ଲକ୍ଷ୍ନୌ,୨୩।୭: ଉତ୍ତର ପ୍ରଦେଶର ହରଦୋଇ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ମଦ୍ୟପ ଯୁବକ ରାସ୍ତାରେ ଲୋକଙ୍କୁ ହଇରାଣ କରୁଥିଲେ। ଏନେଇ ସ୍ଥାନୀୟ ଲୋକେ ସାଧା ପୋଷାକରେ ଥିବା ଜଣେ ପୋଲିସକର୍ମୀଙ୍କ ନିକଟରେ ଅଭିଯୋଗ କରିଥିଲେ। ପୋଲିସକର୍ମୀ ଜଣଙ୍କ ମଦ୍ୟପ ଯୁବକଙ୍କୁ ୪ ମିନିଟ୍ ୩୮ ସେକେଣ୍ଡରେ ୬୦ରୁ ଅଧିକଥର ଜୋତାରେ ପିଟିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ଏସପି ସମ୍ପୃକ୍ତ ପୋଲିସକୁ ନିଲମ୍ବିତ କରିଛନ୍ତି।
ସୂଚନାଯୋଗ୍ୟ, ଶାହାବାଦ୍ କୋତଓ୍ବାଲିରେ ନିଯୁକ୍ତ ଦିନେଶ ଅତ୍ରି ସାଧା ପୋଷାକରେ ଦୋକାନରୁ କିଛି ଜିନିଷ କିଣୁଥିଲେ। ଏହି ସମୟରେ ନିଶାଶକ୍ତ ଯୁବକ ଗାଳିଗୁଲଜ କରୁଥିଲେ। ଜବରଦସ୍ତି ଦୋକାନ ଭିତରେ ପଶି ଜିନିଷ ନେଇଆସିଥିଲେ। ପୋଲିସକୁ ଦେଖି ଲୋକେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ। ପୋଲିସ ଜୋତା ଖୋଲି ସମ୍ପୃକ୍ତ ଯୁବକଙ୍କୁ ପିଟିଥିଲେ।


