ଭୁବନେଶ୍ୱର,୨୯ା୪ (ରବିନାରାୟଣ ଜେନା):ପଞ୍ଚାୟତ ନିର୍ବାଚନକୁ ଆଉ ପ୍ରାୟ ୧୦ ମାସରୁ ଅଧିକ ଦିନ ରହିଛି। ହେଲେ ଏବେଠାରୁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏହି ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସ ମଙ୍ଗଳବାର ଗଣମାଧ୍ୟମକୁ ବିଜେଡି ସହ ମେଣ୍ଟ ହେବନାହିଁ ବୋଲି କହିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
ଭକ୍ତ କହିଛନ୍ତି, ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡି ସହ ମେଣ୍ଟ ହେବନାହିଁ। କଂଗ୍ରେସ ଏକା ହିଁ ଲଢ଼ିବ। ଦଳରେ ଅସନ୍ତୋଷ ବଢୁଥିବାରୁ ଭକ୍ତ କହିଛନ୍ତି ଜିଲା ପରିଷଦ, ପଞ୍ଚାୟତ, ମ୍ୟୁନିସିପାଲିଟି ନିର୍ବାଚନରେ ନିଜ ଦମ୍ରେ କଂଗ୍ରେସ ଏକାକୀ ଲଢ଼ିବ। ବିଜେଡି ସହ ଏକ୍ ହୋଇ ଲଢ଼ିବନାହିଁ। ତେବେ ବିଧାନସଭା ନିର୍ବାଚନ ବେଳେ ଆବଶ୍ୟକ ପଡ଼ିଲେ ହାଇକମାଣ୍ଡ କହିଲେ ବିଜେଡି ସହ ବୁଝାମଣା ହୋଇପାରେ ବୋଲି ସେ କହିଛନ୍ତି।
ଏହି ପ୍ରସଙ୍ଗକୁ ନେଇ ବିଜେଡିର ବରିଷ୍ଠ ନେତା ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଏଭଳି ଚର୍ଚ୍ଚା ରାଜନୀତି ଓ ଗଣମାଧ୍ୟମ ପାଇଁ ଠିକ୍। କିନ୍ତୁ ଏସବୁ ଚର୍ଚ୍ଚା ଭିତ୍ତିହୀନ ବୋଲି କହିଛନ୍ତି। ଆଚାର୍ଯ୍ୟ ପାଲଟା ପ୍ରଶ୍ନ କରି କହିଛନ୍ତି, ବିଜେଡି କେବେ କାହାସହ ମେଣ୍ଟ କରିବା ପାଇଁ ପ୍ରସ୍ତାବ ଦେଇଥିଲା କି? ଏହା କେବଳ ‘ଶିରନାସ୍ତି ଶିରପୀଡ଼ା।’ ମୁଣ୍ଡ ନାହିଁ ମୁଣ୍ଡବ୍ୟଥା କେମିତି ହେବ? ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡିର ମେଣ୍ଟ ପ୍ରସଙ୍ଗରେ କାହାରି ସହ କୌଣସି ଆଲୋଚନା ହୋଇ ନ ଥିବା ଆଚାର୍ଯ୍ୟ ସ୍ପଷ୍ଟ କରିଛନ୍ତି।
ହଠାତ୍ ଭକ୍ତଙ୍କ ୟୁ-ଟର୍ନ ପରେ ବିଜେଡିକୁ କଟାକ୍ଷ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ବିଜେଡି ସ୍ଥିତି ଏବେ ଏମିତି ହେଲାଣି ଯେ ଯେଉଁ କଂଗ୍ରେସ ଦିନେ ମେଣ୍ଟ ପାଇଁ ପ୍ରସ୍ତାବ ଦେଇଥିଲା ଏବେ ସେହି ଦଳ ବି ତାକୁ ଗ୍ରହଣ କରୁନାହିଁ। ବିଜେଡି ବୁଡ଼ିଯାଉଥିବା ଡଙ୍ଗା ପରି ତଳକୁ ତଳ ଯାଉଛି। ସେ ଅତୀତର ଉଦାହରଣ ଦେଇ ବିଜେଡିର କଂଗ୍ରେସ ସହ ‘ଚୋରା ପୀରତି’ ରହିଥିବା ସମ୍ପର୍କରେ ଅଭିଯୋଗ କରିଛନ୍ତି। ମନ୍ତ୍ରୀ ପୁଣି କହିଛନ୍ତି, ସେ ସଭାପତି ଥିବାବେଳେ ବିଜେଡିଠୁ ମେଣ୍ଟ ସମ୍ପର୍କ ଭାଙ୍ଗିଥିଲା। ସେହି ସମୟରେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ବିଜେଡିକୁ ପରୋକ୍ଷରେ ସମର୍ଥନ ଦେଇଥିଲା କଂଗ୍ରେସ। ଭାଜପା ସହ ମେଣ୍ଟରେ ଥିବା ବିଜେଡି ମଧ୍ୟ କଂଗ୍ରେସ ସହିତ ‘ଚୋରା ପୀରତି’ କରୁଥିଲା ବୋଲି ପୂଜାରୀ କଟାକ୍ଷ କରି କହିଛନ୍ତି।