ଅସହାୟ ପରିବାରକୁ ପଲିଥିନ ଭରସା

ବାରିପଦା ଅଫିସ,୫ା୧୦- ଦିନରେ ଚାଳରୁ ପାଣି ଗଳୁଛି ତ ରାତିରେ ଜହ୍ନ ଆଲୁଅ ଦିଶୁଛି। ଓଳିଏ ଖାଇ ଓଳିଏ ଉପବାସ ରହୁଥିବା ପରିବାରକୁ ମିଳୁନି ପକ୍କାଘର। ସରକାରଙ୍କ ଯୋଜନା ସତେ ଯେପରି ସେମାନଙ୍କ ପାଇଁ ଅପହଞ୍ଚ ସାଜିଛି। ପ୍ରଶାସନ ଓ ରାଜନେତାଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛନ୍ତି ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ପାଉଁଶିଆ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ୯ନଂ. ୱାର୍ଡର ମାଇନ ସୋରେନ(୫୩)ଙ୍କ ପରିବାର। ୫ବର୍ଷ ପୂର୍ବେ ସ୍ବାମୀଙ୍କୁ ହରାଇବା ପରେ ଭାଗ୍ୟକୁ ଆଦରି ଦୁଇ ପୁଅଙ୍କ ମୁହଁକୁ ଚାହିଁ ସେ ଭଙ୍ଗା ଚାଳିଆରେ ପଡ଼ିରହିଛନ୍ତି। ଚାଳ ଛପର ଘର ଖଣ୍ଡିକ ବର୍ଷାରେ ଭାଙ୍ଗି ଯାଇଥିବା ବେଳେ ଛିଣ୍ଡା ପଲିଥିନ ଢାଙ୍କି ସେମାନଙ୍କୁ ମୁଣ୍ଡ ଗୁଞ୍ଜିବାକୁ ପଡୁଛି ା
ଶିଆଳୀଘାଟି ସ୍କୁଲର ଆଦିବାସୀ ହଷ୍ଟେଲରେ ରହି ମାଇନଙ୍କ ଦୁଇ ପୁଅ ଶିବ(୧୩) ଓ ଗାଇଚାନ୍ଦ(୯) ପାଠ ପଢୁଥିଲେ। କରୋନା ପାଇଁ ସ୍କୁଲ୍‌ ବନ୍ଦ ଥିବାରୁ ଅଧିକାଂଶ ଦିନ ସେମାନେ ଭୋକ ଉପାସରେ ରହୁଛନ୍ତି। ବର୍ଷା ହେଲେ ଘର ଭିତରେ ଆଣ୍ଠୁଏ ପାଣି ଜମା ହେଉଥିବା ବେଳେ ଚୁଲିରେ ପାଣି ପଶିଯାଉଛି। ଭାଡ଼ିବାନ୍ଧି ସନ୍ତସନ୍ତିଆ ଘରେ ରହୁଥିବା ବେଳେ ଅଧିକାଂଶ ସମୟରେ ପିଲାମାନଙ୍କ ସ୍ବାସ୍ଥ୍ୟ ଖରାପ ହେଉଛି। ସରକାରଙ୍କ ପକ୍ଷରୁ ସେମାନଙ୍କୁ ମିଳୁଥିବା ୩୫କେ.ଜି. ଚାଉଳ ମାସକ ପୂର୍ବରୁ ଶେଷ ହୋଇଥାଏ। ଅବଶିଷ୍ଟ ଦିନଗୁଡିକ ମୂଲ ମଜୁରୀ କରି କୌଣସି ମତେ ଗୁଜୁରାଣ ମେଣ୍ଟାଇବାକୁ ପଡ଼ିଥାଏ। ଆବାସ ଯୋଜନାରେ ଘରଟିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ମଧ୍ୟ ତାଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉ ନ ଥିବା ମାଇନ କୁହନ୍ତି ା ତେବେ ଦାରିଦ୍ର୍ୟ ସୀମା ରେଖା ତଳେ ରହୁଥିବା ହିତାଧିକାରୀଙ୍କ ପାଇଁ ପ୍ରଣୟନ ହେଉଥିବା ଯୋଜନାଗୁଡ଼ିକ ପ୍ରକୃତ ହିତାଧିକାରୀ ପାଇପାରୁ ନାହାନ୍ତି ବୋଲି ଗ୍ରାମର ବନା ଟୁଡୁ, ନନ୍ଦ କିଶୋର ହେମ୍ବ୍ରମ, କାର୍ତ୍ତିକ ମହାନ୍ତ ପ୍ରମୁଖ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପାଉଁଶିଆ ପଞ୍ଚାୟତର ସରପଞ୍ଚ ଯଶୋଦା ସିଂଙ୍କୁ ପଚାରିବାରୁ ସରକାରୀସ୍ତରରେ ଲିଷ୍ଟ ଆସି ନ ଥିବାରୁ ପକ୍କା ଘର ଦିଆଯାଇପାରିନାହିଁ। ତେବେ ଝଡ଼ବର୍ଷାରେ ନଷ୍ଟ ହୋଇଥିବା ହିତାଧିକାରୀମାନେ ତହସିଲଦାରଙ୍କ ନିକଟରେ ଅଭିଯୋଗ କଲେ ତୁରନ୍ତ ଆବାସ ଯୋଜନାରେ ଗୃହ ଦେଇହେବ ବୋଲି କହିଥିଲେ। ଏ ସମ୍ପର୍କରେ ବଡ଼ସାହି ବିଡିଓ କରୁଣାକର ଧିନ୍ଦା କୁହନ୍ତି, ଖୁବ ଶୀଘ୍ର ଉକ୍ତ ପରିବାରକୁ ପକ୍କା ଘର ପ୍ରଦାନ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ତେବେ ପ୍ରଶାସନ ପକ୍ଷରୁ ଏକ ପଲିଥିନ ବ୍ୟବସ୍ଥା କରାଗଲେ ପରିବାର ଲୋକେ ବର୍ଷାଦାଉରୁ ରକ୍ଷା ପାଇପାରିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ା