ପୋଲିସକୁ ମିଳିଲା ଟିଫିନ ବୋମା ସହିତ ୨ ଡେଟୋନେଟର

ମାଲକାନଗିରି,୧୪ା୩: ଦୀର୍ଘ ଦିନର ନୀରବତା ପରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅଞ୍ଚଳରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ କେହି ମୃତାହତ ହୋଇନାହାନ୍ତି। ପୋଲିସ ଟିଫିନ ବୋମା ସହ ଅନେକ ମାଓବାଦୀ ବ୍ୟବହୃତ ସାମଗ୍ରୀ ଜବତ କରିଛି। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ମୁଦୁଲିଗୁଡ଼ା ଓ ନାରିଙ୍ଗିଝୋଲା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏପରି ଘଟଣା ଘଟିଥିବା ଏସ୍‌ପି ରିଷିକେଶ ଡି. ଖିଲାରି ଏକ ଖବରଦାତା ସମ୍ମିଳନୀରେ ରବିବାର ପ୍ରକାଶ କରିଛନ୍ତି।
କିଛିଦିନ ହେଲା ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଏସ୍‌ଏଫ, ଏସ୍‌ଓଜି ଏବଂ ଡିଭିଏଫ ପକ୍ଷରୁ ମିଳିତ ଭାବେ କୋମ୍ବିଂ ଅପରେଶନ ଚାଲିଥିଲା। ଶନିବାର ମଧ୍ୟ ଉପରୋକ୍ତ ଜଙ୍ଗଲରେ ଯବାନମାନେ କୋମ୍ବିଂ ଅପରେଶନ କରୁଥିଲେ। ଏହି ସମୟରେ ଜଙ୍ଗଲରେ ମାଓବାଦୀମାନେ ଥିବା ସୁରାକ ପାଇ ସେମାନେ ଅପରେଶନକୁ ଜୋରଦାର କରିଥିଲେ। ଜଙ୍ଗଲରେ ପୋଲିସ ଉପସ୍ଥିତି ଜାଣିପାରି ମାଓବାଦୀମାନେ ପୋଲିସ ଉପରକୁ ଗୁଳିଚାଳନା କରିଥିଲେ। ଏହା ଜବାବରେ ପୋଲିସ ମଧ୍ୟ ପାଲଟା ଗୁଳିଚାଳନା କରିଥିଲା। ତେବେ ପୋଲିସ ଗୁଳିର ସାମ୍‌ନା କରି ନ ପାରି ମାଓବାଦୀମାନେ ଖସି ପଳାଇଥିଲେ। ପରେ ଘଟଣା ସ୍ଥଳରୁ ପୋଲିସ ଗୋଟିଏ ଟିଫିନ ବୋମା, ୨ଟି ଡେଟୋନେଟର, ୨ଟି କିଟ୍‌ବ୍ୟାଗ, ୨ଟି ପୋଷାକ, ୨ଟି ଷ୍ଟାର, ଗୋଟିଏ ଟୋପି, ଗୋଟିଏ ବ୍ୟାନର, ଔଷଧ ସହ ପତ୍ରିକା ଜବତ କରିଥିବା ଏସ୍‌ପି ସୂଚନା ଦେଇଛନ୍ତି।