ଜଙ୍ଗଲ ଜମିରେ ଅମୃତ ସରୋବର ପୋଖରୀ

କାମାକ୍ଷାନଗର, ୧୩।୭(ଡି.ଏନ୍‌.ଏ) – ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କଣ୍ଟାପାଳ ପଞ୍ଚାୟତ ପକ୍ଷରୁ ଅମୃତ ସରୋବର ଯୋଜନାରେ ଖୋଳାଯାଇଥିବା ପୋଖରୀକୁ ନେଇ ବିବାଦ ସୃଷ୍ଟି ହୋଇଛି। ଶ୍ରମିକ ସହାୟତାରେ ଏହି ଜଳାଶୟ ଖନନ ନିୟମ ରହିଥିଲେ ମଧ୍ୟ ମେଶିନରେ କାମ କରାଯାଇଛି। କେବଳ ଏତିକି ନୁହେଁ, ଏଥିପାଇଁ ୧୫୦୦ରୁ ଊର୍ଦ୍ଧ୍ୱ ମୂଲ୍ୟବାନ ଗଛ କଟାଯାଇଥିବା ଅଭିଯୋଗ ହୋଇଛି। ଏପରି କି ଉକ୍ତ ପୋଖରୀ ଖନନ ହୋଇଥିବା ଜମିରୁ କିଛି ଅଂଶ କୁସୁମଯୋଡ଼ି ପଞ୍ଚାୟତ ଅଧୀନରେ ଆସୁଥିବା ସେଠାକାର ଜନସାଧାରଣ କହିଛନ୍ତି। ଏ ସଂକ୍ରାନ୍ତରେ ବିଡିଓଙ୍କ ନିକଟରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପଟେ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ପଞ୍ଚାୟତ ବିକାଶକୁ ସହ୍ୟ କରି ନ ପାରି ଏଭଳି ଅଭିଯୋଗ ଆଣିଥିବା ସରପଞ୍ଚ କହିଛନ୍ତି।
ଅଭିଯୋଗ ଅନୁଯାୟୀ, କାମାକ୍ଷାନଗର ବ୍ଲକ ଅନ୍ନପୂର୍ଣ୍ଣାପୁର ଖମାର ମୌଜାର ଖାତା ନଂ. ୨୩୭, ପ୍ଲଟ ନଂ. ୩୦୪୦, ୩୦୪୧ ଓ ୩୦୪୨ ଅଧୀନ ଜଙ୍ଗଲ କିସମ ଜମିରେ ପଞ୍ଚାୟତ ପକ୍ଷରୁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ପୋଖରୀ ଖନନ କରାଯାଇଛି। ଏଥିଲାଗି ବେଆଇନ ଭାବେ ୧୫୦୦ରୁ ୨୦୦୦ ଗଛ କଟାଯାଇଛି। ତେବେ ବିନା ଜମିମାପ କିମ୍ବା ଆଲୋଚନାରେ ତରବରିଆ ଭାବେ ଜଳାଶୟ ଖୋଳାଯାଇଥିବାରୁ ଠିକ୍‌ ସ୍ଥାନ ନିରୂପଣ ହୋଇପାରିନାହିଁ। ତେଣୁ ଏହି ବିଶାଳକାୟ ପୋଖରୀର କିଛିଅଂଶ କୁସୁମଯୋଡ଼ି ପଞ୍ଚାୟତ ସୀମା ଭିତରକୁ ମାଡ଼ିଯାଇଛି। ଏ ନେଇ ସମ୍ପୃକ୍ତ ପଞ୍ଚାୟତର ବାସିନ୍ଦା ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଜିଲାପାଳ, ଉପଜିଲାପାଳଙ୍କ ସମେତ ଉଚ୍ଚପଦସ୍ଥ ବିଭାଗର ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଅନ୍ୟପଟେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏହି ପୋଖରୀ ଶ୍ରମିକଙ୍କ ଦ୍ୱାରା ଖୋଳିବା ଲାଗି ନିୟମ ରହିଥିବାବେଳେ କିଭଳି ମେଶିନ ସହାୟତାରେ କାମ କରାଗଲା, ତାହାକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି।
ଏ ସମ୍ପର୍କରେ କଣ୍ଟାପାଳ ପଞ୍ଚାୟତର ସରପଞ୍ଚ ନିର୍ମଦା ସାସମଲ କୁହନ୍ତି, କେତେଜଣ ଖଳପ୍ରକୃତିର ଲୋକ ଅଞ୍ଚଳର ବିକାଶ ଚାହୁଁନାହାନ୍ତି। ତେଣୁ ସେମାନେ ଏଭଳି ଅଭିଯୋଗ ଆଣିଥିବା ସେ କହିଛନ୍ତି। ବିଡିଓ ବିକାଶ କୁମାର ମହାନ୍ତି କୁହନ୍ତି, ଅଭିଯୋଗ ପାଇବା ପରେ ତଦନ୍ତ କରାଯାଉଛି। ଅଭିଯୋଗରେ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।