ଛତ୍ରପୁର, ୧୨।୧୧ (ଦିଲୀପ ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କଳାଯମୁନା ଗ୍ରାମରେ ଏକ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରି ରକ୍ତାକ୍ତ କରାଯାଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୁରୁତର ଅବସ୍ଥାରେ ପୀଡ଼ିତ ବସନ୍ତ ମାଳି ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ଘଟଣାର କିଛି ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିପାରିନାହିଁ। ପୋଲିସର ଏହି କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ନ୍ୟାୟ ଓ ପରିବାରର ସୁରକ୍ଷା ଦାବିରେ ବୁଧବାର ପୀଡ଼ିତଙ୍କ ପତ୍ନୀ ଛତ୍ରପୁର ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ମିଳିଥିବା ସୂଚନାନୁଯାୟୀ, ୮ ତାରିଖ ରାତିରେ କଳାଯମୁନା ଗ୍ରାମର ବସନ୍ତ ମାଳି ନିଜ ବୁଲେଟ୍ ଯୋଗେ ଘରକୁ ଫେରୁଥିଲେ। ଗାଁ ଛକ ନିକଟରେ ହଠାତ୍ ତାଙ୍କ ଗାଡ଼ି ଖରାପ ହୋଇଯାଇଥିଲା। ସେହି ସମୟରେ ଗାଁର ରାଜେନ୍ଦ୍ର ମାଳିଙ୍କ ସହାୟତାରେ ସେ ବାଇକ୍ ଷ୍ଟାର୍ଟ କରିବାକୁ ଚେଷ୍ଟା କରୁଥିଲେ। ଏତିକିବେଳେ ରିତେଶ ମାଳି, ରାଜା ମାଳି ଓ ପବିତ୍ର ସାହୁ ସେଠାରେ ପହଞ୍ଚି ବସନ୍ତଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ରିତେଶଙ୍କ ଖଣ୍ଡା ଚୋଟ ବସନ୍ତଙ୍କ ମୁଣ୍ଡରେ ବାଜିବାରୁ ସେ ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲେ। ପ୍ରବଳ ରକ୍ତସ୍ରାବ ହେଉଥିବା ଅବସ୍ଥାରେ ତାଙ୍କୁ ପ୍ରଥମେ ଛତ୍ରପୁର ଡାକ୍ତରଖାନା ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
ଏହି ଘଟଣାକୁ ନେଇ ବସନ୍ତଙ୍କ ପତ୍ନୀ ଶିବାନୀ ମାଳି ରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କେସ୍ ନଂ. ୦୭୯୦/୨୦୨୬ରେ ଏକ ମାମଲା ରୁଜୁ କରିଛି। ହୁମା ଫାଣ୍ଡି ଅଧିକାରୀ ଏସ୍ଆଇ ବିନୟ କୁମାର ଦାସ ଏହାର ତଦନ୍ତ କରୁଥିବା ନେଇ ଥାନାଧିକାରୀ କୁମାର ମୁଦୁଲି ସୂଚନା ଦେଇଛନ୍ତି। ତେବେ ଘଟଣାର ତଦନ୍ତ ଚାଲିଥିଲେ ମଧ୍ୟ ଅଭିଯୁକ୍ତମାନେ ଗିରଫ ନହେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅନ୍ୟପକ୍ଷରେ, ଶିବାନୀ ଏସ୍ପିଙ୍କ ନିକଟରେ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଅଭିଯୁକ୍ତମାନଙ୍କ ସମ୍ପର୍କୀୟ ହୋଇଥିବାରୁ ସେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି। ଏହି କାରଣରୁ ପୋଲିସର କାର୍ଯ୍ୟାନୁଷ୍ଠାନ ପ୍ରଭାବିତ ହେଉଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନେ ଖୋଲାଖୋଲି ଭାବେ ବୁଲୁଥିବା ସହ ପରିବାର ସଦସ୍ୟଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବାରୁ ସେମାନେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ବୋଲି ଶିବାନୀ କହିଛନ୍ତି।
ଏଥିସହ ତିନି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା, ସମ୍ପୃକ୍ତ ହୋମଗାର୍ଡଙ୍କ ଭୂମିକାର ନିରପେକ୍ଷ ତଦନ୍ତ କରିବା ଏବଂ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ସେ ଏସ୍ପିଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି।
ଅନ୍ୟପଟେ, ଏହି ଆକ୍ରମଣ ଘଟଣାର ସିସିଟିଭି ଫୁଟେଜ୍ ଏବେ ଭାଇରାଲ ହେବାରେ ଲାଗିଛି। ତଦନ୍ତ ପ୍ରକ୍ରିୟାରେ କିଛି ରାଜନୈତିକ ବ୍ୟକ୍ତିବିଶେଷ ପୋଲିସ ଉପରେ ଚାପ ପକାଉଥିବା ନେଇ ମଧ୍ୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଏହି ଅଭିଯୋଗର ସତ୍ୟତା କେତେ, ତାହା ନିରପେକ୍ଷ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ପୋଲିସ ଅଭିଯୁକ୍ତମାନଙ୍କ ସନ୍ଧାନରେ ଜୋରଦାର ଉଦ୍ୟମ ଚଳାଇଥିବା କହୁଥିବାବେଳେ ସେମାନଙ୍କ ଗିରଫଦାରୀ କେବେ ହେବ, ତାହା ଦେଖିବାକୁ ବାକି ରହିଲା।
ଅନ୍ୟ ଏକ ଘଟଣାକ୍ରମରେ, ଗୁରୁବାର ସୁବଳୟା ଗ୍ରାମରେ ଏକ ଭୋଜିରେ ବାଣ ଫୁଟାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଗଣ୍ଡଗୋଳ ଘଟଣାରେ ପୋଲିସ ତୁରନ୍ତ ପଦକ୍ଷେପ ନେଇ ପାଞ୍ଚ ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ଗୋଟିଏ ପଟେ କଳାଯମୁନା ଆକ୍ରମଣ ଘଟଣାର ଅଭିଯୁକ୍ତମାନେ ଧରାପଡ଼ିନଥିବାବେଳେ ସୁବଳୟା ଘଟଣାରେ ପୋଲିସର ତ୍ୱରିତ ପଦକ୍ଷେପକୁ ନେଇ ସାଧାରଣରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।