ଗଣସଂଗଠନ ଉପରେ ରାଜନୈତିକ ପ୍ରଭାବ

ଅକ୍ଷୟ କୁମାର ମିଶ୍ର

 

ଆମ ଦେଶରେ ଗଣସଂଗଠନ କଥା ଉଠିଲେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସର କଥା ଆସେ। ୧୮୮୫ ଡିସେମ୍ବର ୨୮ ଦିନ ବମ୍ବେର (ମୁମ୍ବାଇ) ଗୋକୁଲଦାସ ତେଜପାଲ ସଂସ୍କୃତ କଲେଜ ପରିସରରେ ମାତ୍ର ୭୨ ଜଣଙ୍କୁ ନେଇ ଆଲାନ ଅକ୍ଟୋଭିଆନ ହ୍ୟୁମଙ୍କ ଦ୍ୱାରା ଗଠିତ ହୋଇଥିଲା ଏହି ସଂଗଠନ। ବ୍ରିଟିଶ ସରକାର ଉପରେ ଚାପ ପ୍ରୟୋଗ କରି ପ୍ରଶାସନରେ କାର୍ଯ୍ୟ କରୁଥିବା ଶିକ୍ଷିତ ବୃତ୍ତିଧାରୀଙ୍କୁ କିଛି ସୁବିଧାସୁଯୋଗ କରେଇଦେବା ଥିଲା ଏହି ସଂଗଠନର ପ୍ରାଥମିକ ଲକ୍ଷ୍ୟ। ବିଧିବଦ୍ଧ ଭାବେ ହୁଏତ ଜାତୀୟ କଂଗ୍ରେସକୁ ଗଣସଂଗଠନ କୁହାଯାଉ ନ ଥିଲା, କିନ୍ତୁ ଏହାର କାର୍ଯ୍ୟଶୈଳକୁ ବିଚାର କଲେ ଭାରତୀୟ ଜାତୀୟ କଂଗ୍ରେସକୁ ଦେଶର ପ୍ରଥମ ଗଣସଂଗଠନ କହିଲେ ଭୁଲ୍‌ ହେବ ନାହିଁ। ଠିକ୍‌ ସେମିତି ଅଷ୍ଟାଦଶ ଶତାବ୍ଦୀର ଶେଷାର୍ଦ୍ଧରେ ବହୁ ଶ୍ରମିକ ଆନ୍ଦୋଳନ ଦେଖିବାକୁ ମିଳିଥିଲେ ବି ଏଗୁଡ଼ିକ ସଂଗଠନର ରୂପ ନେଇ ପାରି ନ ଥିଲା। ୧୯୧୮ରେ ମାନ୍ଦ୍ରାଜ ୱାର୍କର୍ସ ୟୁନିୟନ ପ୍ରଥମ ଶ୍ରମିକ ସଂଗଠନ ଭାବରେ ଆମ ଦେଶରେ ଜନ୍ମ ନେଲା ଏବଂ ଶୋଷଣ ବିରୋଧରେ ସ୍ବର ଉଠାଇଲା। ଏହାପରେ ୧୯୩୬ରେ ତିନୋଟି ଗଣସଂଗଠନ ଜନ୍ମ ନେଲା। ସେଗୁଡ଼ିକ ହେଲା ଅଲ୍‌ଇଣ୍ଡିଆ କିଷାନ ସଭା, ଅଲ୍‌ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେଶନ ଏବଂ ପ୍ରୋଗ୍ରେସିଭ ରାଇଟର୍ସ ଆସୋସିଏଶନ। ଏହି ତିନୋଟି ଗଣସଂଗଠନର ଗଠନ ପଛରେ ଥିବା ମୁଖ୍ୟ ଉଦ୍ଦେଶ୍ୟ ହେଲା ପ୍ରଚଳିତ ସାମାଜିକ ବ୍ୟବସ୍ଥାର ରୂପାନ୍ତରଣ। ତତ୍‌ସହିତ ସମ୍ପୃକ୍ତ ଜନସାଧାରଣଙ୍କ ଉପରେ ଶାସକ ଶ୍ରେଣୀର ଅନ୍ୟାୟ ଅତ୍ୟାଚାର ଶୋଷଣ କଷଣର ଅବସାନ ଘଟାଇ ଏକ ସୁସ୍ଥ ଜୀବନ ଜିଇବାର ପରିବେଶ ସୃଷ୍ଟି କରିବା। କିଷାନସଭା ଯେମିତି ଜମିଦାରି ପ୍ରଥାର ଉଚ୍ଛେଦ, ପ୍ରକୃତ କୃଷକ ହାତକୁ ଜମି ଦେବା ସହିତ ଅତ୍ୟଧିକ ଖଜଣା ବିରୋଧରେ ସ୍ବର ଉତ୍ତୋଳନ କରୁଥିଲା, ଛାତ୍ର ସଂଗଠନ ସେମିତି ମାଗଣା ଶିକ୍ଷା, ବିଦ୍ୟାଳୟ ସ୍ଥାପନ, ଛାତ୍ରାବାସ ତିଆରିର ଦାବି ଉଠାଇ ଆନ୍ଦୋଳନ କରୁଥିଲା। ସମାନ ଭାବେ ଫାସିବାଦ ତଥା ସାମ୍ରାଜ୍ୟବାଦକୁ ବିରୋଧ କରିବା ସହିତ ତତ୍କାଳୀନ ସମାଜରେ ଥିବା ଅନ୍ଧବିଶ୍ୱାସ, କୁସଂସ୍କାର ଓ କୁତ୍ସିତ ଜାତିପ୍ରଥା ବିରୋଧରେ ଜନଜାଗରଣ ସୃଷ୍ଟିକରିବା ଥିଲା ଲେଖକ ସଂଗଠନର କାମ। ପରବର୍ତ୍ତୀ ସମୟରେ ଭାରତୀୟ ଜାତୀୟ କଂଗ୍ରେସ ସହିତ ହାତ ମିଳାଇ ଏହି ସମସ୍ତ ଗଣସଂଗଠନ ସାଧୀନତା ଆନ୍ଦୋଳନକୁ ଆଗେଇ ନେବାରେ ସହାୟକ ହୋଇଥିଲେ ଏବଂ ଅନ୍ତିମ ଲକ୍ଷ୍ୟ ହାସଲରେ ମଧ୍ୟ ସଫଳତା ଅର୍ଜନ କରିଥିଲେ।
ସାଧୀନତା ପରେ ଭାରତୀୟ ଜାତୀୟ କଂଗ୍ରେସର ଆଭିମୁଖ୍ୟରେ ପରିବର୍ତ୍ତନ ଆସିଲା। ଏକ ରାଜନୈତିକ ଦଳ ଭାବରେ କଂଗ୍ରେସ ଉଭା ହେଲା। ନିର୍ବାଚନରେ ଅଂଶଗ୍ରହଣ କରି ଶାସନ କ୍ଷମତା ଅକ୍ତିଆର କଲା। ଗୋଟିଏ ଗଣସଂଗଠନ ରାଜନୀତିର ଖୋଳପା ଭିତରେ ଲୀନ ହୋଇଗଲା। ଅପରପକ୍ଷେ ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳ ଗଢ଼ା ହେଲା। ଏହାପରେ ଏହି ଦଳଗୁଡ଼ିକ ଆରମ୍ଭ କଲେ ଗଣଅଭିଯାନ। ଏଥିପାଇଁ ବିଭିନ୍ନ ଗଣସଂଗଠନ ଗଢ଼ିଲେ। ଛାତ୍ର, ଯୁବ, ମହିଳା, ଶିକ୍ଷକ, ଶ୍ରମିକ, କୃଷକ, ଓକିଲ, ଲେଖକ ସଂଗଠନ ଦଳୀୟ ଭିତ୍ତିରେ ଗଢ଼ିଉଠିଲା। ଏପରିକି ଏହିସବୁ ସଂଗଠନଗୁଡ଼ିକ ଚାଲିବା ପାଇଁ ଯେଉଁ ଅର୍ଥର ଆବଶ୍ୟକତା ପଡ଼ିଲା ତାହା ମଧ୍ୟ ରାଜନୈତିକ ଦଳଗୁଡ଼ିକ ଯୋଗାଇଲେ। ଫଳରେ ଗଣସଂଗଠନର ସ୍ବାଧୀନ ବିଚାରବୋଧ, କାର୍ଯ୍ୟଧାରା ଉପରେ ଲଗାମ ଲାଗିଗଲା। ଗଣର ସାର୍ଥ ଅପେକ୍ଷା ଦଳର ସାର୍ଥକୁ ଏହି ସଂଗଠନଗୁଡ଼ିକ ଅଧିକ ଗୁରୁତ୍ୱ ଦେଲେ। ବିଭିନ୍ନ ଘଟଣାବଳୀ କିମ୍ବା ଇସ୍ୟୁ ଉପରେ ଦଳର ମତ ହିଁ ପ୍ରତିଫଳିତ ହେଲା। ସମ୍ପ୍ରତି ଅଧିକାଂଶ ଗଣସଂଗଠନ ରାଜନୈତିକ ଦଳର ପୃଷ୍ଠପୋଷକତାରେ ପରିଚାଳିତ।
ଶାସକ ଶ୍ରେଣୀର ଜନବିରୋଧୀ ନୀତି ଯୋଗୁ ଜନତା ଯେଉଁ କ୍ଷତି ସହନ୍ତି ଅଥବା ଶୋଷଣର ଶିକାର ହୁଅନ୍ତି ତା’ ବିରୋଧରେ ପ୍ରତିବାଦ କରିବା ଗଣସଂଗଠନର କାମ। ସାଧୀନତା ପୂର୍ବରୁ ଯେଉଁସବୁ ଗଣସଂଗଠନ ଦେଶରେ ଗଢ଼ି ଉଠିଥିଲା ସେମାନେ ଏହି ଧାରାରେ କାର୍ଯ୍ୟ କରୁଥିଲେ ଏବଂ ଲୋକଙ୍କୁ ସଚେତନ କରାଉଥିଲେ। ଯେମିତି କାରଖାନାର ମାଲିକ ଶ୍ରମିକ ଶୋଷଣ ନୀତି ଆପଣେଇଲେ ଶ୍ରମିକ ସଂଗଠନଗୁଡ଼ିକ ପ୍ରତିବାଦ କରୁଥିଲେ। କୃଷକର ବିକାଶ ତଥା କୃଷି ବ୍ୟବସ୍ଥାର ଉନ୍ନତି ପାଇଁ କୃଷକ ସଂଗଠନଗୁଡ଼ିକ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଥିଲେ । ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ ପାଇଁ ଶିକ୍ଷକ ସଂଗଠନ ଓ ଶିକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟିବିଚ୍ୟୁତି ବିରୋଧରେ ଛାତ୍ରସଂଗଠନଗୁଡ଼ିକ ରାଜରାସ୍ତାକୁ ଆସୁଥିଲେ। ଆଇନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଓକିଲ ସଂଘ ଲଢ଼େଇ କରୁଥିଲେ। ଫଳରେ ସରକାର ସଚେତନ ହେଉଥିଲେ ଓ ଜନ ବିରୋଧୀ ନୀତି ଆପଣେଇବାକୁ ଦୁଃସାହସ କରୁ ନ ଥିଲେ। କିନ୍ତୁ ଅଧୁନା ଏସବୁଥିରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଯେଉଁ ରାଜନୈତିକ ଦଳଟି ଶାସନ କ୍ଷମତାରେ ରହୁଛି ସେହି ଦଳର ଛତ୍ରଛାୟା ତଳେ ଗଢ଼ି ଉଠିଥିବା ଗଣ ସଂଗଠନଗୁଡ଼ିକ ସରକାରଙ୍କର ସବୁ କାମକୁ ଆଖି ବୁଜି ସମର୍ଥନ କରୁଛନ୍ତି। ଆଉ ଯେଉଁ ଗଣସଂଗଠନଗୁଡ଼ିକ ବିଭିନ୍ନ ଦାବି ଉପରେ ଆନ୍ଦୋଳନ କରୁଛନ୍ତି ସେମାନଙ୍କୁ ସରକାର ବିରୋଧୀ ବୋଲି ଚିତ୍ରଣ କରାଯାଉଛି। ଆନ୍ଦୋଳନଜୀବୀ କହି ତୀବ୍ର ସମାଲୋଚନା କରାଯାଉଛି। ଏହାର ଜ୍ୱଳନ୍ତ ଉଦାହରଣ ବିଗତ କୃଷକ ଆନ୍ଦୋଳନ।
ଆଉ କିଛି ରୋଚକ ଘଟଣା ମଧ୍ୟ ଦେଖିବାକୁ ମିଳୁଛି। ଅନେକ ଗଣସଂଗଠନଙ୍କର ନେତୃତ୍ୱରେ ଅଥବା ଉପଦେଷ୍ଟା ମଣ୍ଡଳୀରେ ଶାସକଦଳର ନେତାମାନଙ୍କୁ ନିଆଯାଇଛି। ଏହିସବୁ ସଂଗଠନ ଯେତେବେଳେ ଆନ୍ଦୋଳନ ଡାକରା ଦିଅନ୍ତି ଏହାର ପୁରୋଧା ସାଜିଥିବା ତଥାକଥିତ ନେତାମାନେ ମଧ୍ୟସ୍ଥ ସାଜି ସମସ୍ୟା ସମାଧାନର ପନ୍ଥା ବାହାର କରନ୍ତି ଓ ପ୍ରତିଶ୍ରୁତି ମାଧ୍ୟମରେ ଆନ୍ଦୋଳନକୁ ସ୍ଥଗିତ ରଖିବାରେ ସଫଳ ନାୟକ ସାଜନ୍ତି। ନୀତିଗତ ନିଷ୍ପତ୍ତିି ଉପରେ ଏହି ଗଣସଂଗଠନଗୁଡ଼ିକ ମୁହଁ ଖୋଲିବା ଶୁଣାଯାଏ ନାହିଁ। ଦରବୃଦ୍ଧି, ବେକାରି ସମସ୍ୟା, କୃଷିଜାତ ସାମଗ୍ରୀର ସହାୟକ ମୂଲ୍ୟ ନିର୍ଦ୍ଧାରଣ, ସାର୍ବଜନୀନ ସରକାରୀ ଶିକ୍ଷାର ପ୍ରସାର, ଶିକ୍ଷାରେ ବ୍ୟୟବୃଦ୍ଧି ଆଦି ପ୍ରସଙ୍ଗକୁ ନେଇ ଏମାନେ କେବେ ଆନ୍ଦୋଳନ କରିବା ଦେଖାଯାଏ ନାହିଁ।
ଆଜିର ଦିନରେ କେତେ ଯେ ଗଣସଂଗଠନ ଅଛି ତା’ର ହିସାବ ରଖିବା ଅସମ୍ଭବ। ଯେତେ ରାଜନୈତିକ ଦଳ ଅଛି ପ୍ରତି ବର୍ଗ ପାଇଁ ସେତିକି ଗଣସଂଗଠନ ନୁହେଁ,ତା’ଠାରୁ ଢେର ବେଶି ଗଣସଂଗଠନ ଗଢ଼ିଉଠିଛି। ଏପରିକି ଗୋଟିଏ ରାଜନୈତିକ ଦଳକୁ ସମର୍ଥନ କରି ଏକାଧିକ ସଂଗଠନ ହୋଇଛି, ତାହା ପୁଣି ଏକ ନିର୍ଦ୍ଦିଷ୍ଟ ଶ୍ରେଣୀ ଭିତରେ। ସେମାନଙ୍କ ଭିତରେ ମତପାର୍ଥକ୍ୟ ରହୁଛି । ବିଶେଷକରି ପ୍ରତ୍ୟେକ ସଂଗଠିତ କ୍ଷେତ୍ରରେ ଛତୁଫୁଟିବା ପରି ସଂଗଠନ ଜନ୍ମନେଉଛି। ଏହାର ପ୍ରମାଣ ମିଳିଯିବ ଯଦି ଆମେ ବିଧାନସଭା ଚାଲୁଥିବା ସମୟରେ ରାଜଧାନୀ ଆଡ଼େ ଘେରାଏ ବୁଲିଆସିବା। ଗାନ୍ଧୀମାର୍ଗର ଉଭୟ ପାର୍ଶ୍ୱରେ ଧାରଣାରେ ବସିଥିବା ସଂଗଠନଗୁଡ଼ିକୁ ଦେଖିଲେ କଟକ ବାଲିଯାତ୍ରାର ଭ୍ରମ ସୃଷ୍ଟିହୁଏ। ଏହାବାଦ ପ୍ରତିଦିନ ଡଜନ ଡଜନ ସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆସନ୍ତି। ପୁଣି ଏମାନଙ୍କ ମଧ୍ୟରେ ସର୍ବାଧିକସଂଖ୍ୟକ ହେଉଛନ୍ତି ଶିକ୍ଷକ ସଂଗଠନ। ଏଥିରୁ ସ୍ପଷ୍ଟ କୁହାଯାଇପାରେ ସଂଗଠନ ଆଉ ସଂଗଠିତ କରୁନାହିଁ ବରଂ ବିଭାଜିତ କରୁଛି। ଛାତ୍ର, ଯୁବ, କୃଷକ, ଶ୍ରମିକ, ଶିକ୍ଷକ, କର୍ମଚାରୀ, ଓକିଲ ସମସ୍ତଙ୍କ ଭିତରେ ଅସଂଖ୍ୟ ସଂଗଠନ। ଅଧିକାଂଶ ରାଜନୈତିକ ଚାପର ବଶବର୍ତ୍ତୀ, ଯଦ୍ଦ୍ବାରା ଏକତା ବ୍ୟାହତ ହେଉଛି। ଏହା ଶାସକ ଶ୍ରେଣୀକୁ ସୁହାଉଛି।
ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଗଣସଂଗଠନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅଧିକାର ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହିତ ଅନ୍ୟାୟ ଅତ୍ୟାଚାର ଅନୀତି ବିରୋଧରେ ଐକ୍ୟବଦ୍ଧ ସ୍ବର ଉତ୍ତୋଳନ କରିବା ପ୍ରତ୍ୟେକ ଗଣସଂଗଠନର ଅନ୍ତଃସ୍ବର ହେବା ଆବଶ୍ୟକ। ଏହା ସମ୍ଭବ ହେବ ସେତିକିବେଳେ ଯେତେବେଳେ ଗଣସଂଗଠନକୁ ନେତୃତ୍ୱ ଦେଉଥିବା ବ୍ୟକ୍ତିମାନେ ରାଜନୈତିକ ଚେତନାରେ ପରିପୁଷ୍ଟ ହୋଇଥିବେ, ମାତ୍ର ରାଜନୈତିକ ଚାପରୁ ମୁକ୍ତ ଥିବେ।

ସଭାପତି(ଓଷ୍ଟା)
ମୋ-୭୦୦୮୦୭୩୫୯୯


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?