Categories: ଗଞ୍ଜାମ

ନିଶାସକ୍ତଙ୍କୁ ଧରିବାକୁ ପୋଲିସ ସଜାଗ

ବ୍ରହ୍ମପୁର ଅଫିସ,୨।୬: ବ୍ରହ୍ମପୁର ସହରରେ ପୋଲିସ ନିଶାସକ୍ତ ଚାଳକଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଚାଳକଙ୍କୁ ପୋଲିସ ଥାନାକୁ ନେଉଛି। ସେମାନଙ୍କ ଗାଡି ଜବତ କରାଯିବା ସହ ମାମଲା ରୁଜୁ ହେଉଛି। କୋର୍ଟରେ ଜରିମାନା ଦେଇ ଛାଡ ପାଉଛନ୍ତି। ଏମାନଙ୍କୁ ସାବାଡ଼ କରିବାକୁ ପୋଲିସ ପ୍ରୟାସ ଆରମ୍ଭ କରିଛି। ବ୍ରହ୍ମପୁର ପୋଲିସ ଜିଲାରେ ନିଶାସକ୍ତ ଚାଳକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି। ଗତ ମେ ୧ରୁ ୩୧ ମଧ୍ୟରେ ଏଯାବତ ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରେ ପୋଲିସ ୫୪ ଜଣଙ୍କୁ ଉଠାଇ ନେଇ ମାମଲା ମଧ୍ୟ ବିଭିନ୍ନ ଥାନାରେ ରୁଜୁ କରିଛି। ପୋଲିସ ଏ ସଂକ୍ରାନ୍ତରେ ୩୭ ନିଶାଡିଙ୍କ ବାଇକ୍‌ ମଧ୍ୟ ଜବତ କରିଛି। ଏନେଇ ବୁଧବାର ପୋଲିସ ମୁଖ୍ୟାଳୟରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ନିଶାସକ୍ତ ଗାଡ଼ି ଚାଳକଙ୍କ ଯୋଗୁ ଅନ୍ୟମାନଙ୍କ ଜୀବନ ଯାଉଛି। ଅନ୍ୟମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏଣୁ ଏମାନଙ୍କୁ ସାବାଡ଼ କରିବା ପାଇଁ ପୋଲିସ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି ବୋଲି ବ୍ରହ୍ମପୁର ଏସ୍‌ପି ଶ୍ରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି।