ଦାରିଙ୍ଗବାଡ଼ି,୩୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଏବେ ଆକ୍ସନ ମୋଡ୍ରେ ରହିଛି। ଗୋଟିଏ ଦିନରେ ରବିବାର ୧୨ଟି ଯାତ୍ରୀବାହୀ ଅଟୋ ଉପରେ ନେଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ।
ପ୍ରକାଶ ଯେ, ଦାରିଙ୍ଗବାଡ଼ି ଆଇଆଇଆସି ସଂଗ୍ରାମ କେଶରୀ ଜେନା କହିଛନ୍ତି, ଗତ କିଛି ଦିନ ହେଲା ପୋଲିସ ପକ୍ଷରୁ ଦାରିଙ୍ଗବାଡ଼ିର ବିଭିନ୍ନ ଜନଗହଳି ସ୍ଥାନରେ ବ୍ଲକିଂ କରି ଗାଡ଼ିମୋଟର ଯାଞ୍ଚ କରାଯାଉଛି। ଏହି କ୍ରମରେ ରବିବାର ଇନ୍ସ୍ୟୁରାନ୍ସ ଓ ଅନ୍ୟାନ୍ୟ ଗାଡ଼ି କାଗଜପତ୍ର ନ ଥିବାରୁ ୧୨ଟି ଅଟୋକୁ ଜବତ କରାଯାଇଛି। ଅନେକ ସମୟରେ ଦୁର୍ଘଟଣା ଘଟିଲେ ଇନ୍ସ୍ୟୁରାନ୍ସ ନ ଥିଲେ ଦୁର୍ଘଟଣାର ଶିକାର ଲୋକମାନେ ଇନ୍ସ୍ୟୁରାନ୍ସ ବାବଦକୁ ଅର୍ଥ ପାଇବା ମୁସ୍କିଲ ହେଉଛି। ତେଣୁ ପୋଲିସ ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଆଇଆଇଆସି କହିଛନ୍ତି।
ସେହିପରି ଜଣେ ବାଇକ ଚାଳକ ନିଜ ବାଇକର ସାଇଲେନ୍ସରକୁ ମୋଡିଫାଏ କରିଥିବାରୁ ବାଇକକୁ ଜବତ କରାଯାଇଥିବା ସେ କହିଛନ୍ତି। ପୋଲିସ ପକ୍ଷରୁ ଗାଡ଼ିମୋଟର ଯାଞ୍ଚକୁ କଡ଼ାକଡ଼ି କରି ବାଇକ୍ରେ ୨ରୁ ଅଧିକ ଯାତ୍ରୀ ଯାତ୍ରା କଲେ ବାଇକକୁ ଜବତ କରାଯାଉଥିବା ଓ ମାମଲା ରୁଜୁ କରାଯାଇଥିବା କୁହାଯାଇଛି। ହେଲମେଟ୍, ସିଟ୍ବେଲ୍ଟ, ଇନ୍ସ୍ୟୁରାନ୍ସ, ପଲ୍ୟୁସନ, ଅଧିକ ଯାତ୍ରୀ ପରିବହନ ଆଦିକୁ ପୋଲିସ କଡ଼ାକଡ଼ି ଭାବେ ଯାଞ୍ଚ କରୁଥିବା ପୋଲିସ ପକ୍ଷରୁ କୁହାଯିବା ସହ ଲୋକଙ୍କୁ ସଚେତନ କରି ଗାଡ଼ି କାଗଜପତ୍ର ଇନ୍ସ୍ୟୁରାନ୍ସ ଆଦିକୁ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି।