ପୋଲିସ ଫେରାଇଲା ଚୋରି ମୋବାଇଲ୍‌

ଝାରସୁଗୁଡା ଅଫିସ୍‌,୧୨।୭: ମୋବାଇଲ୍‌ ଚୋରି ହୋଇଥିବା ଓ ହଜିଯାଇଥିବା ନେଇ ଝାରସୁଗୁଡ଼ା ଜିଲାର ବିଭିନ୍ନ ଥାନାରେ ସମୁଦାୟ ୪୧୩ ମାମଲା ରୁଜୁ ହୋଇଥିଲା । ଏନେଇ ଏସ୍‌ପି ରାହୁଲ ଜୈନଙ୍କ ନିର୍ଦ୍ଦେଶକ୍ରମେ ସାଇବର୍‌ ସେଲ୍‌ ଓ କେତେକ ପୋଲିସ୍‌ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା । ଏହି ପୋଲିସ୍‌ ଟିମ୍‌ ଗତ ଜୁନ୍‌ ୧୦ତାରିଖରୁ ତଦନ୍ତ ଆରମ୍ଭକରି ଚୋରି ଓ ହଜି ଯାଇଥିବା ମୋବାଇଲ୍‌ର ଆଇଏମ୍‌ଇଆଇ ନମ୍ବରକୁ ଟ୍ରାକ୍‌କରି ଠାବ କରିଥିଲା । ଏଥିମଧ୍ୟରେ ଦିଲ୍ଲୀ,ଛତିଶଗଡ,ଝାଡଖଣ୍ଡ,ମହାରାଷ୍ଟ୍ର ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ୍‌ ଚଢାଉକରି ସମୁଦାୟ ୨୦୧ମୋବାଇଲ୍‌ ଜବତ କରିଛି । ଏହିସବୁ ଜବତ ମୋବାଇଲ୍‌ର ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍‌ ସୂତ୍ରରୁ ଜଣାପଡିଛି । ଏହି ମାମଲାରେ ପୋଲିସ୍‌ ପୂର୍ବରୁ ୪ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲଣ କରିଛି । ଜିଲା ପୋଲିସ୍‌ର ଏହି ଅଭିଯାନ ଜାରି ରହିଥିବାବେଳେ ଆହୁରି ମୋବାଇଲ୍‌ ଉଦ୍ଧାର ହେବା ସହ କେତେକ ଅଭିଯୁକ୍ତଙ୍କୁ ଗିରଫ କରାଯିବବୋଲି ଏସ୍‌ପି ଜୈନ କହିଛନ୍ତି ା ଉଦ୍ଧାର ମୋବାଇଲକୁ ନେଇ ମଙ୍ଗଳବାର ଏସ୍‌ପିଙ୍କ କାର୍ଯ୍ୟାଳୟରେ ଏକ ମୋବାଇଲ୍‌ ବିତରଣ ମେଳା ଅନୁଷ୍ଠିତ ହୋଇଥିଲା ା ଏହି ମେଳାରେ ଲୋକେ ଉପସ୍ଥିତରହି ନିଜନିଜର ପ୍ରମାଣପତ୍ର ଦାଖଲ କରିବାପରେ ଏସ୍‌ପି ସେମାନଙ୍କୁ ମୋବାଇଲ୍‌ ପ୍ରଦାନ କରିଥିଲେ । ଦୀର୍ଘଦିନ ପରେ ଲୋକେ ନିଜନିଜର ମୋବାଇଲ୍‌ ପାଇବାପରେ ବିତରଣ ମେଳାରେ ଲୋକେ ଜିଲା ପୋଲିସ୍‌ର ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ।