ବ୍ରହ୍ମପୁର ବଜାରରେ ଆଳୁ ଦର ଆକାଶଛୁଆଁ

ବ୍ରହ୍ମପୁର ଅଫିସ,୫।୫: ଗରିବଠାରୁ ଧନୀ ପ୍ରତ୍ୟେକ ଶ୍ରେଣୀର ପ୍ରତି ବୟସର ଲୋକଙ୍କ ଖାଦ୍ୟରେ ନିୟମିତ ବ୍ୟବହୃତ ହେଉଥିବା ପରିବା ହେଉଛି ଆଳୁ। କିନ୍ତୁ ବ୍ରହ୍ମପୁର ବଜାରରେ ବର୍ତ୍ତମାନ ଆଳୁର ଚଢ଼ା ଦର ଶୁଣି ଗ୍ରାହକଙ୍କୁ ଝଟକା ଲାଗୁଛି। କିଛି ଜାଗାରେ ପାଇକାରୀ ଦୋକାନୀ ମାଲିକମାନେ ଓ ଗ୍ରାହକ ଉଭୟ କଳାବଜାରର ଶିକାର ହୋଇଥିବା ଅଭିଯୋଗ ହୋଇଛି। ନିୟମିତ ଭାବେ ବ୍ରହ୍ମପୁର ବଜାରରେ ଯେତିକି ପରିମାଣର ଆଳୁ ଆବଶ୍ୟକ ତାହା ମଧ୍ୟ ଆମଦାନୀ ହେଉଛି । କିନ୍ତୁ ଏହା ସତ୍ତ୍ୱେ ନିୟମିତ ଭାବେ ପାଇକାରୀ ଓ ଖୁଚୁରା ଦର ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ରେଶମ ସହରରେ ଆଳୁ ୫୦ କେଜି ବସ୍ତା ୧୧୦୦ ଟଙ୍କାରେ ହୋଲସେଲରେ ବିକ୍ରି ହେଉଥିବା ବେଳେ କିଛି ଲୋକ ୧୨୮୦ରେ ମଧ୍ୟ ବିକ୍ରି କରୁଥିବା ଜଣାପଡ଼ିଛି। ଗୋଟିଏ ସପ୍ତାହ ପୂର୍ବରୁ ଆଳୁ ପାଇକାରୀ ଦର ବସ୍ତା ପିଛା ୮୫୦ଟଙ୍କା ରହିଥିଲା। ଖୁଚୁରାରେ ଦର ସପ୍ତାହକରେ ୨୦ ଟଙ୍କାରୁ ବୃଦ୍ଧି ପାଇ ୨୫ ଟଙ୍କାରେ ପହଞ୍ଚିଛି। ଆଳୁଦର ବୃଦ୍ଧି ପାଇବା ଦ୍ୱାରା ଗରିବ, ମଧ୍ୟବିତ୍‌ ବର୍ଗର ଲୋକ ଏଥିରେ ଅଧିକା ପ୍ରଭାବିତ ହେଉଛନ୍ତି। ବ୍ରହ୍ମପୁର ସହରରେ ଆଳୁ ଦର ବୃଦ୍ଧି ସମ୍ପର୍କରେ ବଡ଼ ବଜାର ହୋଲସେଲ ବ୍ୟବସାୟୀ ରାମକୃଷ୍ଣ ସାହୁଙ୍କ ସହ କଥା ହେବା ବେଳେ ସେ କହିଛନ୍ତି, ପାଇକାରୀ ଭାବେ ହୋଲସେଲରେ ଆଳୁଦର କେଜି ପିଛା ୨୧ ଟଙ୍କା ରହିଛି। ନିୟମିତ ଭାବେ ବ୍ରହ୍ମପୁର ସହରକୁ ଆବଶ୍ୟକ ହେଉଥିବା ୨୦୦ରୁ ୨୫୦ ଟନ ଆଳୁ ମଧ୍ୟ ଆମଦାନୀ ହେଉଛି। କିନ୍ତୁ ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶ ଉଭୟ ଜାଗାରୁ ଆଳୁ ଆମଦାନୀ ହେଉଥିଲେ ମଧ୍ୟ ଚଳିତ ବର୍ଷ ଉପତ୍ାଦନ କମ ଥିବାରୁ ଦର ବୃଦ୍ଧି ହୋଇଥିବା ଜଣାପଡ଼ିଛି। ସେହିପରି ୟୁପିରେ ୩ ଦିନ ହେବ ରମଜାନ କାରଣରୁ ଆମଦାନୀ ବନ୍ଦ ରହିଥିଲା। ଫଳରେ ଏହାର ପ୍ରଭାବରେ ଦର ହଠାତ ୪ ଟଙ୍କା ବୃଦ୍ଧି ହୋଇଛି।