ପୋଲିସ-ମାଓବାଦୀ ଗୁଳି ବିନିମୟ, ଯବାନ ଆହତ

ମାଲକାନଗିରି,୨୦ା୪ (ଡି.ଏନ୍‌.ଏ.):  ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସାର୍କୋଗୁଡ଼ା ସିଲଗରର ମୋକୁର ଅଞ୍ଚଳରେ ମଙ୍ଗଳବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ଗୁରୁତର ହୋଇଛନ୍ତି। ଖବରରୁ ଜଣାପଡିଛି, କୋବ୍ରା, ଏସ୍‌ଟିଏଫ୍‌, ସିଆର୍‌ପିଏଫ୍‌ ଏବଂ ଜିଲା ସୁରକ୍ଷା ବଳର ଯବାନଙ୍କ ପକ୍ଷରୁ ସିଲଗରର ମୋକୁର ଅଞ୍ଚଳରେ ସର୍ଚ୍ଚ ଅପରେଶନ କରାଯାଉଥିଲା। ଏହି ସମୟରେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ। ଏହାର ପାଲଟା ଜବାବ ମଧ୍ୟ ପୋଲିସ ଦେଇଥିଲା। ଦୀର୍ଘ ସମୟ ଧରି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ତେବେ ପୋଲିସ ଗୁଳିର ସାମ୍‌ନା କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଅନ୍ୟପକ୍ଷରେ ଏହି ଗୁଳି ବିନିମୟରେ କୋବ୍ରା ବାହିନୀର ଜଣେ ଯବାନ ଆହତ ହୋଇଛନ୍ତି। ମାଓବାଦୀଙ୍କ ଗୁଳି ତାଙ୍କ ଗୋଡ଼ରେ ବାଜିଛି। ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଥିବା ବେଳେ ଗୋଟିଏ ବନ୍ଧୁକ, କେତେକ ଗୁଳି ଓ ବାରୁଦ ଜବତ ହୋଇଛି।