ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି ଓ ମାନବ ସମାଜର ସମ୍ପର୍କକୁ ବୁଝିବାରେ କେନ୍ଦ୍ରିତ। ଭାରତରେ ଗଙ୍ଗା ପରିଦର୍ଶନ ସମୟରେ ସେ ନଦୀକୁ କେବଳ ଧାର୍ମିକ ପ୍ରତୀକ ଭାବେ ନୁହେଁ, ବରଂ ପ୍ରଦୂଷଣ ଓ ମାନବୀୟ ଅବହେଳାରେ ଜଡ଼ିତ ଏକ କାହାଣୀ ଭାବେ ଦେଖିଥିଲେ।
ବହୁଳ ଭାବରେ ଚର୍ଚ୍ଚିତ ଭିଡିଓରେ ଜେରେମି ୱେଡ୍ ଗଙ୍ଗାନଦୀର ଜଳ ପରୀକ୍ଷା କରିଥିଲେ ଏବଂ ଏହାକୁ ଫେକଲ କୋଲିଫର୍ମ ଜୀବାଣୁ ଦ୍ୱାରା ପ୍ରଦୂଷିତ ବୋଲି ପାଇଥିଲେ, ଯାହା ମାନବ ମଳର ଉପସ୍ଥିତିକୁ ସୂଚିତ କରିଥିଲା। ତାଙ୍କର ସରଳ ରାସାୟନିକ ପରୀକ୍ଷା ଆଶାକରାଯାଇଥିବା ପରିଷ୍କାର ଫଳାଫଳ ବଦଳରେ ହାଲୁକା ବାଦାମୀ ରଙ୍ଗ ଦେଖାଇଥିଲା, ଯାହା ଗୁରୁତର ପ୍ରଦୂଷଣ ସ୍ତରକୁ ଉଜାଗର କରିଥିଲା। ୱେଡ୍ଙ୍କ ପରୀକ୍ଷା, ବିଶେଷକରି କାନପୁର ଆଖପାଖ ଅଞ୍ଚଳରେ ମଳ ପ୍ରଦୂଷଣର ଉଚ୍ଚ ସ୍ତର ସୂଚାଇଥିଲା। କିଛି ରିପୋର୍ଟରେ ମଳ କୋଲିଫର୍ମ ସଂଖ୍ୟା ଉଚ୍ଚ ବୋଲି ଉଲ୍ଲେଖ କରାଯାଇଥିଲା, ଯାହା ଏକ ସମ୍ଭାବ୍ୟ ଜନସ୍ବାସ୍ଥ୍ୟ ଜରୁରିକାଳୀନ ପରିସ୍ଥିତିକୁ ଇଙ୍ଗିତ କରିଥିଲା। ସାଧାରଣତଃ ପାନୀୟ ଜଳରେ ଫେକଲ କୋଲିଫର୍ମର ପରିମାଣ ୦ ହେବା ଉଚିତ ଏବଂ ଯଦି ଏହା ୫୦୦ରୁ କମ୍ ଥାଏ ତେବେ ଏଥିରେ ପହଁରିପାରିବେ, କିନ୍ତୁ ଗଙ୍ଗାରେ ଏହାର ପରିମାଣ ୮୨,୦୦୦ ମିଳିଥିଲା । ଏହାର ଅର୍ଥ ହେଉଛି ଏଥିରେ ପହଁରିବା ଭୁଲିଯାଆନ୍ତୁ, ଏହାକୁ ଛୁଇଁବା ମଧ୍ୟ ନିଷେଧ। ପ୍ରକୃତରେ, ଯେତେବେଳେ ଜେରେମି ଗଙ୍ଗା ନଦୀରେ ତାଙ୍କର ରିମୋଟ କଣ୍ଟ୍ରୋଲ ସବ୍ମେରାଇନକୁ ତଳକୁ ଓହ୍ଲାଇଥିଲେ, ସେତେବେଳେ ସେ ଜଳପୃଷ୍ଠରେ ଅଳିଆ ସହ କେବଳ ପ୍ଲାଷ୍ଟିକ୍ ପାଇଥିଲେ। ତାଙ୍କ ସବ୍ମେରାଇନ ପ୍ଲାଷ୍ଟିକ୍ରେ ଫସିଯାଇଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଜାଣିପାରିଲେ ଯେ ଗଙ୍ଗା କ୍ରୋମିୟମ, ସୀସା ଏବଂ ଆର୍ସେନିକ୍ ଭଳି ରାସାୟନିକ ପଦାର୍ଥରେ ପରିପୂର୍ଣ୍ଣ। ଏହି ରାସାୟନିକ ପଦାର୍ଥଗୁଡ଼ିକ ପ୍ରକୃତରେ ଚମଡ଼ା କାରଖାନାରୁ ଆସିଥାଏ।
ୱେଡ ତାଙ୍କ ମାଇଟ ରିଭର୍ସ ଡକ୍ୟୁମେଣ୍ଟାରିରେ ଦେଖାଇଥିଲେ ଯେ ଅପରିଷ୍କାର ନର୍ଦ୍ଦମା ଏବଂ ଶିଳ୍ପ ନିର୍ଗତ ବର୍ଜ୍ୟ ନଦୀକୁ ଗୁରୁତର ପ୍ରଦୂଷିତ କରୁଛି, ଯାହା ପାଣିର ପବିତ୍ରତାର ଧାରଣାକୁ ଚ୍ୟାଲେଞ୍ଜ କରୁଛି। ଏହି ବୈଜ୍ଞାନିକ ମୂଲ୍ୟାଙ୍କନ ପରିବେଶଗତ ଅବକ୍ଷୟର ସତ୍ୟକୁ ଉଜାଗରକରି ଉନ୍ନତ ସଂରକ୍ଷଣ ପ୍ରୟାସର ଆବଶ୍ୟକତାକୁ ଉଲ୍ଲେଖ କରିଥିଲା।
ଭାରତର ପବିତ୍ର ନଦୀ ଭାବରେ ବିବେଚିତ ଗଙ୍ଗାକୁ କେବଳ ଧାର୍ମିକ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ନୁହେଁ ବରଂ ଜୀବନର ପ୍ରତୀକ ଭାବରେ ଦେଖାଯାଏ। ଏହାର କୂଳରେ ଅନେକ ସଭ୍ୟତା ଜନ୍ମ ନେଇଥିଲା। କିନ୍ତୁ ୱେଡ୍ଙ୍କ ସମୟରେ ଯେଉଁ ଚିତ୍ର ଦେଖାଯାଇଥିଲା ତାହା ଏକ କଷ୍ଟକର ବାସ୍ତବତା ।
ସେ ଦେଖିଥିଲେ ଯେ ଚମଡ଼ା କାରଖାନା ଏବଂ ଅନ୍ୟାନ୍ୟ ଶିଳ୍ପ ପ୍ରତିଷ୍ଠାନ ସେମାନଙ୍କର ବର୍ଜ୍ୟବସ୍ତୁ ଏବଂ ବିଷାକ୍ତ ରାସାୟନିକ ପଦାର୍ଥଗୁଡ଼ିକୁ ଗଙ୍ଗାରେ ବିନା କୌଣସି ପ୍ରତିବନ୍ଧକରେ ଛାଡ଼ି ଦେଉଥିଲେ। ଏହି ପ୍ରଦୂଷଣ କେବଳ ଜଳକୁ ପ୍ରଦୂଷିତ କରୁ ନ ଥିଲା, ବରଂ ଜଳଜୀବଙ୍କ ପାଇଁ ବିପଦ ସୃଷ୍ଟି କରୁଥିଲା। ତାଙ୍କ ଅଭିଜ୍ଞତାରେ ୱେଡ୍ ଗଙ୍ଗାରେ ଜୀବମାନଙ୍କୁ ଦେଖିବା ବିଷୟରେ ବର୍ଣ୍ଣନା କରିଥିଲେ,ଯେଉଁମାନେ ସେମାନଙ୍କର ପ୍ରାକୃତିକ ରୂପ ହରାଇ ବସିଥିଲେ। ମାଛ ଉପରେ କ୍ଷତ, ଅସ୍ବାଭାବିକ ରଙ୍ଗ ପରିବର୍ତ୍ତନ ଏବଂ କିଛି ପ୍ରଜାତି ସମ୍ପୂର୍ଣ୍ଣ ଲୋପପାଇବା ଚିନ୍ତାର କାରଣ ଥିଲା। ଏହିସବୁ ପ୍ରମାଣିତ କରିଥିଲା ଯେ ଚମଡ଼ା କାରଖାନାରୁ ନିର୍ଗତ କ୍ରୋମିୟମ ଏବଂ ଅନ୍ୟାନ୍ୟ ବିଷାକ୍ତ ପଦାର୍ଥ ପାଣିରେ ମିଶି ସମଗ୍ର ପରିବେଶକୁ ନଷ୍ଟକରୁଥିଲା। ୱେଡ୍ ମଧ୍ୟ ସ୍ପଷ୍ଟ କରିଥିଲେ ଯେ ଏହି ପ୍ରଦୂଷଣ କେବଳ ମାଛ ପାଇଁ ନୁହେଁ , ବରଂ ଏହା ମାନବ ସମାଜ ପାଇଁ ଏକ ବିପଦ ସଙ୍କେତ ଥିଲା। ସେ ଦେଖିଥିଲେ ଯେ ମତ୍ସ୍ୟଜୀବୀମାନେ ଗଙ୍ଗାରୁ ଧରିଥିବା ମାଛ ସ୍ବାସ୍ଥ୍ୟ ପାଇଁ ଏତେ ଖରାପ ଯେ ବଜାରରେ ସେସବୁ ବିକ୍ରି କରିବା କଷ୍ଟକର। ଏହା ବ୍ୟତୀତ ଚର୍ମରୋଗ, ପେଟରୋଗ ଏବଂ ଅନ୍ୟାନ୍ୟ ସଂକ୍ରମଣ ଭଳି ପ୍ରଦୂଷିତ ଜଳ ଦ୍ୱାରା ହେଉଥିବା ରୋଗ ସାଧାରଣ ହୋଇଯାଇଛି। ଓ୍ବେଡ୍ ଏହି ସମସ୍ୟାକୁ ଏକ ସତର୍କଘଣ୍ଟି ଭାବରେ ଦେଖିଲେ ଯାହା ଆମକୁ ସତର୍କ କରାଇ ଦେଉଛି ଯେ ଯଦି ଏବେ ପଦକ୍ଷେପ ନ ନେଉ, ତେବେ ଆମେ ଜୀବନକୁ ବିପଦରେ ପକାଇବୁ। ୱେଡ୍ଙ୍କ ଦୃଷ୍ଟିକୋଣ ସର୍ବଦା ଜଣେ ବୈଜ୍ଞାନିକ ଏବଂ କାହାଣୀକାରଙ୍କ ପରି ରହିଆସିଛି। ସେ ଗଙ୍ଗାକୁ ତାଙ୍କର ଯାତ୍ରାର କେବଳ ଏକ ଅଭିଜ୍ଞତା ଭାବରେ ନୁହେଁ ବରଂ ଏକ ବାର୍ତ୍ତା ଭାବରେ ଦେଖିଥିଲେ। ସେ କହିଥିଲେ, ଗଙ୍ଗା ଭଳି ପବିତ୍ର ଜଳକୁ ରକ୍ଷାକରିବା କେବଳ ଭାରତର ଦାୟିତ୍ୱ ନୁହେଁ, ବରଂ ସମସ୍ତ ମାନବ ସମାଜର ଦାୟିତ୍ୱ। ଏହି ନଦୀ କେବଳ ଏକ ଭୌଗୋଳିକ ଧାରା ନୁହେଁ; ଏହା ଏକ ଧାରା ଯାହା ମାନବତାକୁ ସଂଯୋଗକରେ, ଯାହା ସଂସ୍କୃତିକୁ ଜୀବନ୍ତ ରଖେ ଏବଂ ଯାହା ପ୍ରକୃତି ସହ ଆମର ସମ୍ପର୍କକୁ ମଜଭୁତ କରେ। ଯଦି ଆମେ ଏହାକୁ ଅଦୃଶ୍ୟ ହେବାକୁ ଦେଉ, ତେବେ ଆମେ ଆମର ଇତିହାସ, ଆମର ଧର୍ମ ଏବଂ ଆମର ଭବିଷ୍ୟତକୁ ନଷ୍ଟ କରିଦେବୁ।
ସେ ଚମଡ଼ା କାରଖାନାରୁ ପ୍ରଦୂଷଣକୁ ଏକ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ ଯେ ପୁଞ୍ଜିବାଦ ଏବଂ ଶିଳ୍ପ ଲୋଭ କିପରି ପ୍ରକୃତିକୁ ନଷ୍ଟ କରୁଛି। ଏହାର ପ୍ରଦୂଷଣ କେବଳ ପରିବେଶ ପ୍ରତି ନୁହେଁ ବରଂ ଧାର୍ମିକ ଏବଂ ସାଂସ୍କୃତିକ ଦିଗ ପ୍ରତି ମଧ୍ୟ ଅପମାନ। ଜେରେମି ୱେଡ୍ଙ୍କ ଗସ୍ତ ଏକ କାହାଣୀ ପାଲଟିଥିଲା ଯାହା ଆମକୁ ଚିନ୍ତା କରିବାକୁ ବାଧ୍ୟକରେ। ସେ ଯାହା ଦେଖିଲେ ତାହା ଏକ ଚିତ୍ର ଯାହା ଆମ ସମସ୍ତଙ୍କୁ ଆମର କାର୍ଯ୍ୟର ପୁନର୍ବିଚାର କରିବାକୁ ପ୍ରେରଣା ଦିଏ। ଗଙ୍ଗାରେ ମାଛଙ୍କ ମୃତ୍ୟୁ କେବଳ ଏକ ପ୍ରାକୃତିକ ଘଟଣା ନୁହେଁ; ଏହା ଏକ ସଙ୍କେତ ଯାହା ଆମକୁ କହୁଛି ଯେ ଆମେ ଆମର ନିଜ ଜୀବନକୁ ବିପଦରେ ପକାଉଛୁ। ୱେଡ୍ଙ୍କ ବାର୍ତ୍ତା ସ୍ପଷ୍ଟ ଥିଲା: ଯଦି ଆମେ ଏବେ ପଦକ୍ଷେପ ନ ନେଉ, ତେବେ ଆମେ କେବଳ ଏକ ନଦୀ ନୁହେଁ ବରଂ ଆମର ଇତିହାସ, ଧର୍ମ ଏବଂ ଭବିଷ୍ୟତ ହରାଇବୁ।
ସୁଜନପୁର, ଯାଜପୁର
ମୋ: ୯୪୩୭୨୮୮୦୨୮

