ପୋଲିସ ନଜରରେ ସମ୍ବେଦନଶୀଳ ଅଞ୍ଚଳ

କେନ୍ଦୁଝର,୧୩।୨(ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଭୟମୁକ୍ତ ଓ ଶାନ୍ତିପୂର୍ଣ୍ଣ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଘଷିପୁରା, ହାଟଡିହି, ଆନନ୍ଦପୁର ବ୍ଲକ ଅଞ୍ଚଳଗୁଡ଼ିକ ରାଜନୈତିକ ଦୃଷ୍ଟି କୋଣରୁ ସମ୍ବେଦନଶୀଳ ା
ଉକ୍ତ ଅଞ୍ଚଳରେ ରାଜନୈିତକ ଦଳମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥାଏ। ସେହିପରି ଦୈତାରୀ, ହରିଚନ୍ଦନପୁର, ବ୍ରାହ୍ମଣୀପାଳ, ତେଲକୋଇ, ନୟାକୋଟ ଥାନା ଅଞ୍ଚଳ ନକ୍ସଲ ପ୍ରଭାବିତ। ପୂର୍ବରୁ ମାଓବାଦୀ କାର୍ଯ୍ୟକଳାପ ଘଟିଥିବା ଦୃଷ୍ଟିରୁ ସମ୍ବେଦନଶୀଳ ଅଞ୍ଚଳଭାବେ ଚିହ୍ନଟ କରାଯାଇଛି। ସେହିପରି ଖଣିଖାଦାନ ଭରା ବଡ଼ବିଲ, ଯୋଡ଼ା, ବାମେବାରୀ ଓ ରୁଗୁଡ଼ି ଥାନା ଅଞ୍ଚଳ ମଧ୍ୟ ରାଜନୈତିକ ହିଂସା ଓ ନକ୍ସଲ କାର୍ଯ୍ୟକଳାପ ଦୃଷ୍ଟିରୁ ସମ୍ବେଦନଶୀଳ। ମାଓବାଦୀ ପ୍ରବଣ ଝାଡ଼ଖଣ୍ଡ ରାଜ୍ୟ ଓ ସୁନ୍ଦରଗଡ଼ ଜିଲା ସୀମାରେ ଏହି ଅଞ୍ଚଳଗୁଡ଼ିକ ରହିଛି। ସେହିପରି ପାଟଣା ଓ ବାରିଆ ଥାନା ଅଞ୍ଚଳରେ ରାଜନୈିତକ ହିସାଂକାଣ୍ଡ ଆଶଙ୍କା କରାଯାଇଛି। ଖଣି ଅଞ୍ଚଳରେ ବିସ୍ଥାପିତଙ୍କ ପ୍ରତିବାଦ, ଖଣିରୁ ଛଟେଇ ହୋଇ ବେରୋଜଗାର ହୋଇଥିବା ଶ୍ରମିକମାନେ ବିରୋଧ ଜାରି ରଖିଛନ୍ତି। ଏହା ବ୍ୟତୀତ ଏହି ସବୁ ଅଞ୍ଚଳରେ ଝାଡ଼ଖଣ୍ଡ,ବିହାର ଓ ପଶ୍ଚିମବଙ୍ଗରୁ ଶ୍ରମିକମାନେ ଆସି କାମ କରୁଥିବା ବା ବସବାସ କରୁଥିବାରୁ ଅପରାଧିମାନେ ଏହାର ଫାଇଦା ଉଠାଇ ଗଣ୍ଡଗୋଳ କରିବା ଆଶଙ୍କା ରହିଛି। ବେଆଇନ ମଦ କାରବାର ରୋକିବା ସହ ରାତ୍ରୀକାଳିନ ଗାଡ଼ି ଯାଞ୍ଚ, ଅଣ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀଙ୍କୁ ଧରପଗଡ଼, ବନ୍ଧୁକ ଲାଇସେନ୍ସଧାରୀଙ୍କ ଲାଇସେନ୍ସ ଯାଞ୍ଚ ଆଦି କରିବା ପାଇଁ ପଦକ୍ଷେପ ନିଆଯାଉଛି। ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିବାବେଳେ ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ପୂର୍ବରୁ ଅପରାଧିକ ମାମଲା ଥିବା ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ଉପରେ ପୋଲିସ କଡ଼ା ନଜର ରଖିଛି।