କୋଭିଡ୍‌ ଯୋଦ୍ଧାଙ୍କୁ ନିମ୍ନମାନର ଖାଦ୍ୟ: ଖାଦ୍ୟରୁ ବାହାରୁଛି ପୋକ, ରବର ବ୍ୟାଣ୍ଡ

ପୁରୀ ଅଫିସ,୧୯। ୭: ମହାମାରୀ କରୋନା ବିରୋଧରେ ଚାଲିଛି ଲଢ଼େଇ। ଏହି ଲଢ଼େଇରେ ଆଗରେ ରହିଛନ୍ତି ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ। ଏମାନେ ନିଜ ସୁଖ ସ୍ବାଚ୍ଛନ୍ଦ୍ୟକୁ ଭୁଲି କରୋନା ବିରୋଧରେ ସଂଗ୍ରାମ ଚଳାଇଛନ୍ତି। ହେଲେ ଏହି ଯୋଦ୍ଧାଙ୍କ ପ୍ରତି ଅଣଦେଖା କରାଯାଉଛି। ଏପରି କି ସେମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ଉଠିଛି। ଏପରି କି ଖାଦ୍ୟରୁ ଚୁଟି, ରବର ବ୍ୟାଣ୍ଡ, ପୋକ ବାହାରୁଥିବା ନେଇ ଶନିବାର ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ)ଙ୍କୁ ଜଣାଇଛନ୍ତି।

ଶ୍ରୀଜଗନ୍ନଥ ମେଡିକାଲ କୋଭିଡ୍‌ କେୟାର ସେଣ୍ଟର, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଆଇଡିଏଚ୍‌ କୋଭିଡ୍‌ ହସ୍ପିଟାଲର ଷ୍ଟାଫ୍‌ଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହି ତିନୋଟି କେନ୍ଦ୍ରର ଷ୍ଟାଫ୍‌ମାନେ ସିଡିଏମ୍‌ଓଙ୍କୁ ଦେଇଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ, ସେମାନଙ୍କୁ ଯେଉଁ ଖାଦ୍ୟ ଯୋଗାଣକାରୀ ସଂସ୍ଥା ଖାଦ୍ୟ ଯୋଗାଉଛନ୍ତି ତାହା ଅତ୍ୟନ୍ତ ନିମ୍ନମାନର। ସେହି ଖାଦ୍ୟ ସ୍ବାସ୍ଥ୍ୟପ୍ରଦ ନୁହେଁ। ଖାଦ୍ୟ ଅଣାଯିବା ବେଳେ ଏହାକୁ ଘୋଡ଼ାଯାଉ ନାହିଁ। ଅନେକ ସମୟରେ ଖାଦ୍ୟରୁ ଚୁଟି, ରବର ବ୍ୟାଣ୍ଡ, ପୋକ ବାହାରୁଛି। ଅନେକ କର୍ମଚାରୀଙ୍କୁ ଖାଦ୍ୟ ଠିକ୍‌ରେ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। କେବଳ କୋଭିଡ୍‌ ଯୋଦ୍ଧାଙ୍କ ସହିତ ଏପରି ଘଟୁଛି ତାହା ନୁହେଁ କରୋନା ପଜିଟିଭଙ୍କ କ୍ଷେତ୍ରରେ ବି ସମାନ ପ୍ରକାର ଘଟଣା ଘଟୁଛି। ସେମାନେ ବି ଅଭିଯୋଗ କରିବା ଆରମ୍ଭ କଲେଣି ବୋଲି ଅଭିଯୋଗପତ୍ରରେ କୋଭିଡ୍‌ ଯୋଦ୍ଧା ଦର୍ଶାଇଛନ୍ତି। ତେଣୁ ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ କରି ଏହାର ସମାଧାନ କରନ୍ତୁ ବୋଲି ସେମାନେ ସିଡିଏମ୍‌ଓଙ୍କୁ ଅନୁରୋଧ କରିଛନ୍ତି।