ପରିବାର ଲୋକଙ୍କ ବୟାନ ରେକର୍ଡ କଲା ପୋଲିସ

ଭୁବନେଶ୍ୱର, ୧୬ା୧୨(ବ୍ୟୁରୋ):ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ କମିଶନରେଟ ପୋଲିସ ତଦନ୍ତ ଜାରି ରଖିଛି। ସୋମବାର ଆନନ୍ଦଙ୍କ ପିଲାଦିନର ସାଙ୍ଗ ତଥା ଆନ୍ତର୍ଜାତିକ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ବୁଧବାର ମୃତ ଆନନ୍ଦଙ୍କ ବାନ୍ଧବୀ ମନଜିତ୍‌ ଟେଟେଙ୍କ ବୟାନ ରେକର୍ଡ କରିଥିଲା ପୋଲିସ। ଏଭଳି ସ୍ଥିତିରେ ପୋଲିସ ଗୁରୁବାର ଆନନ୍ଦଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି। ପୂର୍ବାହ୍ନ ପ୍ରାୟ ୧୦ଟାରେ ଭୁବନେଶ୍ୱର ଡିସିପି ଅଫିସରେ ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋ, ମାଆ, ସ୍ତ୍ରୀ ଓ ବଡ଼ ଭାଇ ପହଞ୍ଚିଥିଲେ। ଏହି ମାମଲାରେ ପୋଲିସ ଟିମ୍‌ ସମସ୍ତଙ୍କୁ ପଚରାଉଚରା କରି ସିଆର୍‌ପିସି ୧୬୧ରେ ବୟାନ ରେକର୍ଡ କରିଥିଲା। ଏହାପରେ ଅପରାହ୍ନ ପ୍ରାୟ ୨ଟା ୩୦ରେ ସେମାନେ ଡିସିପି ଅଫିସରୁ ଚାଲିଯାଇଥିଲେ। ମୃତ ଆନନ୍ଦଙ୍କ ମା’ ଗଣମାଧ୍ୟମକୁ କହିଛନ୍ତି, ମୋ’ ଦୁଇପୁଅଙ୍କୁ ଯେଉଁ ଦୃଷ୍ଟିରେ ଦେଖୁଥିଲି ବୀରେନ୍ଦ୍ରଙ୍କୁ ମଧ୍ୟ ସେଭଳି ଦେଖୁଥିଲି। ଏହି ଘଟଣାରେ ବୀରେନ୍ଦ୍ର ଓ ମନ୍‌ଜିତଙ୍କ ଉପରେ ତାଙ୍କର ସନ୍ଦେହ ରହିଥିବା ସେ ପ୍ରକାଶ କରିଛନ୍ତି। ତେବେ ଆନନ୍ଦଙ୍କ ବ୍ୟବଚ୍ଛେଦ ରିପୋର୍ଟରୁ ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ଅଧିକ କିଛି ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ବିବାହର ମାତ୍ର ୧୦ ଦିନ ପରେ ଆନନ୍ଦ ଭୁବନେଶ୍ୱର ଆସି ଇନ୍‌ଫୋସିଟି ଅଞ୍ଚଳସ୍ଥିତ ଫ୍ଲାଟ୍‌ରେ ରହୁଥିଲେ। ଗତ ଫେବୃୟାରୀ ୨୮ ତାରିଖ ସକାଳ ୭ଟାରେ ସେ ରାଉରକେଲାରୁ ଫେରି ଉକ୍ତ ଫ୍ଲାଟ୍‌କୁ ଆସିଥିଲେ। ପୂର୍ବାହ୍ନ ୧୦ଟାରେ ଆନନ୍ଦଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ବାପାଙ୍କୁ ବୀରେନ୍ଦ୍ର ଜଣାଇଥିଲେ। ଏଥିସହ ଆନନ୍ଦଙ୍କୁ ସେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ତେବେ ଡାକ୍ତର ସେଠାରେ ଆନନ୍ଦଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ବୀରେନ୍ଦ୍ର ଓ ମନ୍‌ଜିତଙ୍କ ନାଁରେ ଆନନ୍ଦଙ୍କ ବାପା ହତ୍ୟା ଅଭିଯୋଗ ଆଣିଥିଲେ। ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ନଭେମ୍ବର ୨୪ରେ ପୋଲିସ ଏକ ହତ୍ୟା ମାମଲା (ନଂ. ୩୩୬/୨୦୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।