ବାସୁଦେବପୁର,୧୩।୧୧(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲାର ବାସୁଦେବପୁର, ଧାମରା ରାସ୍ତାର ବିରସ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୁରୁବାର ବିଲମ୍ବିତ ରାତିରେ ପୋଲିସ ଗାଡ଼ି ଦୁର୍ଘଟଣା ହୋଇଥିବା ବେଳେ ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଅନ୍ୟପଟେ ୩ ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ବାସୁଦେବପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ପୁରୀ ଜିଲାର ଅସ୍ତରଙ୍ଗ ଥାନାରୁ ପୋଲିସ ଗାଡିରେ ବାସୁଦେବପୁର ରାଜଘରପୋଖାରୀ ଅଞ୍ଚଳକୁ ଏକ ତଦନ୍ତ ପାଇଁ ଆସିଥିଲେ । ଏହି ସମୟରେ ପୋଲିସ ଗାଡିଟି ଦ୍ରୁତ ଗତିରେ ଆସି ଏକ ଲୁହା ବୋଝେଇ ଟ୍ରଲରକୁ ସାମ୍ନାରୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, ପୋଲିସ ଗାଡିରେ ଥିବା କର୍ମଚାରୀ ପ୍ରଶାନ୍ତ ବେଗଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ତିନିଜଣ ପୋଲିସ କର୍ମଚାରୀ ହିମାଂଶୁ ରାୟ, ଦିବ୍ୟ ରଞ୍ଜନ ସାହୁ, ପ୍ରଶାନ୍ତ ଜେନା ଗୁରୁତର ଆହତ ହୋଇଛନ୍ତି ।
ବାସୁଦେବପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଆହତଙ୍କୁ ଭଦ୍ରକ ପଠାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ବାସୁଦେବପୁର ଡାକ୍ତରଖାନାର ଡାକ୍ତର ସୂଚନା ଦେଇଛନ୍ତି । ଦୁର୍ଘଟଣା ଘଟିବା ପରେ ସ୍ତାନୀୟ ଲୋକ ଓ ଅଗ୍ନିଶମ ବିଭାଗ ତରଫରୁ ସେମାନଙ୍କୁ ଉଦ୍ଧାର କରାଯାଇ ବାସୁଦେବପୁର ଡାକ୍ତର ଖାନାକୁ ଅଣାଯାଇଥିଲା । ଖବରପାଇ ବାସୁଦେବପୁର ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।