ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ ରା.ଉଦୟଗିରି ଏସଡ଼ିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଅଡ଼ବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡାଙ୍କ ସହ ପୋଲିସ ଟିମ୍ ଚଢ଼ାଉ କରିଥିଲା।
ଚଢାଉ ବେଳେ ଗୁଡ୍ରିପଙ୍କା ଗ୍ରାମ ନିକଟ ଜଙ୍ଗଲ ମଧ୍ୟରୁ ପ୍ଳାଷ୍ଟିକ ଡ୍ରମ୍ ଏବଂ ଟିଣ ବକ୍ସ ମଧ୍ୟରେ ୪୨ଟି ପ୍ଲାଷ୍ଟିକ ଜରି ଅଖାରେ ବାହାର ରାଜ୍ୟକୁ ଚାଲାଣ ପାଇଁ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିଲା। ଯାହାର ଓଜନ ୧୦୫୪ କିଲୋ ହୋଇଥିବା ବେଳେ ଆନୁମାନିକ ବଜାର ମୂଲ୍ୟ ୧କୋଟି ଟଙ୍କା ହେବ ବୋଲି ଏସ୍ଡିପିଓ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷେ ଘଟଣା ସ୍ଥଳରୁ ମାଫିଆମାନେ ଚମ୍ପଟ ମାରିଥିବା ବେଳେ କାହାରିଙ୍କୁ ଗିରଫ କରାଯାଇ ନାହିଁ। ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।
ଗତ କିଛି ଦିନ ଭିତରେ ଗଜପତି ପୋଲିସ ପ୍ରାୟ ୧୨ ଟନ୍ ଗଞ୍ଜେଇ ଜବତ କରି ସାରିଲାଣି। ତଥାପି ମାଫିଆମାନେ ନୂଆଁ ତରିକା ଆପଣାଇବାରେ ଲାଗିଛନ୍ତି।
ନୂଆଁ ତରିକାରେ ଘର, ବାରି ବଗିଚାରେ ଗଞ୍ଜେଇ ନ ରଖି ପୋଲିସକୁ ଭୁଆଁ ବୁଲାଇବା ପାଇଁ ସଂରକ୍ଷିତ ଜଙ୍ଗଲର ପାହାଡ଼ କୋରଡ଼ ଓ ଗୁମ୍ଫାରେ ଜରିପାଲ ଘୋଡ଼ାଇ ଗଞ୍ଜେଇ ରଖି ଚୋରାଚାଲାଣ ପାଇଁ ଯୋଜନା ଆପଣାଇଛନ୍ତି। ଗଞ୍ଜେଇ ଚୋରା ଚାଲାଣରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଧରିବା ନେଇ ତଦନ୍ତ ଜାରି ରହିଥିବା ଏସଡ଼ିପିଓ ସାହୁ କହିଛନ୍ତି।

