ପୁରୁଷୋତ୍ତମପୁର,୬ା୧୧(ସବିତା ମିଶ୍ର): ବନ୍ୟାର ବିଭୀଷିକା ଥମିବା ପରେ ବି ଲୋକଙ୍କ ପିଛା ଛାଡ଼ୁନି ଦୁର୍ଦ୍ଦଶା। ବନ୍ୟାଜଳ ଛାଡ଼ିଯାଇଥିବା କାଦୁଅ ଏବେ ଜୀବନ ପାଇଁ ବିପଦ ସାଜିଛି। ଏଭଳି ଏକ ଦୁଃଖଦ ଘଟଣାରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଆଛୁଲି ଗ୍ରାମରେ ନାଳରେ ବୁଡ଼ି ଜଣେ ୮୦ ବର୍ଷୀୟ ବୃଦ୍ଧ ସୌରା ବେହେରାଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି।
ସୂଚନାରୁ ଜଣାପଡ଼ିଛି ଯେ, ବୃଦ୍ଧ ଜଣକ ଶୌଚ ପାଇଁ ଘର ନିକଟସ୍ଥ ଏକ ଛୋଟ ନାଳକୁ ଯାଇଥିବା ବେଳେ ବନ୍ୟା ପରବର୍ତ୍ତୀ କାଦୁଅରେ ଗୋଡ଼ ଖସିଯିବାରୁ ପାଣି ମଧ୍ୟକୁ ଖସି ପଡ଼ିଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ତୁରନ୍ତ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ଆସିକା ଏମ୍ପି ଅନିତା ଶୁଭଦର୍ଶିନୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣା ବିଷୟରେ ପଚାରି ବୁଝିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ବନ୍ୟାରେ ପରିବାରଟି କ୍ଷତିଗ୍ରସ୍ତ ହୋଇଥିବାରୁ ମୃତଦେହ ସତ୍କାର ଓ ଶୁଦ୍ଧିକ୍ରିୟା ପାଇଁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ସେ ପ୍ରଶାସନକୁ ଅବଗତ କରାଇଥିଲେ।
ଏଥିସହ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ସମସ୍ୟା ବୁଝିବା ସହ ସେମାନଙ୍କୁ ଉନ୍ନତମାନର ଚିକିତ୍ସା ଓ ଆବଶ୍ୟକ ଔଷଧପତ୍ର ଯୋଗାଇଦେବାକୁ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଶୁଭାଶିଷ ଗୋସ୍ବାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ସମୟରେ ବରିଷ୍ଠ ନେତା ସୀତାରାମ ପାଣିଗ୍ରାହୀ, ଏମ୍ପିଙ୍କ ପ୍ରତିନିଧି ଯଜ୍ଞନାରାୟଣ ଦାଶ, ବିଶ୍ୱଭୂଷଣ ମହାପାତ୍ର, ଦୀପକ ପାତ୍ର ଓ ଆଛୁଲି ସରପଞ୍ଚ ସୁଧାକର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।