ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ ବଡ଼ ସଫଳତା ମିଳିଛି। ମାମଲାର ୨୪ ଘଣ୍ଟା ନ ପୁରୁଣୁ ମାମଲାର ମୁଖ୍ୟ ଅଭିଯୁକ୍ତ ଗଣେଶ ଦାସଙ୍କୁ ପୋଲିସ ଗିରଫ କରିଥିବା ବେଳେ ୪୮ ଘଣ୍ଟା ମଧ୍ୟରେ ୧୭ଜଣଙ୍କୁ ମିଶାଇ ମୋଟ ୧୮ଜଣ ଅଭିଯୁକ୍ତଙ୍କୁ କୃଷ୍ଣପ୍ରସାଦ ଥାନା ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଖୋର୍ଦ୍ଧା ଜିଲା ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରପୁଟ ଗ୍ରାମର ବୋଲି ଜଣାପଡିଛି।

ଅନ୍ୟପକ୍ଷେ ୪୮ ଘଣ୍ଟା ମଧ୍ୟରେ କୃଷ୍ଣପ୍ରସାଦ ଥାନା ଆରକ୍ଷୀ ନିରୀକ୍ଷକ ବିଚିତ୍ରାନନ୍ଦ ପ୍ରଧାନ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପ୍ରଶଂସା ସାଉଁଟିଛନ୍ତି। ଅଭିଯୁକ୍ତଙ୍କଠାରୁ ୩ଟି ବୋଟ ଓ ହତ୍ୟାକାଣ୍ଡରେ ବ୍ୟବହୃତ କାଠ ଫାଳିଆକୁ ପୋଲିସ ଜବତ କରିଛି।

ଗତ ୧୧ ତାରିଖରେ କୃଷ୍ଣପ୍ରସାଦ ଅଞ୍ଚଳ ଚିଲିକା ହ୍ରଦରେ ଚିଙ୍ଗୁଡି ଓ ମାଛ ଚୋରି କରୁଥିବା ବେଳେ ଅଭିଯୁକ୍ତମାନେ ସ୍ଥାନୀୟ ଲୋକଙ୍କ ବିରୋଧର ଶିକାର ହୋଇଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ବଚସା ଓ ହାତାହାତି ହୋଇଥିଲା। ଏହି ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିଲା।
ଘଟଣା ପରେ କୃଷ୍ଣପ୍ରସାଦ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ପୁରୀ ଏସ୍‌ପି ପ୍ରତୀକ ସିଂ କହିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ସେ କହିଛନ୍ତି।

ଅମିଯୁକ୍ତଠାରୁ ଚିଙ୍ଗୁଡି ଚୋରି ପାଇଁ ବ୍ୟବହୃତ ୩ଟି ବୋଟ ଏବଂ ହତ୍ୟାରେ ବ୍ୟବହୃତ କାଠ ଫାଳିଆ ଜବତ କରାଯାଇଛି। ଏସ୍‌ପି ଆହୁରି କହିଛନ୍ତି, ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ସମ୍ପୃକ୍ତି ସମ୍ପର୍କରେ ଆହୁରି ପଚରାଉଚରା କରାଯିବ। ଚିଲିକାରେ ଚାଲିଥିବା ଅବୈଧ ମାଛ ଓ ଚିଙ୍ଗୁଡି ଚୋରି ଉପରେ କଡ଼ା ନଜର ରଖାଯାଇଛି ଏବଂ ଏଥିରେ ସମ୍ପୃକ୍ତ ଅନ୍ୟ କୌଣସି ଲୋକ ଥିଲେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଘଟଣା ପରେ ଚିଲିକା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଏବଂ ପୋଲିସ ପାଟ୍ରୋଲିଂ ବୃଦ୍ଧି କରାଯାଇଛି।

Share