ପର ହେଲେ ପୋଲିଓ ଆକ୍ରାନ୍ତ ଶିଶୁ

ଢେଙ୍କାନାଳ ଅଫିସ୍‌, ୯ା୪: ସନ୍ତାନ ଉପରକୁ ସାମାନ୍ୟ ବିପଦ ଆସିଲେ ଛାତି ଦେଖାଇ ଛିଡ଼ା ହୁଅନ୍ତି ମା’ବାପା। ମା’ର ପଣତକାନି ତଳେ ନିଜକୁ ବେଶ୍‌ ସୁରକ୍ଷିତ ମଣେ ଶିଶୁ। ବାପାଙ୍କ ଅନୁଶାସନରେ ବଡ଼ ହୁଏ। ହେଲେ ଜଣେ ମାନସିକ ଅନଗ୍ରସର ପୋଲିଓ ଆକ୍ରାନ୍ତ ଦିବ୍ୟାଙ୍ଗ ଶିଶୁପୁତ୍ରଙ୍କୁ ପର କରିଦେଇଛି ପରିବାର। ଡହଡ଼ହ ଖରାରେ ଜିଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ରାହା ଧରି କାନ୍ଦୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତାରେ ଅବୋଧ ଶିଶୁକୁ ଉଦ୍ଧାର କରିଛନ୍ତି ପ୍ରଶାସନିକ ଅଧିକାରୀ। ଢେଙ୍କାନାଳ ସହରରେ ଶୁକ୍ରବାର ଘଟିଥିବା ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା।
ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା। ଜିଲା କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଥିଲା ହୃଦୟ ବିଦାରକ ଦୃଶ୍ୟ। ଅଫିସ୍‌ ବାରଣ୍ଡାରେ ଅସହାୟ ଅବସ୍ଥାରେ ପଡ଼ିରହିଥିଲେ ଜଣେ କୋମଳମତି ଶିଶୁ। ରାହା ଧରି କାନ୍ଦୁଥିଲେ ବି ଛିଡ଼ା ହୋଇପାରୁ ନ ଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଏବଂ ସେଠାରେ ଉପସ୍ଥିତ କେତେଜଣ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚତ୍ ଶିଶୁକୁ ଉଦ୍ଧାର କରିଥିଲେ। ଦୀର୍ଘ ସମୟ ଯାଏ ଛୁଆକୁ ନେବାକୁ କେହି ନ ଆସିବାରୁ ତାଙ୍କୁ କେହି ଛାଡ଼ି ଚାଲିଯାଇଥିବା ସ୍ପଷ୍ଟ ହୋଇଥିଲା।
ଶିଶୁଟିର ଆନୁମାନିକ ବୟସ ୩ରୁ ୪ବର୍ଷ ମଧ୍ୟରେ ହେବ। ପୋଲିଓ ଆକ୍ରାନ୍ତ କାରଣରୁ ତାଙ୍କ ଦୁଇ ଗୋଡ଼ ଅଚଳ। ସେ ଚାଲିପାରୁନାହାନ୍ତି। ମାନସିକ ଅବସ୍ଥା ମଧ୍ୟ ଠିକ୍‌ ନାହିଁ। କେହି ଜଣେ କୌଶଳକ୍ରମେ ଜିଲା କାର୍ଯ୍ୟାଳୟ ବାରଣ୍ଡାରେ ଶିଶୁକୁ ଶୁଆଇଦେଇ ଛୁ’ ମାରିଛନ୍ତି। ଘଟଣାସ୍ଥଳରୁ ଏକ ବ୍ୟାଗ୍‌ ମିଳିଛି। ସେଥିରେ କିଛି କାଗଜପତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ଅଛି। ଜିଲାପାଳ ସରୋଜ କୁମାର ସେଠୀଙ୍କ ନିର୍ଦ୍ଦେଶରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ ଖୁଣ୍ଟିଆ ପ୍ରମୁଖ ପହଞ୍ଚତ୍ ଶିଶୁକୁ ହେପାଜତକୁ ନେଇଛନ୍ତି। ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯିବା ପରେ ତାକୁ ସଦର ବ୍ଲକ ଗୋବିନ୍ଦପୁରସ୍ଥିତ ଜୀବନଜ୍ୟୋତି ଶିଶୁଗୃହରେ ରଖାଯାଇଛି। ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଛି। ଅନ୍ୟପଟେ ସମ୍ପୃକ୍ତ ଶିଶୁ ଜଣକ ସିମିନଈ ଅଞ୍ଚଳର ବୋଲି ବ୍ୟାଗ୍‌ରୁ ଉଦ୍ଧାର କାଗଜପତ୍ରରୁ ସୂଚନା ମିଳିଛି। ସେହିପରି ତାଙ୍କ ମା’ବାପା ସଦର ବ୍ଲକ କଙ୍କଡ଼ାହାଡ଼ ଅଞ୍ଚଳର ଏକ କାଜୁ ଫ୍ୟାକ୍ଟ୍ରିରେ କାମ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିବା ପରେ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଶିଶୁଟିର ମା’ବାପା କିଏ ତାହାର ତଦନ୍ତ କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି।