ଅନିନ୍ଦିତାଙ୍କୁ କବିତା ଦେଇଛି ସଫଳତା

ଜୟପୁର,୧୫ା୩ (ନି.ପ୍ର.):ଅନ୍ତର୍ଜାତୀୟ ସାହିତ୍ୟ ଦୁନିଆରେ ନିଜ ପାଇଁ ସ୍ଥାନ ତିଆରି କରୁଛନ୍ତି କୋରାପୁଟ ଜିଲା ଜୟପୁର ସହରର ଯୁବ ଲେଖିକା ଅନିନ୍ଦିତା ଜାହ୍ନବୀ ସୁଆର। ପାଠପଢା ସାଙ୍ଗକୁ କବିତା ଲେଖିବାରେ ରୁଚି ରଖୁଥିବା ଅନିନ୍ଦିତାଙ୍କ ତୃତୀୟ କବିତା ସଂକଳନ ୧୩ଟି ଦେଶରେ ପ୍ରକାଶ ପାଇଛି ବୟସ ଅଳ୍ପ ହେଲେ ମଧ୍ୟ ଉଚ୍ଚକୋଟୀର ଭାବନା ତଥା ଶବ୍ଦ ସଂଯୋଜନା ତାଙ୍କୁ ଆଣି ଦେଇଛି ସଫଳତା। ତାଙ୍କ ପାଇଁ ସୃଷ୍ଟି କରିଛି ନୂଆ ପରିଚୟ।
ଏହି କବିତା ସଂକଳନ ପ୍ରିଲ୍ୟୁଡସ୍‌ ଅଫ୍‌ ଲଭ୍‌ରେ ରହିଛି ୩ଟି କବିତା। ଏହାର ପ୍ରକାଶନ ଦାୟିତ୍ୱ ନେଇଛି ମୁମ୍ବାଇର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ସିଲ ପବ୍ଲିଶର। ଅନଲାଇନରେ ଏହାର ବିକ୍ରି ଦାୟିତ୍ୱ ନେଇଛନ୍ତି ଆମାଜନ, ଫ୍ଲିପକାର୍ଟ ଭଳି ୮ଟି ସଂସ୍ଥା। ଏହା ପୂର୍ବରୁ ଅନିନ୍ଦିତାଙ୍କ ୧୬ଟି କବିତାକୁ ନେଇ ଫ୍ଲେମ୍ସ ଅଫ ଏ ବର୍ନିଂ ହାର୍ଟ ଏବଂ ୧୭ଟି କବିତାକୁ ନେଇ ସ୍ନୋଫ୍ଲେକ୍ସ ନାମକ କବିତା ସଂକଳନ ପ୍ରକାଶ ପାଇସାରିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଅନିନ୍ଦିତା ସ୍କୁଲରେ ପଢା ସମୟରୁ ହିଁ କବିତା ଲେଖି ଆସୁଛନ୍ତି। ପ୍ରଥମେ ତାଙ୍କର କ୍ଷୁଦ୍ର କବିତା ସଂକଳନ ସିକ୍ରେଟ ଟୁଲିପ୍ସ ପ୍ରକାଶିତ ହୋଇଥିଲା। ତାଙ୍କ ବାପା ରବୀନ୍ଦ୍ର କୁମାର ସୁଆର ଆଇନ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ହୋଇଥିବା ବେଳେ ମା’ ସୁନୀତା ସ୍ଥାନୀୟ ଏକ ଘରୋଇ ବିଦ୍ୟାଳୟର ଶିକ୍ଷୟିତ୍ରୀ। ତାଙ୍କର କବିତା ପ୍ରତି ଆଗ୍ରହ ଦେଖି ପିଲାଦିନରୁ ମା’ବାପା ଉଭୟେ ଉତ୍ସାହିତ କରିଛନ୍ତି ବୋଲି କହନ୍ତି ଅନିନ୍ଦିତା।