ଶିଶୁଙ୍କ ପାଇଁ ସମ୍ଭାବ୍ୟ ବିପଦ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ

ଭାରତରେ କରୋନା ସଂକ୍ରମଣର ତୃତୀୟ ଲହର ଆରମ୍ଭ ହୋଇଯିବା ନେଇ ଏକ ସୂଚନା ମିଳୁଛି। ତେବେ ବଡ଼କଥା ହେଉଛି, ଏଥିରେ ଶିଶୁମାନଙ୍କ ପାଇଁ ଅଧିକ ବିପଦ ରହିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ଅନୁଷ୍ଠାନର ରିପୋର୍ଟ ଅନୁଯାୟୀ, ତୃତୀୟ ଲହର ଶିଶୁଙ୍କୁ ସଂକ୍ରମିତ କରିବ। ଶିଶୁ ଚିକିତ୍ସା ପାଇଁ ଦେଶରେ ଆବଶ୍ୟକ ପ୍ରସ୍ତୁତି ହୋଇନାହିଁ। ବିଶେଷଜ୍ଞଙ୍କ ମତରେ, ପିଲାମାନଙ୍କ ପାଇଁ ଏହି ବିପଦ ରହୁଥିବାରୁ ଅଭିଭାବକଙ୍କ ଭିତରେ ଏକ ପ୍ରକାର ଭୟ ଖେଳାଇ ଦେଇଛି। ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବା ନେଇ ବିଶେଷକିଛି ପ୍ରମାଣ ନ ଥିଲେ ମଧ୍ୟ ଶିଶୁମାନଙ୍କୁ ଟିକା ଦିଆଯାଇନଥିବାରୁ ଏହା ଚିନ୍ତାର କାରଣ। ଅଧିକାଂଶ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବା ଉଚିତ। କରୋନାର ତୃତୀୟ ଲହରରୁ ଶିଶୁଙ୍କୁ ସୁରକ୍ଷିତ ରଖିବା ଲାଗି ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଶିଶୁଙ୍କୁ ଯଥାସମ୍ଭବ ଶୀଘ୍ର ଟିକାକରଣ କରାଇବାକୁ ବିଶେଷଜ୍ଞ କମିଟି ପରାମର୍ଶ ଦେଇଛି। ପରାମର୍ଶ ଆଧାରରେ ସରକାର ଶିଶୁଙ୍କ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଶିଶୁଙ୍କ ଟିକାକରଣ କ୍ଷେତ୍ରରେ ଗୁରୁତର ରୋଗରେ ଆକ୍ରାନ୍ତଙ୍କୁ ପ୍ରାଥମିକତା ଦିଆଯିବ ବୋଲି ସରକାରଙ୍କ ଜାତୀୟ ଟିକାକରଣ ସମ୍ପର୍କିତ ବୈଷୟିକ କମିଟି ଏନ୍‌ଟିଏଜିଆଇର ମୁଖ୍ୟ ଏନ୍‌କେ ଆରୋରା କହିଛନ୍ତି। ସେ କହିଛନ୍ତି ଯେ, ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ଟିକାକରଣ ନିମନ୍ତେ କେବଳ ଗୋଟିଏ ମାତ୍ର ଟିକା ଜାଇକୋଭ୍‌-ଡିକୁ ସରକାର ଅନୁମୋଦନ କରିଛନ୍ତି। ଜାଇଡସ୍‌ କାଡିଲା ଦ୍ୱାରା ପ୍ରସ୍ତୁତ ଏହି ଟିକାକୁ ଗତ ସପ୍ତାହରେ ଜରୁରୀ ବ୍ୟାବହାରିକ ଅନୁମତି ମିଳିଛି। ତେବେ ସେପ୍ଟେମ୍ବର ଓ ଅକ୍ଟୋବରରେ ଭାରତ ବାୟୋଟେକ୍‌ର ଶିଶୁଙ୍କ ଲାଗି ଉଦ୍ଦିଷ୍ଟ ଟିକାକୁ ଅନୁମତି ମିଳିବାର ସମ୍ଭାବନା ରହିଛି। କରୋନା ଟିକା ଗବେଷଣା ଓ ପରୀକ୍ଷାରେ ସାମିଲ ସ୍ବେଚ୍ଛାସେବୀଙ୍କୁ କୃତଜ୍ଞତା ପୂର୍ବକ ପ୍ରମାଣପତ୍ର ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୋମବାର କହିଛନ୍ତି। ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର କୋଭିଶିଲ୍ଡ ଓ ଭାରତ ବାୟୋଟେକ୍‌ର କୋଭାକ୍ସିନ ଟିକା ପରୀକ୍ଷାରେ ସାମିଲ ସ୍ବେଚ୍ଛାସେବୀଙ୍କୁ କୋ-ୱିନ୍‌ ପୋର୍ଟାଲ ମାଧ୍ୟମରେ ଡିଜିଟାଲ ପ୍ରମାଣପତ୍ର ଦିଆଯିବ ବୋଲି ସେ କହିଛନ୍ତି। ଦେଶର ଟିକା ପରୀକ୍ଷା ଓ ଗବେଷଣାରେ ସହଯୋଗ ଏବଂ ଅବଦାନ ପାଇଁ ସେମାନଙ୍କୁ ସରକାର ଧନ୍ୟବାଦ ଦେଇଛନ୍ତି।
କମିଟି କହିଛି ଯେ, ତୃତୀୟ ଲହରକୁ ମୁକାବିଲା କରିବା ନିମନ୍ତେ ଡାକ୍ତରଖାନା, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଭେଣ୍ଟିଲେଟର, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଯନ୍ତ୍ରାଂଶର ବ୍ୟବସ୍ଥା କରାଯିବା ଦରକାର। ସମ୍ପ୍ରତି କରୋନା ମହାମାରୀକୁ ନେଇ ଅନେକ ସଂସ୍ଥା ପକ୍ଷରୁ ବିଭିନ୍ନ ଅନୁଧ୍ୟାନ ଚାଲିଥିବାବେଳେ ସେ ସବୁକୁ ଆଧାର କରି କମିଟି ଏପରି ପୂର୍ବାନୁମାନ କରିଛି। ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମଣ ହେବା ନେଇ ଯେଉଁ ପୂର୍ବାନୁମାନ କରାଯାଉଛି, ତା’ର କୌଣସି ପ୍ରତ୍ୟକ୍ଷ କାରଣ କମିଟି ଉପସ୍ଥାପନ କରିନାହିଁ। ତେବେ ଶିଶୁମାନେ କରୋନା ଟିକା ପାଇ ନ ଥିବାରୁ ସେମାନଙ୍କ ସଂକ୍ରମଣ ନେଇ ଆଶଙ୍କା କରାଯାଇଛି। ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଶିଶୁଙ୍କ ସଂକ୍ରମଣ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ଭାରତୀୟ ଶିଶୁରୋଗ ପ୍ରତିଷ୍ଠାନ କହିଛି ଯେ, କରୋନାର ଡେଲ୍‌ଟା ପ୍ଲସ୍‌ ପ୍ରଜାତି ଭୂତାଣୁ ଶିଶୁଙ୍କୁ ଅଧିକ ସଂକ୍ରମଣ କରିବାର କୌଣସି ଡାକ୍ତରୀ ପ୍ରମାଣ ନାହିଁ। ଅନ୍ୟ ଏକ ତଥ୍ୟ ଅନୁଯାୟୀ ଶିଶୁଙ୍କ ସଂକ୍ରମଣ ନେଇ ଏପରି ଭୟଭୀତ କରା ନ ଗଲେ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଟିକାକରଣ କରାଯିବା ବିଳମ୍ବିତ ହୋଇଯିବ। ତେଣୁ ତୃତୀୟ ଲହରକୁ ମୁକାବିଲା ପାଇଁ ଶିଶୁଙ୍କ ଟିକାକରଣ ଉପରେ ମଧ୍ୟ ଉକ୍ତ ବିଶେଷଜ୍ଞ କମିଟି ଗୁରୁତ୍ୱ ଦେଇଛି। ସେହିପରି ଯେଉଁଠାରେ ବିଦ୍ୟାଳୟ ସବୁ ଖୋଲା ଯାଇଛି, ସେଠାରେ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ନିଶ୍ଚିତ ଟିକା ଦିଆଯିବା ଦରକାର। ନିକଟରେ ହୋଇଥିବା ଏକ ଅନୁଧ୍ୟାନ ଆଧାରରେ କମିଟି କହିଛି ଯେ, ତୃତୀୟ ଲହର ଶିଖର ଛୁଇଁବା ସମୟରେ ଦୈନିକ ସଂକ୍ରମଣ ସଂଖ୍ୟା ୬ ଲକ୍ଷ ରହିବ। ଦେଶରେ ଯଦି ଟିକାକରଣ ହାର ବୃଦ୍ଧି ନ ପାଏ, ତେବେ ସଂକ୍ରମଣ ବୃଦ୍ଧି ପାଇବ। ବର୍ତ୍ତମାନ ଟିକାକରଣ ହାର ୩.୨% ରହିଛି। ତୃତୀୟ ଲହରରେ ଡେଲ୍‌ଟା ପ୍ଲସ୍‌ ପ୍ରଜାତି ଯୋଗୁ ବିଶେଷ ସଂକ୍ରମିତ ହେବ। କରୋନାର ତୃତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ନେଇ ଆଶଙ୍କା କରାଯାଉଥିବାବେଳେ ଏବେ ଦେଶର ବିଭିନ୍ନ ରାଜ୍ୟରେ ଶିଶୁମାନେ ସଂକ୍ରମିତ ହେବାରେ ଲାଗିଛନ୍ତି। ୧୧ଟି ରାଜ୍ୟରେ ପ୍ରାୟ ଶତାଧିକ ଶିଶୁ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କରୋନାର ତୃତୀୟ ଲହରରେ ଅଧିକ ସଂଖ୍ୟକ ଶିଶୁଙ୍କ ସହିତ ଅନ୍ୟ ବର୍ଗର ଲୋକେ ମଧ୍ୟ ସଂକ୍ରମିତ ହେବେ। ସଂକ୍ରମଣ ସଂଖ୍ୟା ଅଧିକ ରହିଲେ ମଧ୍ୟ ଏହି ଲହରରେ ବିଶେଷ ଜୀବନହାନି ଘଟିବ ନାହିଁ ବୋଲି କୁହାଯାଇଛି। କାରଣ ଦେଶରେ ଟିକାକରଣ ଅଭିଯାନ ଚାଲିବା ସହିତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆସିଛି।
ନିକଟରେ ଜାତୀୟ ଗଣମାଧ୍ୟମ ଇକୋନୋମିକ୍‌ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ, ଦେଶରେ ଏବେ ୧୬.୫୦ କୋଟି ହେଉଛନ୍ତି ୧୨ ବର୍ଷରୁ କମ୍‌ ବୟସର ପିଲା। ଏମାନଙ୍କ ମଧ୍ୟରୁ ଯଦି ୨୦ ପ୍ରତିଶତ ସଂକ୍ରମିତ ହେବେ ଓ ୫ ପ୍ରତିଶତ ଗୁରୁତର ହେବେ, ତେବେ ଆମକୁ ସର୍ବନିମ୍ନ ୧.୬୫ ଲକ୍ଷ ପେଡିଆଟ୍ରିକ୍‌ ଆଇସିୟୁ ବେଡ୍‌ ଆବଶ୍ୟକ ପଡ଼ିବ। କିନ୍ତୁ ବର୍ତ୍ତମାନ ଆମ ନିକଟରେ ବୟସ୍କଙ୍କ ପାଇଁ ୯୦ ହଜାର ଆଇସିୟୁ ବେଡ୍‌ ଏବଂ ପିଲାଙ୍କ ପାଇଁ ୨ ହଜାରରୁ କମ୍‌ ବେଡ୍‌ ରହିଛି। ପ୍ରଥମ ଲହରରେ ୨ରୁ ୩% ପିଲା ସଂକ୍ରମିତ ହୋଇ ଥିବାବେଳେ ଦ୍ୱିତୀୟ ଲହରରେ ୧୨ରୁ ୧୫% ସଂକ୍ରମିତ ହେଉଛନ୍ତି। ତେବେ ଅଧିକ ଗୁରୁତର ହେଉନାହାନ୍ତି। ପ୍ରାୟ ୯୫% ଭଲ ହୋଇ ଯାଉଛନ୍ତି। ପିଲାଙ୍କ ମୃତ୍ୟୁହାର ମଧ୍ୟ କମ୍‌ ରହିଛି। ଏବେ ଯେଉଁ ହାରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି ତାହା ଯଦି ଜାରି ରହିବ, ତା’ହେଲେ ଆଗକୁ ନିଶ୍ଚିତ ଭାବେ ମୃତ୍ୟୁସଂଖ୍ୟା ବଢ଼ିବ। ତୃତୀୟ ଲହରରେ ପିଲାଙ୍କଠାରେ କେଉଁ ଭଳି ଲକ୍ଷଣ ଦେଖାଯିବ ତାହା ମଧ୍ୟ ଗୁରୁତ୍ୱ ବହନ କରେ। ଆଇସିଏମ୍‌ଆରର ତଥ୍ୟାନୁସାରେ ଦେଶରେ ୦ରୁ ୧୦ ବର୍ଷ ମଧ୍ୟରେ ୩.୩% ଓ ୧୦ରୁ ୨୦ ବର୍ଷ ମଧ୍ୟରେ ୮.୩% ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। କହିବାକୁ ଗଲେ ଏଯାବତ୍‌ ମୋଟ ସଂକ୍ରମିତଙ୍କ ମଧ୍ୟରେ ୧୧ରୁ ୧୨% ହେଉଛନ୍ତି ପିଲା। କରୋନା ନିମିତ୍ତ ପିଲାମାନଙ୍କ ଏହି ସମସ୍ୟା ପାଇଁ ଧୈର୍ଯ୍ୟହରା ନ ହୋଇ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକୁ ସମସ୍ତ ସହଯୋଗ କରନ୍ତୁ, ଯାହାଫଳରେ ଆପଣଙ୍କ ପିଲାଟି ସୁରକ୍ଷିତ ରହିବ।
ସହଯୋଗୀ ପ୍ରଫେସର, ଶିଶୁରୋଗ ବିଭାଗ, ଶିଶୁଭବନ, କଟକ
ମୋ: ୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri