ନବୀନ ନିବାସ ସମ୍ମୁଖରୁ ଦମ୍ପତିଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ଯାଜପୁର ଜିଲା କୋରେଇ ଥାନାଧିକାରୀଙ୍କ ଦ୍ୱାରା ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇଥିବା ଏକ ଦଳିତ ପରିବାର ନ୍ୟାୟ ପାଇଁ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋମବାର ମଧ୍ୟାହ୍ନରେ ନିର୍ଯାତିତ ସ୍ବାମୀ ବଳରାମ ଜେନା ଓ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ। ପୋଲିସ ସେମାନଙ୍କୁ ନବୀନ ନିବାସ ନିକଟରୁ ଉଠାଇ ନେଇଥିବା ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ, କୋରେଇ ଥାନାଧିକାରୀଙ୍କୁ ଗିରଫ ଏବଂ ଯାଜପୁର ଏସ୍‌ପିଙ୍କ ବଦଳି ଦାବି ନେଇ ବଳରାମ ଓ ଗୀତାଞ୍ଜଳି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସଠାରେ ପହଞ୍ଚିଥିଲେ। ଦାବିପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଜଣେ ଅଧିକାରୀ ଗ୍ରହଣ କରିଥିଲେ। ହେଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ଅନୁରୋଧ କରିଥିଲେ। ହେଲେ ସେଠାରେ ନିୟୋଜିତ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଛାଡି ନ ଥିଲେ। ଏହି ଦମ୍ପତି ମୁଖ୍ୟମନ୍ତ୍ରୀଙ୍କୁ ନ ଭେଟିବା ପର୍ଯ୍ୟନ୍ତ ସ୍ଥାନ ଛାଡି ଯିବେ ନାହିଁ ବୋଲି ଜିଦ୍‌ ଧରି ସେଠାରେ ବସି ରହିଥିଲେ। ଏହି ଖବର ପାଇ ଏୟାରପୋର୍ଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଘୋଷାରି ଘୋଷାରି ଉଠାଇ ନେଇଥିଲା ବୋଲି ସେଠାରେ ଉପସ୍ଥିତ ସାମାଜିକ କର୍ମୀ ମନୋରଞ୍ଜନ ଜେନା କହିଛନ୍ତି। ଶେଷରେ ପୋଲିସ ଅପରାହ୍ନ ୨ଟାରେ ଉଭୟଙ୍କୁ ଛାଡି ଦେଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୦ ତାରିଖ ରାତିରେ ଟ୍ରାକ୍ଟର ଡ୍ରାଇଭର ବଳରାମ ଓ ତାଙ୍କ ସ୍ତ୍ରୀ ଗୀତାଞ୍ଜଳିଙ୍କୁ ଘରେ ପଶି କେତେଜଣ ବ୍ୟକ୍ତି ମାଡ଼ ମାରି କୋରେଇ ଥାନା ପୋଲିସ ଜିମା ଦେଇଥିଲେ। ଥାନାରେ ବିନା ଏତଲାରେ ବଳରାମଙ୍କୁ ୫ଦିନ ଅଟକ ରଖି ଥାନା ଅଧିକାରୀ ସିସି କ୍ୟାମେରା ବୁଲାଇ ତାଙ୍କୁ ପିଟିଥିଲେ। ଏ ନେଇ ସେପ୍ଟେମ୍ବର ୧୩ରେ ଯାଜପୁର ଏସ୍‌ପି ରାହୁଲ ପି.ଆର୍‌ଙ୍କୁ ଜଣାଇବା ପରେ ବଳରାମଙ୍କୁ ଛଡ଼ା ଯାଇଥିଲା। ମାତ୍ର ଅପହରଣକାରୀ ଓ ଥାନା ଅଧିକାରୀଙ୍କ ନାମରେ ଶାରୀରିକ ନିର୍ଯାତନା ମାମଲା ପାଇଁ ସେହି ମାସ ୨୫ରେ ଜିଲାପାଳ ଓ ଏସ୍‌ପିଙ୍କ ମିଳିତ ଜନଶୁଣାଣିରେ ଗୀତାଞ୍ଜଳି ଅଭିଯୋଗ କରିଥିଲେ। ଏହାପରେ ସେପ୍ଟେମ୍ବର ୨୭ରେ କୋରାଇ ଥାନାଧିକାରୀ ଶ୍ରବଣ କୁମାର ମହାରଣା ନିଜ ନାମରେ ନିଜେ ଥାନାରେ ଏକ ମାମଲା(ନଂ.୩୧୯/୨୨) ରୁଜୁ କରିଥିଲେ। ଇତିମଧ୍ୟରେ ଥାନାର ସିସିଟିଭି କ୍ୟାମେରାରେ ଥିବା ତଥ୍ୟକୁ ନଷ୍ଟ କରାଯାଇଛି ବୋଲି ନିର୍ଯାତିତ ପରିବାର ଅଭିଯୋଗ ଆଣିଛନ୍ତି। କୌଣସି ନ୍ୟାୟ ନ ମିଳିବାରୁ ଅକ୍ଟୋବର ୧୨ରେ ଡିଜିପି ଅଫିସ ଯାଇ ଆଇଜିଙ୍କୁ ସାକ୍ଷାତ କରି ସବୁକଥା ଜଣାଇଥିଲେ। ଏହାପରେ ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାତ୍ର ମୁଖ୍ୟ ଅଭିଯୁକ୍ତ ଥାନା ଅଧିକାରୀ ମହାରଣାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଏହାପରେ ଅକ୍ଟୋବର ୨୨ରେ ଆମ୍ବେଡ଼କର-ଲୋହିଆ ବିଚାର ମଞ୍ଚ ପକ୍ଷରୁ ଏସ୍‌ପି ଅଫିସକୁ ଘେରାଉ କରାଯାଇଥିଲା। ଶେଷରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ଆମ୍ବେଡ଼କର ଲୋହିଆ ବିଚାର ମଞ୍ଚର ରାଜ୍ୟ ନେତା ମନୋରଞ୍ଜନ ଜେନା, ଭୀମ୍‌ ସେନା, ରାଜ୍ୟ ଉପସଭାପତି ଆର୍ତ୍ତତ୍ରାଣ ମଲ୍ଲିକ, କ୍ଷୀରୋଦ ଦାସ, ଦୁଃଖୀନ ଜେନା, ସହଦେବ ଜେନା ପ୍ରମୁଖ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡିଜିପିଙ୍କୁ ରିପୋର୍ଟ ମଗାଯାଇଛି ବୋଲି ସୂଚନା ଦେଇଥିବା ପ୍ରକାଶ କରିଛନ୍ତି।