ରାଜନୈତିକ ଅସହିଷ୍ଣୁତା ଓ ପୋଲିସରାଜ୍‌

ଶାସକ ଦଳର ଛତ୍ରଛାୟାରେ ରହିଲେ ପୋଲିସ ଡର ନାହିଁ। ସମ୍ପୃକ୍ତ ପୋଲିସକୁ ଘୁସ୍‌ ଦେବାର ପଇସା ଥିଲେ କୋର୍ଟ କଚେରିକୁ ଡର ନାହିଁ – ଏ ଏକ ଲୋକୋକ୍ତି ହୋଇଗଲାଣି। ଘୁସ୍‌ କାରବାର ଉପରେ ଆଲୋଚନା କରିବା ବୃଥା, ତାହା ତ ଆମର ଚଳଣି ହୋଇଗଲାଣି ବରଂ ଦଳୀୟ ରାଜନୀତିରେ କିପରି ‘ଆଇନର ଶାସନ’ ଓ ‘ଗଣତନ୍ତ୍ର’ ଏ ଦୁଇଟି ପଦ ଆଉ ସମାନାର୍ଥକ ହୋଇ ରହିନାହିଁ ସେ ବିଷୟରେ ଆଲୋଚନା କରିବା ବେଳ ଆସିଗଲାଣି।
୧୦ ବର୍ଷ ହେଲା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥାଇ ଅରବିନ୍ଦ କେଜ୍‌ରିୱାଲ ଅସହିଷ୍ଣୁତା ପ୍ରଦର୍ଶନ କରି ନ ଥିବାର କାରଣ ଏବେ ଜଣାପଡ଼ିଗଲା। ଦିଲ୍ଲୀ ପୋଲିସ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ନିୟନ୍ତ୍ରିତ। ପଶ୍ଚିମବଙ୍ଗରେ ମମତା ଦିଦିଙ୍କ ତୃଣମୂଳ କଂଗ୍ରେସ ସରକାର ଭଳି କେଜ୍‌ରିୱାଲ ବି ବିରୋଧ ଓ ବିରୋଧୀଙ୍କୁ ସହ୍ୟ କରନ୍ତି ନାହିଁ। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ନିୟନ୍ତ୍ରିତ ବୋଲି କେଜ୍‌ରିୱାଲଙ୍କ ଚେହେରା ଭିନ୍ନ ଥିଲା, ଏବେ ତାଙ୍କ ଆପ୍‌ ଦଳ ପଞ୍ଜାବରେ ସରକାର ଗଢ଼ିଲା ପରେ ସେ ଦିଲ୍ଲୀରେ ଥାଇ, ଅର୍ଥାତ୍‌ ରିମୋଟ୍‌ କଣ୍ଟ୍ରୋଲରେ ପଞ୍ଜାବ ସରକାରଙ୍କ ଜରିଆରେ ପଞ୍ଜାବ ପୋଲିସ ଦ୍ୱାରା ତାଙ୍କ ବିରୋଧୀମାନଙ୍କ ଉପରେ ଦାଉ ସାଧିପାରୁଛନ୍ତି। ପାୱାର ପାଇଲେ ଭଲ ମଣିଷ ବି ଭେଲ ହୋଇପାରେ ବୋଲି ଚିନ୍ତା କରିପାରୁଥିବା ମହାତ୍ମା ଗାନ୍ଧୀ ପରାମର୍ଶ ଦେଇଥିଲେ ଯେ ସ୍ବାଧୀନତା ଲାଭ ପରେ ଜାତୀୟ କଂଗ୍ରେସ ଦଳ ଭାଙ୍ଗି ଦିଆଯାଉ ଓ ଶାସନ କରିବା ପାଇଁ ନୂଆ ମୁହଁ ବାହାରୁ, ନୂଆ ଦଳ ତିଆରି ହେଉ। ତା’ ହେଲେ ଭଲ ସଂଗ୍ରାମୀମାନେ ଭେଲ ନେତା ହେବାର ପରିବେଶ ପାଇବେ ନାହିଁ। ପଞ୍ଜାବ ପୋଲିସ କେଜ୍‌ରିୱାଲଙ୍କ ଇଙ୍ଗିତରେ ସମ୍ପ୍ରତି ଦିଲ୍ଲୀକୁ ଆସି ଭାଜପା ନେତା ତାଜିନ୍ଦର ପାଲ୍‌ ସିଂହ ବାଗ୍‌ଗାଙ୍କୁ ଗିରଫ ଉଦ୍ୟମ କରିବା ଗାନ୍ଧୀଙ୍କ ସେହି ପରାମର୍ଶକୁ ମନେ ପକାଇଦେଉଛି। କେଜ୍‌ରିୱାଲଙ୍କ ଅସହିଷ୍ଣୁତା ଦେଖନ୍ତୁ: (୧) ଆପ୍‌ ପାର୍ଟିରେ ଦିନେ ଉଚ୍ଚ ଆସନ ମଣ୍ଡନ କରିଥିବା ଓ କବି ଭାବରେ ଜଣାଶୁଣା କୁମାର ବିଶ୍ୱାସଙ୍କ ଦିଲ୍ଲୀ ବାସଭବନକୁ ପଞ୍ଜାବ ପୋଲିସ ପଠାଇ ଭୟଭୀତ କରାଇ ଥିଲେ, (୨) ଆପ୍‌ ଦଳ ଛାଡ଼ିଥିବା ଆଉ ଜଣେ ନେତା ଅଲ୍‌କା ଲାମ୍ବାଙ୍କୁ ନେବା ପାଇଁ ତାଙ୍କ ଦିଲ୍ଲୀ ବାସଭବନକୁ ପଞ୍ଜାବ ପୋଲିସ ଆସିଥିଲେ, (୩) ପୁଣି ଭାଜପାର ବାଗ୍‌ଗା। ଗୋଟିଏ ତୁଚ୍ଛ କି କ୍ଷୁଦ୍ରମନା ଅପରାଧୀଙ୍କୁ ଯେମିତି ବାନ୍ଧି ପୋଲିସ ଗାଡ଼ି ଭିତରକୁ ଠେଲି ଦିଆଯାଏ ସେମିତି ବାଗ୍‌ଗାଙ୍କ ଭଳି ଜଣେ ଜଣାଶୁଣା ଧର୍ମାନୁରକ୍ତ ଶିଖକୁ ତାଙ୍କ ଧର୍ମର ଚିହ୍ନ ପଗଡ଼ି ବାନ୍ଧିବାକୁ, ଏପରିକି ଚପଲ ପିନ୍ଧିବାକୁ, ସମୟ ନ ଦେଇ ତାଙ୍କ ଦିଲ୍ଲୀ ବାସଭବନରୁ ପଞ୍ଜାବ ପୋଲିସ ଗାଡ଼ି ଭିତରକୁ ଟେକିନେବା ଭଳି ଘଟଣା ସମ୍ଭବତଃ ଖାଲିସ୍ତାନୀ ବିଦ୍ରୋହୀଙ୍କ ଦମନ କାଳରେ ବି ଘଟି ନ ଥିବ! ଭେଣ୍ଡେଟ୍ଟା (ପ୍ରତିହିଂସା) ରାଜନୀତିରେ କେଜ୍‌ରିୱାଲ ଏମିତି ପାରଦର୍ଶୀ ବୋଲି ଆମେ ଭାବି ନ ଥିଲେ!
ଉତ୍ତରପଶ୍ଚିମ ଦିଗର ପଞ୍ଜାବ ସରକାର ସାଙ୍ଗେ ଉତ୍ତରପୂର୍ବ ଦିଗର ଆସାମ ସରକାର କଥା ତୁଳନା କରନ୍ତୁ। ଆସାମ ପୋଲିସ ଗୁଜରାଟ ଯାଇ ସେଠାକାର ବିଧାୟକ ଜିଗ୍ନେଶ ମେଭାନୀଙ୍କୁ ଗିରଫ କଲା। କାରଣ ସେ କେନ୍ଦ୍ର ସରକାରକୁ ସମାଲୋଚନା କରିଛନ୍ତି ବୋଲି ଆସାମର ଜଣେ ଲୋକ ଏତଲା ଦେଇଥିଲେ। ମହାରାଷ୍ଟ୍ରରେ ରାଣା ଦମ୍ପତିକୁ ଗିରଫ କରାଗଲା। କାରଣ ସେମାନେ କହିହେଲେ ଶବ୍ଦ ପ୍ରଦୂଷଣ ପାଇଁ ଲାଉଡ୍‌ ସ୍ପିକର ଦାୟୀ। ତେଣୁ ତାହା ବନ୍ଦ କରାଯାଉ, ତା’ ନ ହେଲେ ସେମାନେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ଲାଉଡ୍‌ ସ୍ପିକର ଲଗାଇ ହନୁମାନ ଚାଳିଶା ପଢ଼ିବେ। ଏହା କୁଆଡ଼େ ଦେଶଦ୍ରୋହ ଅପରାଧ! ‘ଦଳ’ ମାନେ ‘ଦେଶ’। ମହାରାଷ୍ଟ୍ରର ମହାଗଣ୍ଠବନ୍ଧନ ସରକାରର ଦଳ ଏହା ନ କହିଥିଲେ ପୋଲିସ ଏପରି କରିଥାନ୍ତା କି? ଆଇନ ଲାଗୁକରୁଥିବା ଏଜେନ୍ସିକୁ ଦଳ କାମରେ ଲଗାଇଲେ ଏପରି ଘଟେ! ରାଜ୍ୟ ରାଜ୍ୟ ଭିତରେ ପୋଲିସ ଗିରଫଦାରି ପ୍ରକ୍ରିୟାର ଆଇନ ଅଛି। ତାହା ସମ୍ପୃକ୍ତ ରାଜ୍ୟଗୁଡ଼ିକ ଭିତରେ ସହଯୋଗ ଉପରେ ଜୋର୍‌ ଦିଏ, ଏହାର ଖିଲାପ ହେଉଛି ପୋଲିସରାଜ୍‌। ଶୁକ୍ରବାର ସକାଳୁ ସକାଳୁ ଭାଜପା ନେତା ତାଜିନ୍ଦର ପାଲ୍‌ ସିଂ ବାଗ୍‌ଗାଙ୍କୁ ପଞ୍ଜାବ ପୋଲିସ ବୋହିନେଉଥିବା ବାଟରେ ହରିୟାଣା ରାଜ୍ୟ ପଡ଼ିଲା। ହରିୟାଣାର ଭାଜପା ସରକାର ତାଙ୍କ ପୋଲିସ ପଠାଇ ଅଟକାଇଲା ଓ ବାଗ୍‌ଗାଙ୍କୁ ଦିଲ୍ଲୀକୁ ଫେରାଇ ଆଣିଲା। ଭାଜପା-ଆପ୍‌ କାଦୁଅ ଫୋପଡ଼ା ଫୋପଡ଼ିରେ ପୋଲିସ ହେଉଛି ଅସ୍ତ୍ର। ଆମ ସମ୍ବିଧାନର ୭ମ ସିଡ୍ୟୁଲର ଦ୍ୱିତୀୟ ତାଲିକାରେ ୨ୟ ଲେଖା ହେଉଛି ପୋଲିସ। ତେଣୁ ପୋଲିସ ରାଜ୍ୟ ସରକାରମାନଙ୍କ ଅଧୀନରେ। ସିଆର୍‌ପିସି ବା ଅପରାଧ ପ୍ରକ୍ରିୟା ସଂହିତାର ୪୧ରୁ ୬୦ ଧାରାରେ ପୋଲିସର ଗିରଫ କରିବାର କ୍ଷମତା ଉଲ୍ଲେଖ ଅଛି। ୭୮ ରୁ ୮୧ ଧାରାରେ ବର୍ଣ୍ଣନା ଅଛି କିପରି ରାଜ୍ୟ ବାହାରେ ଓ ଥାନା ପରିସର ବାହାରେ ଗିରଫ କରାଯିବ। ଅନ୍ୟ ରାଜ୍ୟରୁ କାହାକୁ ଗିରଫ କରିବାକୁ ହେଲେ ସ୍ଥାନୀୟ ପୋଲିସର ସହାୟତା ନିଆଯିବ। ଅଭିଯୁକ୍ତଙ୍କ ସ୍ଥାନୀୟ ଥାନାରେ ସମସ୍ତ କଥା ଉଲ୍ଲେଖକରି ସାରି ବାହାର ରାଜ୍ୟର ପୋଲିସ ଅଭିଯୁକ୍ତଙ୍କୁ ବାହାରକୁ ନେଇପାରିବ। ସ୍ଥାନୀୟ ପୋଲିସ ଯଥାର୍ଥତା ଦେଖି ସହାୟତା ଦିଏ ଏବଂ ବାହାର ରାଜ୍ୟର ପୋଲିସ ସାଙ୍ଗରେ ରହେ। ଗିରଫ ହୋଇଥିବା ବ୍ୟକ୍ତଙ୍କୁ ତାଙ୍କ ଘରୁ ବାହାରକୁ ନେବା ପୂର୍ବରୁ ସେ ଯେପରି ତାଙ୍କ ଓକିଲଙ୍କୁ ଯୋଗାଯୋଗ କରିପାରିବେ ଓ ତାଙ୍କଠାରୁ ପରାମର୍ଶ ନେବେ ତାହାର ସୁବିଧା କରିବାକୁ ପୋଲିସ ବାଧ୍ୟ। ମତପାର୍ଥକ୍ୟ ଥିବା ଦଳର ସରକାରରେ ପୋଲିସ ସହଯୋଗ ମିଳେ ନାହିଁ, କାରଣ ଶାସକ ଦଳର ଇଙ୍ଗିତରେ କାମ କରିଥାଏ। ଏ ପ୍ରସଙ୍ଗରେ ସୁପ୍ରିମକୋର୍ଟ ‘ରିଆ ଚକ୍ରବର୍ତ୍ତୀ ବନାମ ବିହାର ରାଜ୍ୟ ଓ ଅନ୍ୟମାନେ’ ମାମଲାରେ ରାୟ ଦେଇଛନ୍ତି ଯେ ସତ୍ୟ ଅନୁସନ୍ଧାନ ପାଇଁ ଏକ ସ୍ବାଧୀନ ୩ୟ ପକ୍ଷ ଦରକାର, ତାହା ସିବିଆଇ ପୂରଣ କରିବ ବୋଲି ଆଦେଶ ଦେଲେ। କେନ୍ଦ୍ରରେ ରାଜୁତି କରୁଥିବା ଭାଜପା ବିହାରରେ ରାଜୁତି କରୁଥିବା ସରକାରୀ ଦଳର ସମର୍ଥକ କେନ୍ଦ୍ରରେ ଅଛି ବୋଲି ସୁପ୍ରିମକୋର୍ଟ ଲକ୍ଷ୍ୟ କଲେ ନାହିଁ।
କେନ୍ଦ୍ରରେ ଶାସକ ଦଳ ଭିନ୍ନ ହେଲେ ସେମାନେ ସିବିଆଇକୁ ଦନ୍ତହୀନ କରିପାରନ୍ତି, ଯଥା ତଦନ୍ତ କରୁଥିବା ଅଫିସର୍‌କୁ ତଦନ୍ତ ମଝିରେ ଟ୍ରାନ୍ସଫର୍‌ କରିଦେବା ଉଦାହରଣ ତ କଂଗ୍ରେସ୍‌ ଶାସନ ସମୟରୁ ଚଳିଆସିଛି। ସିବିଆଇ କେନ୍ଦ୍ର ସରକାରଙ୍କ କତ୍ତୃତ୍ୱରେ ଥିଲେ ବି ଦିଲ୍ଲୀ ପୋଲିସ୍‌ ଏଷ୍ଟାବ୍ଲିସମେଣ୍ଟ ହୋଇଥିବାରୁ ଅନ୍ୟ କୌଣସି ରାଜ୍ୟରେ ତଦନ୍ତ ପାଇଁ ଉକ୍ତ ରାଜ୍ୟର ସମ୍ମତି ଲୋଡନ୍ତି, ନିଜର ଯଥେଷ୍ଟ ପୋଲିସ୍‌ ବଳ ନ ଥିବାରୁ ସେ ରାଜ୍ୟର ପୋଲିସ୍‌ର ସହାୟତା ନିଅନ୍ତି, ଏହି କାରଣରୁ ଜାନକୀବଲ୍ଲଭ ମୁଖ୍ୟମନ୍ତ୍ରୀ ଥିବା ଯାଏ ଅଞ୍ଜନା ମିଶ୍ର ତତ୍କାଳୀନ ଆଡଭୋକେଟ ଜେନେରାଲଙ୍କ ବିରୁଦ୍ଧରେ ଧର୍ଷଣ ଅଭିଯୋଗର ସିବିଆଇ ତଦନ୍ତ ସରୁ ନ ଥିଲା, ଧର୍ଷଣ କରିଥିବା ବ୍ୟକ୍ତିତ୍ରୟ ଜାନକୀବଲ୍ଲଭ ସରକାରଙ୍କ ପୋଲିସ୍‌ ଦ୍ୱାରା ସୁରକ୍ଷିତ ଥିଲେ। ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ହେଲେ ଏବଂ ମୁଁ ମୁଖ୍ୟ ଶାସନସଚିବ ହେବା ପରେ ହିଁ ସିବିଆଇ ଫାଇନାଲ୍‌ ରିପୋର୍ଟ ହାଇକୋର୍ଟଙ୍କୁ ଦେଇଥିଲେ ଏବଂ ଧର୍ଷକ-ବ୍ୟକ୍ତିତ୍ରୟ ଦଣ୍ଡିତ ହେଲେ। ଏବର ମମତା ମେହେର ମାମଲା ବା ନୟାଗଡ କି ଜଗତସିଂପୁର ମାମଲା କଥା ନ କହିଲେ ଭଲ। ପୋଲିସ୍‌ର ଦାୟିତ୍ୱବୋଧ କିପରି ରାଜନୈତିକ ନେତାମାନଙ୍କ ପ୍ରଭାବରେ ହଜିଯାଏ, ଏସବୁ ତା’ର ପ୍ରମାଣ। ପାଗଳାମି ସଂକ୍ରାମକ ରୋଗ ନୁହେଁ, କିନ୍ତୁ ରାଜନୈତିକ ପାଗଳାମି ସବୁ ଦଳକୁ ସଂକ୍ରମିତ କରୁଛି!

  • ସହଦେବ ସାହୁ
    sahadevas@yahoo.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?