ନିର୍ବାଚନ ପରବର୍ତ୍ତୀ ହିଂସା ବଢୁଛି: ସାଧାରଣରେ ଉଦ୍‌ବେଗ

ହିଞ୍ଜିଳିକାଟୁ,୧୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ବଢୁଛି। ବ୍ଲକରେ ଗତ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି। ଶୁକ୍ରବାର ଦୟାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ବି. ଆପେୟା ରାଜନୈତିକ ଆକ୍ରମଣ ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ହିଞ୍ଜିଳି ଥାନାରେ କେସ୍‌ ନଂ. ୮୮/୨୨ରେ ମାମଲା ରୁଜୁ ହୋଇଛି। ପୋଲିସ ସେହି ଗ୍ରାମର ଭାଣ୍ଡି ଦାମୋଦରଙ୍କୁ ଗିରଫ କରିଛି।

ସେହିପରି ରାଳବ ପଞ୍ଚାୟତ ଆଲପୁର ଗ୍ରାମରେ ହରିହର ପୋଲାଇଙ୍କୁ ବିପକ୍ଷ ଗୋଷ୍ଠୀ ପକ୍ଷରୁ ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି। କେସ୍‌ ନଂ ୮୯/୨୨ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ହିଞ୍ଜିଳିକାଟୁର ଗଣ୍ଡଳା ପଞ୍ଚାୟତରେ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ପାଇଁ ବାଧ୍ୟ କରିବା ଓ ଭୋଟର ମନା କରିବା ଅଭିଯୋଗ ଥାନାରେ ହୋଇଛି। ଗ୍ରାମର ଅର୍ଜୁନ ସେଠୀଙ୍କୁ ୨ ଜଣ ଯୁବକ ଏଥିନେଇ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ଅର୍ଜୁନ ଥାନାରେ ଅଭିଯୋଗ କରିଛନ୍ତି। କେସ୍‌ ନଂ ୯୦/୨୨ରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ଏଥିସହ ଅନ୍ୟ କିଛି ପଞ୍ଚାୟତରେ ମଧ୍ୟ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଘଟୁଛି। ଆସନ୍ତା ୨୬ରୁ ୨୮ ମଧ୍ୟରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ। ତେଣୁ ନିର୍ବାଚନ ପରବର୍ତ୍ତୀ ହିଂସା ନେଇ ବିଭିନ୍ନ ସ୍ଥାନରେ ଉଦ୍‌ବେଗ ପ୍ରକାଶ ପାଇଛି।