କଟକରେ ପୋଲିସ-ଅପରାଧୀ ଗୁଳି ବିନିମୟ: ଶଙ୍କର ଆହତ, ବନ୍ଧୁକ-ଗୁଳି ଜବତ

କଟକ ଅଫିସ,୨ା୩: କଟକ ଜିଲା ବିଡ଼ାନାସୀ ଥାନା ଅଧୀନ ଭୁଆସୁଣି ପଡ଼ିଆରେ ଗୁରୁବାର ରାତି ପ୍ରାୟ ସାଢେ ୮ଟାରେ ପୋଲିସ-ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ରାଣୀହାଟ ଗୋପାଳସାହିର ଶଙ୍କର ଓରଫ ଦୀପକ ନାୟକ ଆହତ ହୋଇଛନ୍ତି। ଚିକିତ୍ସା ଲାଗି ତାଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କଠାରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରାଯାଇଛି। ସେ ଜଣେ ପେଶାଦାର ଅପରାଧୀ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି। ଶଙ୍କରଙ୍କ ଦ୍ୱାରା ବେଆଇନ ବନ୍ଧୁକ, ଗୁଳି ଚାଲାଣ କରାଯାଉଥିବା ନେଇ କମିଶନରେଟ୍‌ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଶଙ୍କର ବିଡ଼ାନାସୀ ଥାନା ଅନ୍ତର୍ଗତ ଭୁଆସୁଣି ଗଡ଼ା ନିକଟରେ ଯାଉଥିବାବେଳେ କଟକ ସହରାଞ୍ଚଳ ପୋଲିସର ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ ଓ ବିଡ଼ାନାସୀ ପୋଲିସ ସେଠାରେ ପହଞ୍ଚିଥିଲା। ପୋଲିସ କର୍ମଚାରୀଙ୍କୁ ଦେଖି ଶଙ୍କର ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ପୋଲିସ ଆତ୍ମରକ୍ଷା ପାଇଁ ଶଙ୍କରଙ୍କ ଉପରକୁ ଗୁଳି ଚଳାଇଥିଲା। ଫଳରେ ଶଙ୍କର ବାମଗୋଡ଼ରେ ଏକ ଗୁଳି ବାଜିବାରୁ ସେ ଆହତ ହୋଇଥିଲେ। ଏହି ସମୟରେ ପୋଲିସ ତାଙ୍କୁ କାବୁ କରିପାରିଥିଲା। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ପିନାକି ମିଶ୍ର କହିଛନ୍ତି।