ଶିଶୁଙ୍କ ପାଇଁ ସମ୍ଭାବ୍ୟ ବିପଦ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ

ଭାରତରେ କରୋନା ସଂକ୍ରମଣର ତୃତୀୟ ଲହର ଆରମ୍ଭ ହୋଇଯିବା ନେଇ ଏକ ସୂଚନା ମିଳୁଛି। ତେବେ ବଡ଼କଥା ହେଉଛି, ଏଥିରେ ଶିଶୁମାନଙ୍କ ପାଇଁ ଅଧିକ ବିପଦ ରହିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ଅନୁଷ୍ଠାନର ରିପୋର୍ଟ ଅନୁଯାୟୀ, ତୃତୀୟ ଲହର ଶିଶୁଙ୍କୁ ସଂକ୍ରମିତ କରିବ। ଶିଶୁ ଚିକିତ୍ସା ପାଇଁ ଦେଶରେ ଆବଶ୍ୟକ ପ୍ରସ୍ତୁତି ହୋଇନାହିଁ। ବିଶେଷଜ୍ଞଙ୍କ ମତରେ, ପିଲାମାନଙ୍କ ପାଇଁ ଏହି ବିପଦ ରହୁଥିବାରୁ ଅଭିଭାବକଙ୍କ ଭିତରେ ଏକ ପ୍ରକାର ଭୟ ଖେଳାଇ ଦେଇଛି। ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବା ନେଇ ବିଶେଷକିଛି ପ୍ରମାଣ ନ ଥିଲେ ମଧ୍ୟ ଶିଶୁମାନଙ୍କୁ ଟିକା ଦିଆଯାଇନଥିବାରୁ ଏହା ଚିନ୍ତାର କାରଣ। ଅଧିକାଂଶ ଶିଶୁଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବା ଉଚିତ। କରୋନାର ତୃତୀୟ ଲହରରୁ ଶିଶୁଙ୍କୁ ସୁରକ୍ଷିତ ରଖିବା ଲାଗି ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଶିଶୁଙ୍କୁ ଯଥାସମ୍ଭବ ଶୀଘ୍ର ଟିକାକରଣ କରାଇବାକୁ ବିଶେଷଜ୍ଞ କମିଟି ପରାମର୍ଶ ଦେଇଛି। ପରାମର୍ଶ ଆଧାରରେ ସରକାର ଶିଶୁଙ୍କ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଶିଶୁଙ୍କ ଟିକାକରଣ କ୍ଷେତ୍ରରେ ଗୁରୁତର ରୋଗରେ ଆକ୍ରାନ୍ତଙ୍କୁ ପ୍ରାଥମିକତା ଦିଆଯିବ ବୋଲି ସରକାରଙ୍କ ଜାତୀୟ ଟିକାକରଣ ସମ୍ପର୍କିତ ବୈଷୟିକ କମିଟି ଏନ୍‌ଟିଏଜିଆଇର ମୁଖ୍ୟ ଏନ୍‌କେ ଆରୋରା କହିଛନ୍ତି। ସେ କହିଛନ୍ତି ଯେ, ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ଟିକାକରଣ ନିମନ୍ତେ କେବଳ ଗୋଟିଏ ମାତ୍ର ଟିକା ଜାଇକୋଭ୍‌-ଡିକୁ ସରକାର ଅନୁମୋଦନ କରିଛନ୍ତି। ଜାଇଡସ୍‌ କାଡିଲା ଦ୍ୱାରା ପ୍ରସ୍ତୁତ ଏହି ଟିକାକୁ ଗତ ସପ୍ତାହରେ ଜରୁରୀ ବ୍ୟାବହାରିକ ଅନୁମତି ମିଳିଛି। ତେବେ ସେପ୍ଟେମ୍ବର ଓ ଅକ୍ଟୋବରରେ ଭାରତ ବାୟୋଟେକ୍‌ର ଶିଶୁଙ୍କ ଲାଗି ଉଦ୍ଦିଷ୍ଟ ଟିକାକୁ ଅନୁମତି ମିଳିବାର ସମ୍ଭାବନା ରହିଛି। କରୋନା ଟିକା ଗବେଷଣା ଓ ପରୀକ୍ଷାରେ ସାମିଲ ସ୍ବେଚ୍ଛାସେବୀଙ୍କୁ କୃତଜ୍ଞତା ପୂର୍ବକ ପ୍ରମାଣପତ୍ର ଦିଆଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୋମବାର କହିଛନ୍ତି। ସେରମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆର କୋଭିଶିଲ୍ଡ ଓ ଭାରତ ବାୟୋଟେକ୍‌ର କୋଭାକ୍ସିନ ଟିକା ପରୀକ୍ଷାରେ ସାମିଲ ସ୍ବେଚ୍ଛାସେବୀଙ୍କୁ କୋ-ୱିନ୍‌ ପୋର୍ଟାଲ ମାଧ୍ୟମରେ ଡିଜିଟାଲ ପ୍ରମାଣପତ୍ର ଦିଆଯିବ ବୋଲି ସେ କହିଛନ୍ତି। ଦେଶର ଟିକା ପରୀକ୍ଷା ଓ ଗବେଷଣାରେ ସହଯୋଗ ଏବଂ ଅବଦାନ ପାଇଁ ସେମାନଙ୍କୁ ସରକାର ଧନ୍ୟବାଦ ଦେଇଛନ୍ତି।
କମିଟି କହିଛି ଯେ, ତୃତୀୟ ଲହରକୁ ମୁକାବିଲା କରିବା ନିମନ୍ତେ ଡାକ୍ତରଖାନା, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଭେଣ୍ଟିଲେଟର, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଯନ୍ତ୍ରାଂଶର ବ୍ୟବସ୍ଥା କରାଯିବା ଦରକାର। ସମ୍ପ୍ରତି କରୋନା ମହାମାରୀକୁ ନେଇ ଅନେକ ସଂସ୍ଥା ପକ୍ଷରୁ ବିଭିନ୍ନ ଅନୁଧ୍ୟାନ ଚାଲିଥିବାବେଳେ ସେ ସବୁକୁ ଆଧାର କରି କମିଟି ଏପରି ପୂର୍ବାନୁମାନ କରିଛି। ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମଣ ହେବା ନେଇ ଯେଉଁ ପୂର୍ବାନୁମାନ କରାଯାଉଛି, ତା’ର କୌଣସି ପ୍ରତ୍ୟକ୍ଷ କାରଣ କମିଟି ଉପସ୍ଥାପନ କରିନାହିଁ। ତେବେ ଶିଶୁମାନେ କରୋନା ଟିକା ପାଇ ନ ଥିବାରୁ ସେମାନଙ୍କ ସଂକ୍ରମଣ ନେଇ ଆଶଙ୍କା କରାଯାଇଛି। ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଶିଶୁଙ୍କ ସଂକ୍ରମଣ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ଭାରତୀୟ ଶିଶୁରୋଗ ପ୍ରତିଷ୍ଠାନ କହିଛି ଯେ, କରୋନାର ଡେଲ୍‌ଟା ପ୍ଲସ୍‌ ପ୍ରଜାତି ଭୂତାଣୁ ଶିଶୁଙ୍କୁ ଅଧିକ ସଂକ୍ରମଣ କରିବାର କୌଣସି ଡାକ୍ତରୀ ପ୍ରମାଣ ନାହିଁ। ଅନ୍ୟ ଏକ ତଥ୍ୟ ଅନୁଯାୟୀ ଶିଶୁଙ୍କ ସଂକ୍ରମଣ ନେଇ ଏପରି ଭୟଭୀତ କରା ନ ଗଲେ ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଟିକାକରଣ କରାଯିବା ବିଳମ୍ବିତ ହୋଇଯିବ। ତେଣୁ ତୃତୀୟ ଲହରକୁ ମୁକାବିଲା ପାଇଁ ଶିଶୁଙ୍କ ଟିକାକରଣ ଉପରେ ମଧ୍ୟ ଉକ୍ତ ବିଶେଷଜ୍ଞ କମିଟି ଗୁରୁତ୍ୱ ଦେଇଛି। ସେହିପରି ଯେଉଁଠାରେ ବିଦ୍ୟାଳୟ ସବୁ ଖୋଲା ଯାଇଛି, ସେଠାରେ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ନିଶ୍ଚିତ ଟିକା ଦିଆଯିବା ଦରକାର। ନିକଟରେ ହୋଇଥିବା ଏକ ଅନୁଧ୍ୟାନ ଆଧାରରେ କମିଟି କହିଛି ଯେ, ତୃତୀୟ ଲହର ଶିଖର ଛୁଇଁବା ସମୟରେ ଦୈନିକ ସଂକ୍ରମଣ ସଂଖ୍ୟା ୬ ଲକ୍ଷ ରହିବ। ଦେଶରେ ଯଦି ଟିକାକରଣ ହାର ବୃଦ୍ଧି ନ ପାଏ, ତେବେ ସଂକ୍ରମଣ ବୃଦ୍ଧି ପାଇବ। ବର୍ତ୍ତମାନ ଟିକାକରଣ ହାର ୩.୨% ରହିଛି। ତୃତୀୟ ଲହରରେ ଡେଲ୍‌ଟା ପ୍ଲସ୍‌ ପ୍ରଜାତି ଯୋଗୁ ବିଶେଷ ସଂକ୍ରମିତ ହେବ। କରୋନାର ତୃତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ନେଇ ଆଶଙ୍କା କରାଯାଉଥିବାବେଳେ ଏବେ ଦେଶର ବିଭିନ୍ନ ରାଜ୍ୟରେ ଶିଶୁମାନେ ସଂକ୍ରମିତ ହେବାରେ ଲାଗିଛନ୍ତି। ୧୧ଟି ରାଜ୍ୟରେ ପ୍ରାୟ ଶତାଧିକ ଶିଶୁ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କରୋନାର ତୃତୀୟ ଲହରରେ ଅଧିକ ସଂଖ୍ୟକ ଶିଶୁଙ୍କ ସହିତ ଅନ୍ୟ ବର୍ଗର ଲୋକେ ମଧ୍ୟ ସଂକ୍ରମିତ ହେବେ। ସଂକ୍ରମଣ ସଂଖ୍ୟା ଅଧିକ ରହିଲେ ମଧ୍ୟ ଏହି ଲହରରେ ବିଶେଷ ଜୀବନହାନି ଘଟିବ ନାହିଁ ବୋଲି କୁହାଯାଇଛି। କାରଣ ଦେଶରେ ଟିକାକରଣ ଅଭିଯାନ ଚାଲିବା ସହିତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆସିଛି।
ନିକଟରେ ଜାତୀୟ ଗଣମାଧ୍ୟମ ଇକୋନୋମିକ୍‌ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ, ଦେଶରେ ଏବେ ୧୬.୫୦ କୋଟି ହେଉଛନ୍ତି ୧୨ ବର୍ଷରୁ କମ୍‌ ବୟସର ପିଲା। ଏମାନଙ୍କ ମଧ୍ୟରୁ ଯଦି ୨୦ ପ୍ରତିଶତ ସଂକ୍ରମିତ ହେବେ ଓ ୫ ପ୍ରତିଶତ ଗୁରୁତର ହେବେ, ତେବେ ଆମକୁ ସର୍ବନିମ୍ନ ୧.୬୫ ଲକ୍ଷ ପେଡିଆଟ୍ରିକ୍‌ ଆଇସିୟୁ ବେଡ୍‌ ଆବଶ୍ୟକ ପଡ଼ିବ। କିନ୍ତୁ ବର୍ତ୍ତମାନ ଆମ ନିକଟରେ ବୟସ୍କଙ୍କ ପାଇଁ ୯୦ ହଜାର ଆଇସିୟୁ ବେଡ୍‌ ଏବଂ ପିଲାଙ୍କ ପାଇଁ ୨ ହଜାରରୁ କମ୍‌ ବେଡ୍‌ ରହିଛି। ପ୍ରଥମ ଲହରରେ ୨ରୁ ୩% ପିଲା ସଂକ୍ରମିତ ହୋଇ ଥିବାବେଳେ ଦ୍ୱିତୀୟ ଲହରରେ ୧୨ରୁ ୧୫% ସଂକ୍ରମିତ ହେଉଛନ୍ତି। ତେବେ ଅଧିକ ଗୁରୁତର ହେଉନାହାନ୍ତି। ପ୍ରାୟ ୯୫% ଭଲ ହୋଇ ଯାଉଛନ୍ତି। ପିଲାଙ୍କ ମୃତ୍ୟୁହାର ମଧ୍ୟ କମ୍‌ ରହିଛି। ଏବେ ଯେଉଁ ହାରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି ତାହା ଯଦି ଜାରି ରହିବ, ତା’ହେଲେ ଆଗକୁ ନିଶ୍ଚିତ ଭାବେ ମୃତ୍ୟୁସଂଖ୍ୟା ବଢ଼ିବ। ତୃତୀୟ ଲହରରେ ପିଲାଙ୍କଠାରେ କେଉଁ ଭଳି ଲକ୍ଷଣ ଦେଖାଯିବ ତାହା ମଧ୍ୟ ଗୁରୁତ୍ୱ ବହନ କରେ। ଆଇସିଏମ୍‌ଆରର ତଥ୍ୟାନୁସାରେ ଦେଶରେ ୦ରୁ ୧୦ ବର୍ଷ ମଧ୍ୟରେ ୩.୩% ଓ ୧୦ରୁ ୨୦ ବର୍ଷ ମଧ୍ୟରେ ୮.୩% ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। କହିବାକୁ ଗଲେ ଏଯାବତ୍‌ ମୋଟ ସଂକ୍ରମିତଙ୍କ ମଧ୍ୟରେ ୧୧ରୁ ୧୨% ହେଉଛନ୍ତି ପିଲା। କରୋନା ନିମିତ୍ତ ପିଲାମାନଙ୍କ ଏହି ସମସ୍ୟା ପାଇଁ ଧୈର୍ଯ୍ୟହରା ନ ହୋଇ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକୁ ସମସ୍ତ ସହଯୋଗ କରନ୍ତୁ, ଯାହାଫଳରେ ଆପଣଙ୍କ ପିଲାଟି ସୁରକ୍ଷିତ ରହିବ।
ସହଯୋଗୀ ପ୍ରଫେସର, ଶିଶୁରୋଗ ବିଭାଗ, ଶିଶୁଭବନ, କଟକ
ମୋ: ୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri