ପୁଣି ୫୦ ଟପିଲା ଆଳୁ

କଟକ,(କାର୍ତ୍ତିକ ସାହୁ)/ ଭୁବନେଶ୍ୱର,(ଅନିଲ ଦାସ), ୭ା୮: ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଛି। ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଓଡ଼ିଶାକୁ ଆସିବା ବନ୍ଦ ହେବା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇଯାଇଛି। ଭୁବନେଶ୍ୱର ଉପକଣ୍ଠ ଆଇଗିଣିଆର ଆଳୁ ଗଦି ଖାଁ ଖାଁ ପଡ଼ିଛି। ଏଠାକୁ ଦୈନିକ ୨୫ରୁ ୩୦ ଟ୍ରକ୍‌ ଆଳୁ ଆସିଥାଏ। ୩ ଦିନ ହେଲା ପଶ୍ଚିମବଙ୍ଗ କିମ୍ବା ଉତ୍ତରପ୍ରଦେଶରୁ କୌଣସି ଆଳୁ ଗାଡ଼ି ନ ଆସିବାରୁ ଆଳୁ ଗଦି ଖାଲି ପଡ଼ିଛି। ମଙ୍ଗଳବାର ଆଇଗିଣିଆ ଆଳୁ ଗୋଦାମକୁ ମାତ୍ର ୪ ଟ୍ରକ୍‌ ଆଳୁ ଆସିଛି। ୩ ଟ୍ରକ୍‌ ପଶ୍ଚିମବଙ୍ଗରୁ ଆସିଥିବାବେଳେ ଗୋଟିଏ ଟ୍ରକ୍‌ ୟୁପିରୁ ଆସିଛି।
ଅନ୍ୟ ରାଜ୍ୟରୁ ଆଳୁ ପରିବହନ ହ୍ରାସ ପାଇବା ଯୋଗୁ ପୁଣି ଦର ଆକାଶଛୁଆଁ ହୋଇଛି। ବଜାରରେ ଆଳୁ ନ ଥିବା ବେଳେ ଯେଉଁ କେତେକ ଦୋକାନରେ ରହିଛି ସେଠାରେ କେ.ଜି. ପିଛା ୫୦ ରୁ ୬୦ ଟଙ୍କାରେ ବ୍ୟବସାୟୀ ବିକ୍ରି କରୁଛନ୍ତି। କେଉଁଠି ଆଳୁ କେ.ଜି. ୪୦ ଟଙ୍କା ତ କେଉଁଠି ୫୦ରୁ ୬୦ ଟଙ୍କାକୁ ଛୁଇଁଲାଣି। କିଛି ଦିନ ମଧ୍ୟରେ ୟୁପିରୁ ୧୪୦ ଟ୍ରକ୍‌ ଆଳୁ ଆସିଥିଲେ ମଧ୍ୟ ତାହା ଗ୍ରାହକଙ୍କ ପସନ୍ଦକୁ ଆସୁନାହିଁ। ବ୍ୟବସାୟୀ କ୍ଷତି ସହିି ୟୁପି ଆଳୁ ଆଣିବାକୁ ଚାହୁଁ ନ ଥିବାବେଳେ ପଞ୍ଜାବ ଆଳୁ ହିଁ ଏକମାତ୍ର ଭରସା। ସେହିପରି କଟକରେ ଖୁଚୁରା ବଜାରରେ ଦର ମଙ୍ଗଳବାର ୫୦ ଟପିଛି। ଛତ୍ରବଜାର ହୋଲ୍‌ସେଲ୍‌ ବଜାରରେ ଦୈନିକ ଆବଶ୍ୟକତାଠାରୁ କମ୍‌ ପରିମାଣର ଆଳୁ ପହଞ୍ଚତ୍ଥିବାରୁ ଏହାର ସିଧାସଳଖ ପ୍ରଭାବ ଖୁଚୁରା ଦର ଉପରେ ପଡ଼ିଛି। ମଙ୍ଗଳବାର ଛତ୍ରବଜାର ସମେତ କଟକ ସହରର ବିଭିନ୍ନ ବଜାରରେ ଆଳୁର ପ୍ରକାରକୁ ନେଇ କେଜି ପିଛା ୫୦ ଟଙ୍କାରୁ ୬୦ ଟଙ୍କା ଯାଏ ବିକ୍ରି ହୋଇଥିବା ଜଣାଯାଇଛି। କଟକରେ ପ୍ରାୟ ୧୫ ଦିନ ତଳୁ ଆଳୁ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଦୈନିକ ପ୍ରାୟ ୧୪୦ ଟନ୍‌ ଆଳୁ ଛତ୍ରବଜାରକୁ ଆସୁଥିବାବେଳେ ଏବେ ଏହା ବହୁ ଭାବେ ହ୍ରାସ ପାଇଛି। ହୋଲ୍‌ସେଲର ନିକଟରେ ୪୦ କେ.ଜି., ୪୫ କେ.ଜି ଓ ୫୦ କେ.ଜି. ଆଳୁ ପ୍ୟାକେଟ ରହୁଥିବାବେଳେ ଦରରେ କୌଣସି ତାଳମେଳ ରହୁନାହିଁ। ଦର ବସ୍ତା ପ୍ରତି ୧୭୦୦ ଟଙ୍କାରୁ ନେଇ ୧୮୫୦ ଟଙ୍କା ଯାଏ ରହୁଛି। ସେଥିରେ ପୁଣି ବସ୍ତା ଖୋଲିଦେଲା ପରେ ଭଲ ଆଳୁ କେତେ ବାହାରିବ ତାହାର କୌଣସି ନିଶ୍ଚିତତା ନାହିଁ। ହୋଲ୍‌ସେଲ୍‌ ଦର ଉଚ୍ଚା ରହୁଥିବାରୁ ଖୁଚୁରା ବଜାରରେ ଆଳୁ କଁା ଭଁା ଦେଖିବାକୁ ମିଳୁଛି। ଉଚ୍ଚା ଦର ହେତୁ ଖାଉଟି ଆଳୁ କିଣିବାକୁ ଆଗ୍ରହ ଦେଖାଉ ନ ଥିବା ପରିଲକ୍ଷିତ ହୋଇଛି। ଖୁଚୁରା ବ୍ୟବସାୟୀ ମନୋଜ ବାରିକଙ୍କ କହିବାନୁସାରେ ଆଳୁ ବିକ୍ରି ବହୁ ଭାବେ କମି ଯାଇଛି। ହୋଲ୍‌ସେଲ୍‌ ଦର ଅଧିକ ହେତୁ ବେଶି ଆଳୁ କିଣୁ ନାହୁଁ। ବସ୍ତା ଭିତରୁ ଅନେକ ଖରାପ ଆଳୁ ବାହାରୁଛି। ଦି ପଇସା ଲାଭ ବାହାରିବା ବଦଳରେ କ୍ଷତି ହେବାର ଆଶଙ୍କା ରହିଛି। ଗୃହିଣୀ ପୁଷ୍ପଲତା ସାହୁ କହିଛନ୍ତି, ଏବେ ରୋଷେଇର ତରିକା ବଦଳାଇବାକୁ ବାଧ୍ୟ ହେଉଛୁ। ବିନା ଆଳୁରେ ତରକାରୀ କରିବାକୁ ଚେଷ୍ଟା କରୁଛୁ। ସରକାର ଏଭଳି ସଙ୍କଟଜନକ ସ୍ଥିତି ପ୍ରତି ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ। ମାଲଗୋଦାମ ଖୁଚୁରା ବ୍ୟବସାୟୀ ସଂଘ ସଭାପତି ବିନୋଦ ଚନ୍ଦ୍ର ସାହୁ କହିଛନ୍ତି, ଆଳୁ ଉତ୍ପାଦନରେ ଓଡ଼ିଶା ସରକାର ଯେପରି ସ୍ବାବଲମ୍ବୀ ହୋଇପାରିବେ ତାହାକୁ ପ୍ରାଥମିକତା ଦିଅନ୍ତୁ। ବର୍ତ୍ତମାନ କଠିନ ସମୟରେ ରାଜ୍ୟ ସରକାର ପଡ଼ୋଶୀ ରାଜ୍ୟରୁ ଆଳୁ ଆଣି ପର୍ଯ୍ୟାପ୍ତ ପରିମାଣରେ ଖାଉଟିଙ୍କୁ ଉପଲବ୍ଧ କରାନ୍ତୁ। ଏହାବାଦ ଆଳୁ ସୁଲଭ ମୂଲ୍ୟରେ ପ୍ରତି ପରିବାରକୁ ଯୋଗାଇ ଦିଅନ୍ତୁ। ପଶ୍ଚିମବଙ୍ଗରୁ ଆଳୁ ଆଣିବାର ବ୍ୟବସ୍ଥା କରନ୍ତୁ। ପରିବହନବେଳେ ରାସ୍ତାରେ ଅଧିକ ଦିନ ରହିଲେ ଶଢ଼ି ନଷ୍ଟ ହୋଇଯାଉଛି। ତେଣୁ ତ୍ୱରିତ ଆଳୁ ପରିବହନ ଦିଗରେ ସରକାର ଧ୍ୟାନ ଦିଅନ୍ତୁ। ବିଶେଷକରି ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ଅଗ୍ରାଧିକାର ଦିଅନ୍ତୁ।
ଓଡ଼ିଶା ରାଜ୍ୟ ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ରାଜ୍ୟରେ ଥିବା ସମସ୍ତ ଶୀତଳଭଣ୍ଡାରରେ ପାଖାପାଖି ୧୭ ଟନ୍‌ ଆଳୁ ଏବେ ମହଜୁଦ ରହିଛି, ଯାହାକି ଆଗାମୀ ୩ ଦିନ ପର୍ଯ୍ୟନ୍ତ ଆଳୁ ଆବଶ୍ୟକତାକୁ ପୂରଣ କରିବାରେ ସମର୍ଥ ହେବ। ଏହାପରେ ଯଦି ପଶ୍ଚିମବଙ୍ଗ କି ଉତ୍ତରପ୍ରଦେଶରୁ ଆଉ ଆଳୁ ଗାଡ଼ି ନ ଆସେ ତେବେ ସଙ୍କଟ ଆହୁରି ବଢ଼ିଯିବ। ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଚଢ଼ା ଦରରେ ଆଳୁ ବିକ୍ରିକଲେ କାର୍ଯ୍ୟାନୁଷ୍ଠାନ ହେବ। ପଶ୍ଚିମବଙ୍ଗ ସହ ଆଲୋଚନା ଜାରି ରହିଥିବାବେଳେ ଆଗକୁ ପଞ୍ଜାବରୁ ମଧ୍ୟ ଆଳୁ ଆଣିବା ପାଇଁ ଯୋଜନା କରାଯାଉଛି। ରାଜ୍ୟରେ ଆବଶ୍ୟକ ମୁତାବକ ଆଳୁ ମହଜୁଦ ରହିଛି। ଆଗକୁ କିଛିଦିନ ପର୍ଯ୍ୟନ୍ତ ଦର ସାମାନ୍ୟ ଉଚ୍ଚା ରହିବ । ଏହା ପରେ ଧୀରେ ଧୀରେ କମିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri