ଓଡ଼ିଶାରୁ ବାଇକ୍‌ ଉଠାଇ ପଶ୍ଚିମବଙ୍ଗରେ ବିକୁଥିବା ଗ୍ୟାଙ୍ଗକୁ ଧରିଲା ପୋଲିସ

ଭଦ୍ରକ ଅଫିସ, ୧୭।୨: ଭଦ୍ରକ ଟାଉନ ପୋଲିସ ଏକ ବାଇକ୍‌ ଚୋର ଗ୍ୟାଙ୍ଗକୁ କାବୁ କରିଛି। ବୁଧବାର ଗ୍ୟାଙ୍ଗର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।
ଦୁଇଦିନ ତଳେ ଗ୍ୟାଙ୍ଗର ଅନ୍ୟ ଜଣେ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଗ୍ୟାଙ୍ଗର ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ତାଙ୍କଠାରୁ ବିଭିନ୍ନ ଥାନା ଅଞ୍ଚଳରୁ ଚୋରି କରି ବିକ୍ରି କରିଥିବା ୧୧ ବାଇକ୍‌ ଜବତ କରିବାରେ ସକ୍ଷମ ହୋଇଛି। ବୁଧବାର ଟାଉନ ଥାନା ପରିସରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜତୀନ ପଣ୍ଡା ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରୁ ଏହି ଗ୍ୟାଙ୍ଗକୁ କାବୁ କରାଯାଇଛି। ଭଦ୍ରକ ସହରରେ ଏହି ଗ୍ୟାଙ୍ଗ ଦୀର୍ଘମାସ ଧରି ବାଇକ୍‌ ଚୋରି କରିଆସୁଥିଲେ। ଟାଉନ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଗ୍ୟାଙ୍ଗକୁ ଧରିବା ପାଇଁ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ଡେରା ପକାଇଥିଲା। ପୋଲିସ ପ୍ରଥମେ ଚାନ୍ଦବାଲି ଥାନା ଅଧୀନ ହରିପୁର ଗାଁର ଦିଲ୍ଲୀପ ଦାସଙ୍କୁ ପଶ୍ଚିମବଙ୍ଗ ସୀମାନ୍ତରୁ ଗିରଫ କରି ପଚରାଉଚୁରା କରିଥିଲା। ପରେ ଅନ୍ୟ ଦୁଇ ସହଯୋଗୀ ଚାନ୍ଦବାଲି ଅଞ୍ଚଳ ବଡ଼ହରିପୁର ଗାଁର ରାକେଶ ରାୟ ଓ ଧାମନଗର ପଳିକିରିର ଓମପ୍ରକାଶ ରାଉତଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ୩ ଜଣଙ୍କ ବୟାନକୁ ଭିତ୍ତିକରି ପୋଲିସ କଲିକତାରେ ବିକ୍ରି କରାଯାଇଥିବା ୫ ବାଇକ୍‌ ଓ ଚାନ୍ଦବାଲି ଅଞ୍ଚଳରୁ ୬ ବାଇକ୍‌ ଜବତ ହୋଇଛି। ଭଦ୍ରକ ସହରାଞ୍ଚଳ ମଠସାହିର ଅଶ୍ୱିନୀ କୁମାର ଦାସଙ୍କ ଏତଲା କ୍ରମେ ଏକ ମାମଲା (ନଂ.୬୭/୨୧) ରୁଜୁ କରି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଧିକାରୀ ଚନ୍ଦନ କୁମାର ଘଡ଼େଇ ସୂଚନା ଦେଇଛନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଅନ୍ୟ ଏକ ସ୍ବତନ୍ତ୍ର ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ପୋଲିସ କହିଛି।