କେନ୍ଦ୍ରାପଡ଼ା,୩୦ା୪ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିକୁ ଇତିମଧ୍ୟରେ ୧୫୭ ବର୍ଷ ପୂରିଛି। ରାଜ୍ୟର ଏହି ସର୍ବପୁରାତନ ମ୍ୟୁନିସିପାଲିଟି ସଂପ୍ରତି ବିବିଧ ସମସ୍ୟାରେ ବୁଡ଼ିରହିଛି। ଜବରଦଖଲ ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ସଠିକ ଧରଣର ଚାଲୁନାହିଁ। ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପୁରାଣ ପ୍ରସିଦ୍ଧ ପୋଖରୀ କେତେକ ବ୍ୟକ୍ତିଙ୍କ ଅଧୀନକୁ ଚାଲିଗଲାଣି। ଏହି ପୁରାତନ ସହରର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସ୍ଥାନୀୟ ସହରବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଅମରବର ବିଶ୍ୱାଳ କହିଛନ୍ତି, ସହରର ପୁରୁଣା ବସ୍ଷ୍ଟାଣ୍ଡରେ ପୂର୍ବରୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଥିବା ବେଳେ ବହୁ ପୌରାଣିକ ପୋଖରୀ ରହିଥିଲା। ମାତ୍ର ପୌରାଞ୍ଚଳର ୨୧ଟି ୱାର୍ଡରେ ଏବେ ଗୋଟିଏ ଦୁଇଟି ପୋଖରୀ ନଜରକୁ ଆସୁଛି। ପ୍ରାୟ ୨୦ଟି ପୁରାଣ ପ୍ରସିଦ୍ଧ ପୋଖରୀ ଓ ନିକଟସ୍ଥ ଗୋବରୀ ନଦୀ ଓ କେନାଲ ଏବେ ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଇଛି। କେନ୍ଦ୍ର ସରକାରଙ୍କ ଜଳଶକ୍ତି ଅଭିଯାନରେ ଏହି ପୋଖରୀ ଓ ନାଳର ପୁନରୁଦ୍ଧାର ହୋଇପାରନ୍ତା। ହେଲେ ତାହା ହେଉନାହିଁ। ସେକ୍ ସାବିର କହିଛନ୍ତି, ସହର ମଧ୍ୟରେ ଟ୍ରାଫିକ୍ ବ୍ୟବସ୍ଥା ଅସମ୍ଭାଳ ହୋଇଛି। ସୁଚିନ୍ତିତ ଯୋଜନା ନ ଥିବାରୁ ରାସ୍ତାଗୁଡ଼ିକ ସଙ୍କୁଚିତ ହୋଇଛି। ପ୍ରଶାସନିକ ଉଚ୍ଛେଦକୁ ସ୍ଥାନୀୟ ଲୋକ ମାନୁ ନ ଥିବାରୁ ଜବରଦଖଲ ସମସ୍ୟା ବଢ଼ିଛି। ତିନିମୁହାଣି ଅଙ୍ଗୁଳାଇ ରାସ୍ତାର ନୂଆ ବସ୍ଷ୍ଟାଣ୍ଡଠାରୁ ସାନ୍ତାସାହି ପୋଲ ପର୍ଯ୍ୟନ୍ତ ମୁଖ୍ୟ ବଜାର ରାସ୍ତା ବ୍ୟବସାୟୀଙ୍କ ଜବରଦଖଲ ହେତୁ ରାସ୍ତା ସଙ୍କୁଚିତ ହୋଇଛି। ଦ୍ୱିତୀୟ ବାଇପାସ୍ ରୋଡ଼ ନିର୍ମାଣ ଯୋଜନା ଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ପାରୁନାହିଁ।
ଏପରିକି ଗୋବରୀ ନଦୀପଠା ଓ ଗୋବରୀ କେନାଲର ସରକାରୀ ଜମି ଏବେ ଜବରଦଖଲକାରୀଙ୍କ ମାଲିକାନାରେ ଅଛି। କେଉଁ ପରିସ୍ଥିତିରେ ଏହି ଜବରଦଖଲକାରୀଙ୍କୁ ଜମି ଦଖଲ ପାଇଁ ମଞ୍ଜୁରୀ ମିଳିଛି ବୋଲି ପ୍ରଶ୍ନ କଲେ ଏହାର ଉତ୍ତର ପ୍ରଶାସନ ଦେଇପାରୁ ନାହିଁ। ରାସ୍ତା ସମ୍ପ୍ରସାରଣ ସମୟରେ ବିଦ୍ୟୁତ୍ ଖୁଣ୍ଟ ଉଠାଯାଉ ନ ଥିବାରୁ ଯାତାୟାତ ସମୟରେ ଗାଡ଼ିମୋଟର ଅଟକି ରହୁଛି। ସେକ୍ ଅମ୍ଜାନ କହିଛନ୍ତି, କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ସହରର ରାସ୍ତା ଯୋଜନା ନାହିଁ। ରାଜ୍ୟର ଏହି ସର୍ବପୁରାତନ ସହରର ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ସହିତ ଅନୁଦାନ ଯୋଗାଇବା କଥା। ଏ ସମ୍ପର୍କରେ ପୌରାଧ୍ୟକ୍ଷା ସରିତା ସାହୁଙ୍କୁ ପଚାରିବାରୁ ସହରର ତିନିମୁହାଣି ଛକରେ ଥିବା କିଛି ଅଞ୍ଚଳରେ ଜବରଦଖଲ ହଟାଯାଇଛି। ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସେ କହିଛନ୍ତି।