ଗୋରୁ ଚାଲାଣ ବେଳେ ମାଡିବସିଲା ପୋଲିସ : ୪ ଗିରଫ

ବଞ୍ଚୋ,୨୯।୫ (ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା  ଘଷିପୁରା ଥାନା  ଅଞ୍ଚଳରେ ଗୁରୁବାର ରାତିରେ ଏକ ପିକ୍-ଅପ୍ ଭ୍ୟାନରେ ଗୋରୁ ଚାଲାଣ କରାଯାଉଥିବା ବେଳେ ପୋଲିସ ଗାଡ଼ିଟିକୁ ଅଟକାଇଥିଲା।  ଗାଡ଼ିରେ ୬ଟି ବଳଦ ଥିବାବେଳେ ସେଗୁଡ଼ିକୁ ଅମାନବୀୟ ଭାବରେ ଚାଲାଣ କରାଯାଉଥିବା ପୋଲିସ ଦେଖିଥିଲା।

ଏହି ସମ୍ପର୍କରେ ଘଷିପୁରା ଥାନାରେ କେସ୍ ନମ୍ବର ୨୪୭/୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୩(୨)/୩(୫), ପ୍ରିଭେନସନ ଅଫ୍ କ୍ରୁଏଲ୍ଟି ଟୁ ଆନିମଲ୍ସ ଆକ୍ଟର ଧାରା ୧୧(୧)(ଡି) ଏବଂ କାଉ ସ୍ଲାଟର ଆକ୍ଟର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ପୋଲିସ ଗାଡ଼ିରେ ଥିବା ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମୟୁରଭଞ୍ଜ ଜିଲା ହାତିଗଡ଼ା ଅଞ୍ଚଳର ନାରାୟଣ ଲାମାଲ, କୁମୁଡ଼ିଆର ବଳରାମ ନାୟକ, ପୁରୁଣାପାଣିର ଭୀମସେନ ମୁଣ୍ଡାରୀ ଏବଂ ଆନନ୍ଦପୁର ଅଞ୍ଚଳର ବୃନ୍ଦା ହୋ। ଗିରଫ ଅଭିଯୁକ୍ତମାନେ ଗୋରୁ ସମ୍ପର୍କିତ କୌଣସି ବୈଧ କାଗଜପତ୍ର ପ୍ରଦର୍ଶନ କରିପାରି ନ ଥିବା  ପୋଲିସ ସୂଚନା ଦେଇଛି।ଏ ହି ସୂଚନା ଆନନ୍ଦପୁର ଏସ୍‌ଡିପିଓ କମଳ ଲୋଚନ ପଣ୍ଡା ପ୍ରଦାନ କରିଥିବାବେଳେ, ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily