ଦିଗପହଣ୍ଡି, ୨୪।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଥାନା ସିଦ୍ଧେଶର – ସିଦ୍ଧିଖଣ୍ଡି ଗ୍ରାମ ରାସ୍ତା କଡରେ ଥିବା କୁକୁଡ଼ା ଫାର୍ମରୁ ଏଲପିଜି ସିଲିଣ୍ଡର, ପାଣି ମୋଟର, ଧାନ ବସ୍ତା, ଏକ ସ୍କୁଟି ଏବଂ ତାର ପୋଲିନ ଚୋରି କରିବା ଘଟଣାରେ ଦିଗପହଣ୍ଡି ପୋଲିସ ସୋମବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ସିଦ୍ଧେଶ୍ୱର ଗ୍ରାମର କାହ୍ନୁ ସାହୁ ଓ ରାଜୀବ ସ୍ବାଇଁ। ଥାନା ମାମଲା ନଂ.୪୨୬/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ସିଦ୍ଧେଶ୍ୱର ଗ୍ରାମର କୁକୁଡ଼ା ଫାର୍ମ ମାଲିକ ଗୋଲକ ବିହାରୀ ପଟ୍ଟନାୟକଙ୍କ ଏତଲା ପ୍ରକାରେ ଗତ ଶନିବାର ବିଳମ୍ବିତ ରାତିରେ କୌଣସି ଦୁର୍ବୃତ୍ତ ତାଙ୍କ କୁକୁଡ଼ା ଫାର୍ମରେ ପଶି ଉପରୋକ୍ତ ସାମଗ୍ରୀ ଚୋରି କରିଥିବା ସେ ଅଭିଯୋଗ କରିଥିଲେ। ତଦନ୍ତ ସମୟରେ ୨ ଜଣ ଅଭିଯୁକ୍ତ ଚୋରି ସାମଗ୍ରୀ ଚୋରାଇ ନେଉଥିବା ଅନ୍ୟ ଏକ କୁକୁଡ଼ା ଫାର୍ମରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ମହିଳା ପୋଲିସ ଏସଆଇ ସୋଫିଆ ମିଶ୍ର ଏବଂ ତଦନ୍ତକାରୀ ଅଧିକାରୀ ଦିଲ୍ଲୀପ କୁମାର ଗୋରଡ଼ା ୨ ଯୁବକଙ୍କୁ ସୋମବାର ଥାନାକୁ ଉଠାଇ ଆଣି ପଚରାଉଚରା କରିବା ସମୟରେ ଦୁହେଁ ଚୋରି କରିଥିବା ମାନି ନେଇଥିଲେ। ଏପରିକି ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରାଯାଇଥିଲା।


