟ ହୋଇଥିଲେ। ଉଇକେଟକିପର ରିଷଭ ପନ୍ତ (୨) ଓ ଧ୍ରୁବ ଜୁରେଲ (୧) ଫେଲ ମାରିଥିବା ବେଳେ ମାନବ ସୁଥାର ୪୧ ରନ କରିଥିଲେ।

କୁଲଦୀପ ଯାଦବ ଓ ସାରାଂଶ ଜୈନ କ୍ରିଜ୍‌ରେ କିଛି ସମୟ ବିତାଇବା ପରେ ରିଟାୟର୍ଡ ହର୍ଟ ହୋଇ ପାଭିଲିଅନ ଫେରି ଯାଇଥିଲେ। ଏହାପରେ ପଡିକଲ ଓ ଗୁରନୁର ବ୍ରାର ଆଟାକିଂ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ। ଶ୍ରୀଲଙ୍କା ପାଇଁ ରମେଶ ମେଣ୍ଡିସ ଓ ଆଶାଙ୍କା ମଜୋନ ୨ ଲେଖାଏ ଉଇକେଟ ନେଇଥିଲେ। ଭାରତ ଏବେ ଶ୍ରୀଲଙ୍କା ଏକାଦଶର ପ୍ରଥମ ଇନିଂସ ସ୍କୋରଠାରୁ ୬ ରନ ପଛରେ ରହିଛି।