ପିପିଲିରେ ପୋଲିସ ଡିଜି ଅଭୟ: କରୁଛନ୍ତି ସ୍ଥିତି ସମୀକ୍ଷା

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ପିପିଲି ନିର୍ବାଚନ ପ୍ରଚାର ଯେତିକି ଉଷ୍ମ ହେଉଛି, ନିର୍ବାଚନୀ ହିଂସା ନେଇ ସେତିକି ଖବର ଆସିବାରେ ଲାଗିଛି । ଏହାରି ଭିତରେ ସୋମବାର ପିପିଲିରେ ପହଞ୍ଚିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ। ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଓ ଏଡିଜି ଆଇନ ଶୃଙ୍ଖଳା ବି ତାଙ୍କ ସହ ସାମିଲ ହୋଇଛନ୍ତି । ପିପିଲି ଥାନାରେ ଡିଜିପି ଓ ବରିଷ୍ଠ ଅଧିକାରୀମାନେ ସ୍ଥିତି ସମୀକ୍ଷା କରୁଥିବା ଜଣାପଡ଼ିଛି। ପିପିଲିରେ ବଢ଼ିଚାଲିଥିବା ନିର୍ବାଚନୀ ହିଂସାକୁ ନେଇ ଏହି ସମୀକ୍ଷା କରାଯାଉଥିବା ଜଣାଯାଇଛି ।

ପ୍ରକାଶ ଯେ, ରବିବାର ବିଜେଡି କର୍ମୀଙ୍କ ମାଡ଼ରେ ୩ଜଣ ଭାଜପା କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଥିଲା । ଆହତଙ୍କୁ ଡେଲାଙ୍ଗ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଗୁରୁତର ଆହତଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ୱର ଏମ୍ସ ଯାଇ ଭାଜପା ସଭାପତି ସମୀର ମହାନ୍ତି ଗୁରୁତରଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଡେଲାଙ୍ଗ ଜେନାପୁରର ବାହ୍ମଣ ବାଡ଼ ଅଞ୍ଚଳରେ ଭାଜପା କର୍ମୀ ପ୍ରଚାର କରୁଥିବା ବେଳେ ଏହି ଗଣ୍ଡଗୋଳ ହୋଇଥିଲା । ଘଟଣା ପରେ ପଟନେକିଆ ରାସ୍ତାକୁ ହାଟଡେଲାଙ୍ଗ ଠାରେ ଅବରୋଧ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଭାଜପା ଦାବି କରିଥିବା ଜଣାପଡ଼ିଛି।