ପୋଲିସ ଅଧିକାରୀଙ୍କ ପ୍ରତାରଣା: ଷ୍ଟାଫ୍‌ନର୍ସଙ୍କ ଆତ୍ମହତ୍ୟା

ଝାରସୁଗୁଡ଼ା ଅଫିସ,୫ା୫: ଖାକିରେ ପୁଣି ଲାଗିଛି କଳଙ୍କର ଦାଗ। ଝାରସୁଗୁଡ଼ା ଜିଲାର ଜଣେ ପୋଲିସ ଅଧିକାରୀଙ୍କ ପ୍ରତାରଣା ସହି ନ ପାରି ମହିଳା ଷ୍ଟାଫ୍‌ନର୍ସ ଆତ୍ମହତ୍ୟା କରିଛନ୍ତି। ଏ ନେଇ ବନହରପାଲି ଥାନା ପୋଲିସ ଏକ ମାମଲା(ନଂ.୫୪/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାର ୪ଦିନ ପରେ ପୋଲିସ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ବନହରପାଲି ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ଯୁଗଳ ସେଠ୍‌। ଏସ୍‌ପି ବିକାଶ ଚନ୍ଦ୍ର ଦାସ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।
ସମ୍ବଲପୁର ଜିଲା ମହୁଲପାଲି ତୁରେଇ ଗ୍ରାମର ଜଣେ ମହିଳା ପୂର୍ବରୁ ବିବାହ କରିଥିଲେ। ତାଙ୍କର ଏକ ଝିଅ ଓ ସ୍ବାମୀ ରହିଛନ୍ତି। ସେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟାଫ୍‌ନର୍ସ ଭାବେ କାର୍ଯ୍ୟ କରୁଥିଲେ। ଗତ କିଛିଦିନ ହେଲା ସେ ପରିବାରରୁ ଅଲଗା ହୋଇ ଝାରସୁଗୁଡ଼ା ବେହେରାମାଲରେ ଭଡ଼ାଘର ନେଇ ଏକାକୀ ରହୁଥିଲେ। ଏହାର ସୁଯୋଗ ନେଇ ପୋଲିସ ଅଧିକାରୀ ଯୁଗଳ ତାଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ କରି ଭଡାଘରେ ସ୍ବାମୀ, ସ୍ତ୍ରୀ ଭାବେ ରହୁଥିଲେ। ଗତ ଅକ୍ଟୋବର ମାସରେ ଉଭୟ ବିବାହ କରିଥିଲେ। ପୂର୍ବରୁ ଯୁଗଳ ବିବାହ କରିଛନ୍ତି। ଏଭଳି ସ୍ଥିତିରେ ସେ ମହିଳାଙ୍କୁ ନିଜ ଘରକୁ ନେଇଥିଲେ। ସେଠାରେ ଯୁଗଳଙ୍କ ପରିବାର ଲୋକେ ମହିଳାଙ୍କୁ ବନ୍ଦ କୋଠରିରେ ରଖି ନିର୍ଯାତନା ଦେଇଥିଲେ। ଏହା ଅସହ୍ୟ ହେବାରୁ ପୀଡ଼ିତା ମହିଳା ମେଡିସିନ ଖାଇ ଅସୁସ୍ଥ ହୋଇପଡ଼ିଥିଲେ। ପରେ ଯୁଗଳଙ୍କ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିିଟାଲ୍‌କୁ ନେଇଥିଲେ। ସେ ସୁସ୍ଥ ହେବା ପରେ ଏସ୍‌ପିଙ୍କୁ ଭେଟି ଘଟଣା ସମ୍ପର୍କରେ ଲିଖିତ ଭାବେ ଜଣାଇଥିଲେ ା ନ୍ୟାୟ ନ ମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ। ଏ ନେଇ ବନହରପାଲି ଥାନାରେ ଗତ ୨୮ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା। ୩ ଦିନ ପରେ ମଧ୍ୟ ପୋଲିସ ତରଫରୁ ପୀଡିତାଙ୍କୁ ନ୍ୟାୟ ମିଳି ନ ଥିଲା। ଫଳରେ ସେ ଆତ୍ମହତ୍ୟା କରିଥିଲେ। ଏ ନେଇ ଝାରସୁଗୁଡ଼ା ଟାଉନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୧୮/୨୧) ମାମଲା ରୁଜୁ କରିଥିଲା ା