ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ସମ୍ବଲପୁର ମଣ୍ଡଳ କାରାଗାରରେ ସୋମବାର ଭୋର ସମୟରେ ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ତିତିରେ ଏକ ଅତର୍କିତ ଚଢ଼ାଉ କରାଯାଇଛି। ସକାଳ ପ୍ରାୟ ୫ଟା ୪୫ ମିନିଟରେ ଦୁଇ ଜଣ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ପୋଲିସ ଦଳ ଜେଲ ପରିସର ମଧ୍ୟକୁ ପ୍ରବେଶ କରି ପ୍ରତିଟି କୋଠରୀ ଏବଂ ପରିବେଶକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିଥିଲେ। ଏହି ଯାଞ୍ଚରେ ଦୁଇଜଣ ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର ଓ ଶ୍ରୀମନ୍ତ ବାରିକ, ଏସଡିପିଓ ତୋଫାନ ବାଗଙ୍କ ସହ ୫ଟି ଥାନାର ଭାରପ୍ରାପ୍ତ ଅଧିକାରୀ ତଥା ୧୫ ଜଣ ଇନ୍ସପେକ୍ଟର ସମେତ ପୋଲିସ ବାହିନୀ ମଧ୍ୟ ସାମିଲ ଥିଲେ।
ଯାଞ୍ଚ ପରେ ଉପଜିଲାପାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କାରାଗାର ଭିତରୁ କୌଣସି ପ୍ରକାରର ମାଦକ ଦ୍ରବ୍ୟ କିମ୍ବା ଅନ୍ୟାନ୍ୟ କୌଣସିପ୍ରକାର ଆପତ୍ତିଜନକ ସାମଗ୍ରୀ ମିଳିନାହିଁ। ଜେଲ ମଧ୍ୟରେ ଥିବା ଅନ୍ତେବାସୀମାନେ ଶୃଙ୍ଖଳିତ ଥିବା ଜଣାପଡିଛି ଏବଂ ପରିବେଶ ସମ୍ପୂର୍ଣ୍ଣ ସ୍ବାଭାବିକ ରହିଛି। ସେ ସ୍ପଷ୍ଟ କରିଛନ୍ତି ଯେ, ଏହା ଏକ ସମ୍ପୂର୍ଣ୍ଣ ଗୋପନୀୟ ପ୍ରକ୍ରିୟା ଥିଲା। କାରାଗାରର ସୁରକ୍ଷା ବ୍ୟବସ୍ଥା ଏବଂ ନିୟମ ଅନୁସାରେ ଏହି ରୁଟିନ ଚଢ଼ାଉ କରାଯାଇଥିବା ବେଳେ କୌଣସି ଅବହେଳା ପରିଲକ୍ଷିତ ହୋଇନାହିଁ।
ସୂଚନାଯୋଗ୍ୟ ଯେ, ଜେଲ ଭିତରେ ବିଭିନ୍ନ ବେଆଇନ କାରବାର ଚାଲୁଥିବା ନେଇ ଗୁପ୍ତ ସୂଚନା ମିଳିବା ପରେ ପୋଲିସ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଅନୁରୂପ ଭାବେ ଅତିରିକ୍ତ ଏସପି ଅଜୟ ମିଶ୍ର ମଧ୍ୟ କଏଦୀଙ୍କ ପାଖରେ ମୋବାଇଲ, ସିମ କାର୍ଡ କିମ୍ବା ନିଶାଦ୍ରବ୍ୟ ଭଳି ଆପତ୍ତିଜନକ ସାମଗ୍ରୀ ରହିଛି କି ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଆକସ୍ମିକ ଚଢ଼ାଉ କରାଯଇ ଜେଲ୍ଯଯଯରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। ତେବେ ସମ୍ବଲପୁର ମଣ୍ଡଳ ଜେଲ ସହ ସୋମବାର ସକାଳୁ ଏକ ସଙ୍ଗେ କୁଚିଣ୍ଡା ଓ ରେଢ଼ାଖୋଲ ଉପଖଣ୍ଡ ଜେଲରେ ମଧ୍ୟ ଚଢ଼ାଉ ହୋଇଛି ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily

