ଲୁଟ୍‌ ବେଳେ ପହଞ୍ଚିଗଲା ପୋଲିସ; ଟଙ୍କା, ସୁନା, ବାଇକ୍‌ ଛାଡ଼ି ପଳାଇଲେ ଲୁଟେରା

ଟିଟିଲାଗଡ଼, ୨୬।୪: ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଲୁଟ୍‌ପାଟ୍‌ ବଢି ଚାଲିଛି। ସୋମବାର ଟଙ୍କା, ସୁନା ଲୁଟିବା ବେଳେ ଲୁଟେରା ପାଟ୍ରୋଲିଂ କରୁଥିବା ପୋଲିସ ସହ ମୁହଁାମୁହିଁ ହେବା ପରେ ଲୁଟ୍‌ ସାମଗ୍ରୀ ଛାଡି ପଳାଇଛନ୍ତି। ଏପରି କି ଲୁଟେରାଙ୍କ ନମ୍ବର ବିହୀନ ଏକ କଳା ଆପାଚି ବାଇକ୍‌ ଧରାପଡିଛି।
ଟିଟିଲାଗଡ଼ ଥାନା ଅଧୀନ ଅମୁର୍ଲା ଗ୍ରାମର ଟଙ୍କଧର ବାଗ ଆସନ୍ତା ୫ ତାରିଖରେ ହେବାକୁ ଥିବା ଝିଅ ବାହାଘର ପାଇଁ ସ୍ଥାନୀୟ ଏସ୍‌ବିଆଇ ମୁଖ୍ୟ ଶାଖାରୁ ଟଙ୍କା ଉଠାଇଥିଲେ। ଟଙ୍କା ଉଠାଇ ଟଙ୍କଧର ଝିଅ ଏବଂ ଶାଳକଙ୍କ ସହ ୫୦ ହଜାର ଟଙ୍କାର ଏକ ସୁନାହାର କିଣିଥିଲେ। ସୁନାହାର ଓ ନଗଦ ୪୯ ହଜାର ଟଙ୍କା ବାଇକ ଡିକିରେ ରଖି ଶାଢି କିଣିବାକୁ ଧର୍ମଶାଳା ରୋଡକୁ ଆସିଥିଲେ। ଗାଡି ପାଖରେ ଶାଳକଙ୍କୁ ଛାଡି ଝିଅ ସହ ସେ ଧର୍ମଶାଳା ନିକଟରେ ଥିବା ଏକ ଶାଢି ଦୋକାନକୁ ଯାଇଥିଲେ। ଏହି ସମୟରେ ବ୍ୟାଙ୍କ ନିକଟରୁ ଅନୁସରଣ କରୁଥିବା ଲୁଟେରା ଗ୍ୟାଙ୍ଗର ଜଣେ ଯୁବକ କୌଶଳ କ୍ରମେ ଡିକି ଖୋଲି ବ୍ୟାଗରେ ଥିବା ସୁନା ଓ ଟଙ୍କା ନେଇ ଯାଇଥିଲେ। ଏହି ସମୟରେ ପାଟ୍ରୋଲିଂ କରୁଥିବା ଡିଏସ୍‌ପି ସୁରେନ୍ଦ୍ର ଶତପଥୀ ଏହା ଦେଖିବାକୁ ପାଇଥିଲେ। ଡ୍ରାଇଭର ଦିଲୀପ ମହାରଣା ତୁରନ୍ତ ଗାଡିରୁ ଓହ୍ଲାଇ ଲୁଟେରାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ହେଲେ ଲୁଟେରା ଜଣକ ତାଙ୍କୁ ଧକ୍କା ଦେଇ ଖସି ପଳାଇଥିଲେ। ଘଟଣାସ୍ଥଳର କିଛି ଦୂରରେ ଏକ ଆପାଚି ବାଇକ ସହ ଠିଆ ହୋଇଥିବା ଗ୍ୟାଙ୍ଗର ଅନ୍ୟ ଜଣେ ଲୁଟେରା ବ୍ୟାଗକୁ ଧରି ପଳାଉଥିବା ବେଳେ ଅନ୍ୟ ଏକ ରାସ୍ତାରୁ ଡିଏସ୍‌ପି ଶତପଥୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ସେ କୌଣସି ମତେ ଲୁଟେରା ଧରିଥିବା ବ୍ୟାଗକୁ ଛଡାଇ ଆଣିଥିଲେ। ଏହି ସମୟରେ ନମ୍ବର ବିହୀନ କଳା ଆପାଚି ବାଇକ ଛାଡ଼ି ଉଭୟ ଲୁଟେରା ଆଖି ପିଛୁଲାକେ ସେଠାରୁ ଦୌଡ଼ିି ପଳାଇଥିଲେ। ଡିଏସ୍‌ପି ଶତପଥୀ ଟଙ୍କଧରଙ୍କୁ ଥାନାକୁ ଡାକି ତାଙ୍କ ଲୁଟ୍‌ ସାମଗ୍ରୀ ଫେରାଇବା ବେଳେ ଉଭୟ ବାପା, ଝିଅ କାନ୍ଦି ପକାଇଥିଲେ। ଡିଏସ୍‌ପି ଏବଂ ତାଙ୍କ ଡ୍ରାଇଭରଙ୍କ ଉପସ୍ଥିତି ନେଇ ଜଣେ ଗରିବ ଚାଷୀ ପରିବାରର ଝିଅ ବାହାଘର ଖୁସି ମଉଳିବାରୁ ରକ୍ଷା ପାଇଯାଇଥିବା ଘଟଣା ସହରରେ ଆଲୋଚନାର ବିଷୟ ହୋଇଛି। ଏ ନେଇ ଟିଟିଲାଗଡ ଥାନାରେ ଏକ ମାମଲା(ନଂ. ୧୬୭/୨୧) ରୁଜୁ କରି ପୋଲିସ ତନାଘନା ଚଳାଇଛି। ପ୍ରକାଶ ଯେ, ଚଳିତ ମାସ ୭ ତାରିଖରେ ଲୁଟେରା ଏଭଳି ଷ୍ଟେଟ ବ୍ୟାଙ୍କରୁ ପିଛା କରି ଜଣଙ୍କ ୧ ଲକ୍ଷ ୪୯ ହଜାର ୫ ଶହ ଟଙ୍କା ଲୁଟି ନେଇଥିଲେ।