ପାଟଣା, ୨୯/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ ଭାଲିଆଡିହା ନାଳ କୂଳରେ ବେଆଇନ ଭାବେ ମହୁଲି ମଦ ପ୍ରସ୍ତୁତି ଚାଲିଥିବା ଖବର ପାଇ ରବିବାର ପାଟଣା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ବିପୁଳ ପରିମାଣର ମହୁଲ ପୋଚ ଓ ପ୍ରସ୍ତୁତ ମହୁଲି ମଦକୁ ନଷ୍ଟ କରାଯାଇଥିଲା। ଏଥିସହ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଓ ସରଞ୍ଜାମ ମଧ୍ୟ ନଷ୍ଟ କରାଯାଇଥିଲା।
ପୋଲିସର ଚଢ଼ାଉ ଦେଖି ମଦ ପ୍ରସ୍ତୁତ କରୁଥିବା ବ୍ୟକ୍ତିମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ଉକ୍ତ ସ୍ଥାନରେ ବେଆଇନ ଭାବେ ମହୁଲି ମଦ ପ୍ରସ୍ତୁତ କରାଯାଇ ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରାଯାଉଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଆସୁଥିଲା।
ଏହି ଚଢ଼ାଉରେ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ, ସାହାରପଡ଼ା ଫାଣ୍ଡି ଅଧିକାରୀ ରବୀନ୍ଦ୍ର ମୁଣ୍ଡାରୀଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ସାମିଲ ଥିଲେ।