ଦିଗପହଣ୍ଡି,୧୩ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଶୁକ୍ରବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବେଗୁନିଆପଡ଼ା ଥାନା ନୂଆଗଡ଼ ସୁମଣ୍ଡଳ ଗ୍ରାମର ବାବୁ ନାୟକ(୨୫)ଙ୍କୁ ବ୍ରହ୍ମପୁର ଜିଲା ଦୌରା ଜଜ୍ କୋର୍ଟକୁ ଚାଲାଣ କରିଛନ୍ତି। କେସ୍ ନଂ ନଂ.୩୬୩/୨୬ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଗୁରୁବାର ଅପରାହ୍ନରେ ପାଟପୁର ଥାନା ଏସ୍ଆଇ ତ୍ରିନାଥ ଭୋଇ, ଏଏସ୍ଆଇ କୃଷ୍ଣଚନ୍ଦ୍ର ଦାସ ଏବଂ ପୋଡ଼ାମାରି ଫାଣ୍ଡି ଅଧିକାରୀ ପ୍ରଭାତ କୁମାର ବାଲିକାନା ସଦଳବଳେ ତପ୍ତପାଣି, ଟି.ଗୋବିନ୍ଦପୁର, ପୋଡ଼ାମାରି ଇଲାକାରେ ସାନ୍ଧ୍ୟକାଳୀନ ପାଟ୍ରୋଲିଂ କରିବା ସହ ରାସ୍ତାରେ ଯା’ ଆସ କରୁଥିବା ଗାଡ଼ିମୋଟର ଖାନ ତଲାସ କରି ଯାଞ୍ଚ କରୁଥିବା ବେଳେ ଗଜପତି ଜିଲା ମୋହନାରୁ ବ୍ରହ୍ମପୁର ଅଭିମୁଖେ ଦ୍ରୁତଗତିରେ ଆସୁଥିବା ଏକ କଳା ରଙ୍ଗର ହୋଣ୍ଡା କାର୍ (ନଂ. ଓଡି୦୨ ଜି -୩୪୪୪)ଟିକୁ ଅଟକାଇ ସାକ୍ଷ୍ୟମାନଙ୍କ ଉପସ୍ଥିତିରେ ଖାନ୍ ତଲାସି କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ପରେ ଦିଗପହଣ୍ଡି ଅତିରିକ୍ତ ତହସିଲଦାର ତଥା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଆଶିଷ କୁମାର ନାୟକଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ କରାଯାଇ ଓଜନ କରିବାରୁ ତାହା ୪୫ କେଜି ୨ ଶହ ଗ୍ରାମ ହୋଇଥିଲା। ଏନେଇ ଥାନା ଏସ୍ଆଇ ତ୍ରିନାଥ ଭୋଇ ଏତଲା ଦେବା ପରେ ଭାରପ୍ରାପ୍ତ ଆଇଆଇସି ତଥା ଏସ୍.ଆଇ ଶ୍ରୀନିବାସ ଦାସ ଅଭିଯୁକ୍ତଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏସ୍ଆଇ ଏସ୍କେ. ଇମାଦାର ତରଫଦାର ଅଭିଯୁକ୍ତଙ୍କୁ ଗିରଫ କରିବା ସହ କାର ଓ ଗଞ୍ଜେଇକୁ ଜବତ କରିଥିଲେ।
ସୂଚନା ପ୍ରକାରେ ରୀତିମତ ଗଜପତି ଜିଲାର ବିଭିନ୍ନ ଗ୍ରାମାଞ୍ଚଳରୁ ଗଞ୍ଜେଇ ବ୍ରହ୍ମପୁର ସମେତ ପଡ଼ୋଶୀ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ଼ ଅଭିମୁଖେ ଚାଲାଣ ହେଉଛି। ପାଟପୁର ଥାନା ପକ୍ଷରୁ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇ ଗଞ୍ଜେଇ, ମଦ ଚୋରା ଚାଲାଣ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ପୋଲିସ ଅଧିକାରୀ ତ୍ରିନାଥ ଭୋଇ କହିଛନ୍ତି।