ଥାନାରେ ପୋଲିସକୁ ମାଡ଼ ଘଟଣା: ଦୁଇ ମହିଳାଙ୍କ ସମେତ ୭ ଗିରଫ

ପାରଳାଖେମୁଣ୍ଡି/ଆର୍‌.ଉଦୟଗିରି,୧୬ା୯(ଡି.ଏନ.ଏ.): ଗଜପତି ଜିଲା ମୋହନା ବ୍ଲକ ଅଡ଼ବା ଥାନା ରେ ଭଙ୍ଗାରୁଜା ସହ ପୋଲିସକୁ ମାଡ଼ ମାରିବା ଘଟଣାରେ ଦୁଇ ମହିଳାଙ୍କ ସମେତ ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ଝରଣାପୁର ଗ୍ରାମର ପରୀ ଭୂୟାଁ (୪୫), ରେଙ୍ଗି ରଇତ (୬୫), ସୁନିଏଲ ମଣ୍ଡଳ (୨୪), ଡାନିଏଲ ଭୂୟାଁ (୪୧), କୁଞ୍ଜକୁଆ ଗ୍ରାମର ଲଜାର ରଇତ (୪୫), ସିଆଳିଲଟି ଗ୍ରାମର ରେମବାକୋ ଜାନୀ (୪୦) ଓ ଜୟନ ରାଇକା (୩୭)। ଥାନାରେ ଲଙ୍କାକାଣ୍ଡ ବେଳର ଭିଡିଓ କ୍ଲିପ୍‌ ସବୁ ଯାଞ୍ଚ କରାଯାଇ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ଗୁରୁବାର ୭ ଅଭିଯୁକ୍ତଙ୍କୁ ଚନ୍ଦ୍ରଗିରି ବଜାରରୁ ଗିରଫ କରାଯାଇଛି ବୋଲି ମୋହନା ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଜୟରାମ ଶତପଥୀ ସୂଚନା ଦେଇଛନ୍ତି । ସେମାନଙ୍କୁ କୋର୍ଟ ଚାଲାଣ ପରେ ଆର୍‌. ଉଦୟଗିରି ଜେଲକୁ ପଠାଇ ଦିଆଯାଇଛି। ଥାନାରେ ଭଙ୍ଗାରୁଜା ଓ ପୋଲିସକୁ ମାଡ଼ ଘଟଣାରେ ୩୦୦ ଜଣ ଅଭିଯୁକ୍ତଙ୍କର ତାଲିକା ପ୍ରସ୍ତୁତ କରାଯାଇଛି । ସେମାନଙ୍କ ବିରୋଧରେ ସରକାରୀ ସମ୍ପତ୍ତି ନଷ୍ଟ କରିବା ଓ କର୍ତ୍ତବ୍ୟରତ ପୋଲିସଙ୍କୁ ମାଡମାରିବା ଭଳି ସଙ୍ଗୀନ ଦଫା ଲାଗିଛି। ଏ ନେଇ ନଂ.୧୧୧/୨୨ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଖୁବଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କୁହାଯାଇଛି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆର୍‌.ଉଦୟଗିରି ଏସଡିପିଓ ଦିଲୀପ ନାୟକ, ମୋହନା ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ୧୩ ତାରିଖ ରାତିରେ ଗଞ୍ଜେଇ ଝରଣାପୁର ଗ୍ରାମର ବିଶ୍ୱନାଥ ଭୂୟାଁଙ୍କୁ ଗଞ୍ଜେଇ ରଖିଥିବା ଅଭିଯୋଗରେ ପୋଲିସ ଉଠାଇ ନେଇଥିଲା। ତାଙ୍କୁ ଖଲାସ କରିବା ଦାବି ନେଇ ୫୦୦ରୁ ଉର୍ଦ୍ଧ୍ୱ ମହିଳା, ପୁରୁଷ ଅଡବା ଥାନା ସମ୍ମୁଖରେ ମେଳି କରିଥିଲେ। ପରେ ସେମାନେ ଉତ୍ତ୍ୟକ୍ତ ହୋଇ ଥାନା ଭିତରକୁ ଧସେଇ ପସି ଭଙ୍ଗାରୁୁଜା କରିବା ସହ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିଲେ।