ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଚଳାଯାଇ ବିଭିନ୍ନ ସ୍ଥାନରୁ ହଜିଯାଇଥିବା ମୋବାଇଲଗୁଡ଼ିକୁ ଉଦ୍ଧାର କରାଯାଇଛି। ସମୁଦାୟ ୧୧୪ଟି ମୋବାଇଲ ଜବତ କରାଯାଇଥିବାବେଳେ ଜିଲା ପୋଲିସ ମୁଖ୍ୟାଳୟ(ଡିପିଓ)ରେ ରବିବାର ଅନୁଷ୍ଠିତ ଏକ ‘ମୋବାଇଲ ହ୍ୟାଣ୍ଡଓଭର ମେଳା’ ମାଧ୍ୟମରେ ପୋଲିସ ସେଗୁଡ଼ିକୁ ମୋବାଇଲର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛି। ଡିପିଓରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ
ଆରକ୍ଷୀ ଅଧୀକ୍ଷକ(ଏଏସପି) ଅଜୟ କୁମାର ମିଶ୍ର ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହି ମୋବାଇଲଗୁଡ଼ିକ କୌଣସି ଚୋରି ମାମଲା ନୁହେଁ ବରଂ ବିଭିନ୍ନ ସମୟରେ ଲୋକଙ୍କ ଅସାବଧାନତା ଯୋଗୁ ହଜିଯାଇଥିଲା। ସେଥିପାଇଁ ଏହି ଘଟଣାରେ କୌଣସି ବ୍ୟକ୍ତିଙ୍କୁ ଗିରଫ କରାଯାଇନାହିଁ। ସାଇବର ପୋଲିସ ଷ୍ଟେଶନ ଏବଂ ବୈଷୟିକ ଟିମ୍ ସହାୟତାରେ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଅଭିଯୋଗକୁ ଆଧାର କରି ଏହି ସଫଳତା ମିଳିଛି।
ଜିଲାର ବିଭିନ୍ନ ଥାନା ଅଧୀନରେ ଥିବା ଅଞ୍ଚଳରୁ ଏହି ଫୋନଗୁଡ଼ିକ ଉଦ୍ଧାର କରାଯାଇଛି। ଏଥିମଧ୍ୟରେ ଅଇଁଠାପାଲି ଥାନାରୁ ସର୍ବାଧିକ ୨୫ଟି, ବୁର୍ଲା ଥାନାରୁ ୧୯ଟି, ଟାଉନ ଥାନାରୁ ୧୨ଟି, କୁଚିଣ୍ଡା ଥାନାରୁ ୮ଟି ଏବଂ ଧନୁପାଲି ଥାନାରୁ ୬ଟି ମୋବାଇଲ ସମେତ ଅନ୍ୟାନ୍ୟ ଥାନାରୁ ମଧ୍ୟ ଫୋନ୍ ଉଦ୍ଧାର ହୋଇଛି। ହଜିଯାଇଥିବା ଫୋନ୍ ଫେରି ପାଇବା ପରେ ମାଲିକମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ଏବଂ ସେମାନେ ସମ୍ବଲପୁର ପୋଲିସର ଏହି ନିରନ୍ତର ପ୍ରୟାସକୁ ପ୍ରଶଂସା କରିଛନ୍ତି। ତେବେ ଯଦି କୌଣସି ବ୍ୟକ୍ତିଙ୍କ ମୋବାଇଲ ହଜିଯାଏ, ତାହେଲେ ତୁରନ୍ତ ପୋର୍ଟାଲରେ ଅଭିଯୋଗ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ଯଦ୍ୱାରା ଠିକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।