ଦିଗପହଣ୍ଡି,୧୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଏହି ସମୟରେ ପୋଲିସକୁ ହତ୍ୟା ଉଦ୍ୟମ କରିଥିବା ବେଳେ କେ. ନୂଆଗାଁ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛନ୍ତି । ଅଭିଯୁକ୍ତମାନେ ହେଲେ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ତ୍ରିଲୋଚନ ସାହୁ ଓରଫ ଲଣ୍ଡା(୪୩),କାଳିଆ ସାହୁ ଓରଫ କାଳୁ(୪୦) ଏବଂ ଜରଡ଼ା ଥାନା ତିତି ଗାଁ ର ସନ୍ତୋଷ କୁମାର ସାହୁ(୪୫)।
ଥାନା ମାମଲା ନଂ.୧୭୭/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା -୧୧୨(୨)/୧୧୫(୨)/୨୨୧/୨୯୬/୧୦୯(୧)/୧୩୨/୩୫୧(୩)/୩(୫) ଏବଂ ୩ ଓପିଜି ଆକ୍ଟ ଅନୁଯାୟୀ ଜାମିନ ଖାରଜ ହେବାରୁ ଅଭିଯୁକ୍ତ ମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି । ମଙ୍ଗଳବାର ଅପରାହ୍ନ ପ୍ରାୟ ୩ ଟାରେ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟ କାଜୁ ତୋଟାରେ ଏକ ବଡ଼ ଧରଣର ଜୁଆଆଡ୍ଡା ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏନେଇ ଆଇଆଇସି ବିଶ୍ୱଜିତ ନାୟକ ବ୍ରହ୍ମପୁର ଏସ.ପି ଡ଼ା. ଶ୍ରବଣା ବିବେକ ଏମ. ଏବଂ ଚିକିଟି ଏସଡିପିଓ ବିଶ୍ଵାମିତ୍ର ହରପାଲଙ୍କୁ ଫୋନ ଯୋଗେ ଜଣାଇଥିଲେ । ଏସ.ପି ଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ଏବଂ ଏଏସଆଇ ସି.ତାରକେଶ୍ୱର ରାଓଙ୍କ ନେତୃତ୍ୱରେ ପୋଲିସ ଟିମ୍ ସନ୍ଧ୍ୟା ପ୍ରାୟ ୫ ଟାରେ ଘଟଣାସ୍ଥଳରେ ପହଞ୍ଚି ଜୁଆ ଆଡ୍ଡାରେ ଅତର୍କିତ ଚଢାଉ କରିଥିଲେ।
ପୋଲିସକୁ ଦେଖି ୧୦ରୁ ଉର୍ଦ୍ଧ୍ବ ଜୁଆଡି ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ। ସେଠାରେ ଜୁଆ ଖେଳୁଥିବା ତ୍ରିଲୋଚନ ସାହୁ, କାଳିଆ ସାହୁ ଏବଂ ସନ୍ତୋଷ ସାହୁଙ୍କୁ ପୋଲିସ କର୍ମଚାରୀମାନେ ଧରି ଦେବାରୁ ସେମାନେ ସଂଘବଦ୍ଧ ଭାବେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସେଠାରେ ଜୁଆ ଖେଳୁଥିବା ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର କାଳିଆ ଡାକୁଆ(୩୬) ଙ୍କୁ ଗିରଫ ପରେ ସେ ଦୋଷ ସ୍ବୀକାର କରିବାରୁ ତାଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ର ଧାରା – ୩୫(୩) ଅନୁଯାୟୀ ନୋଟିସ ଦେଇ କୋର୍ଟରେ ହାଜର ହେବାକୁ ସର୍ତ୍ତରେ ଛଡାଯାଇଥିବା ଜଣାପଡ଼ିଛି।