ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବେଦାନ୍ତଙ୍କୁ ଚିଠି ଲେଖି କଲେ ତାଗିଦ

ସମ୍ବଲପୁର,୧୧ା୮(ଶୁଭାଶିଷ ପାଢୀ): ଝାରସୁଗୁଡ଼ା ବେଦାନ୍ତ କମ୍ପାନୀରୁ ବାହାରୁଥିବା ଫ୍ଲାଏଆଶ ସମ୍ବଲପୁର ଜିଲାର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ପକାଯାଉଛି । ଏହାକୁ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବଲପୁର ଆଞ୍ଚଳିକ ଶାଖା ବେଦାନ୍ତ କମ୍ପାନୀ ମୁଖ୍ୟ ପରିଚାଳକଙ୍କୁ ଚିଠି (ନଂ.୨୭୯୩/୨୩) କରି ତାଗିଦ କରିଛି।

ଆଞ୍ଚଳିକ ଶାଖା ଭାରପ୍ରାପ୍ତ ନିର୍ଦ୍ଦେଶକ ସତ୍ୟନାରାୟଣ ନନ୍ଦ କରିଥିବା ଏହି ଚିଠିରେ ଉଲ୍ଲେଖ ରହିଛି, କମ୍ପାନୀରୁ ନିର୍ଗତ ଫ୍ଲାଏଆଶ ଓ ବର୍ଜ୍ୟବସ୍ତୁ ସମ୍ବଲପୁର ଜାତୀୟ ରାଜପଥ ୫୫ ଓ ରାଜ୍ୟ ରାଜପଥ କଡରେ ପକାଇ ଦିଆଯାଇଛି। ଏଠାରେ ସରକାରୀ ଓ ବ୍ୟକ୍ତିଗତ ଜମି ମଧ୍ୟ ରହିଛି। ଏଥିପାଇଁ କୌଣସି ନିୟମ ପାଳନ ହେଉ ନାହିଁ। ଶାସନ ରାସ୍ତାର କେନ୍ଦୁଘାଟି ଆରବି ସ୍ପଞ୍ଜ କାରଖାନା ପାର୍ଶ୍ୱରେ ମଧ୍ୟ ପକାଯାଉଛି। ଏ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଅବଗତ କରାଯାଉ ନାହିଁ। ପାଉଁଶ ପକାଇବା ଦ୍ୱାରା ସ୍ଥାନୀୟ ଲୋକଙ୍କୁ ସମସ୍ୟା ହେଉଛି। ଭାରିଯାନ ଚଳଚଳ ଯୋଗୁ ଯାତାୟାତରେ ମଧ୍ୟ ସମସ୍ୟା ହେଉଛି। ଏ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଦର୍ଶାଯାଇଛି।