କେନ୍ଦୁଝରର ଗୌରବ: ବିଶିଷ୍ଟ କବି ଭୈରବ ଚନ୍ଦ୍ର ବେହେରାଙ୍କୁ ମିଳିଲା ମର୍ଯ୍ୟାଦାଜନକ ‘ଉତ୍କଳ ସାହିତ୍ୟ ରତ୍ନ ସମ୍ମାନ’

ପାଟଣା,୧୮।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ଜାମୁନାଳିଆ ଗ୍ରାମର ବିଶିଷ୍ଟ କବି, ଗାଳ୍ପିକ ତଥା ଶିକ୍ଷାବିତ୍ ଭୈରବ ଚନ୍ଦ୍ର ବେହେରାଙ୍କୁ ସମ୍ମାନଜନକ ‘ଉତ୍କଳ ସାହିତ୍ୟ ରତ୍ନ ସମ୍ମାନ’ରେ ସମ୍ମାନିତ କରାଯାଇଛି । ଓଡ଼ିଆ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ସ୍ୱରୂପ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ପୁରୀ ଜିଲା କାକଟପୁରସ୍ଥିତ ଦୀପ୍ତି ଅଡିଟୋରିୟମଠାରେ ଆୟୋଜିତ ରାଜ୍ୟସ୍ତରୀୟ ‘ଶିଶିର ମହୋତ୍ସବ-୨୦୨୬’ ଅବସରରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସହଭାଗିତାରେ ‘ସଙ୍ଗୀତ ମୂର୍ଚ୍ଛନା’ ଏବଂ ‘ଓଡ଼ିଶା କଲଚର ଆର୍ଟ ଏକାଡେମୀ’ ପକ୍ଷରୁ ଏହି ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଶ୍ରୀ ବେହେରାଙ୍କ ରଚିତ ଦୁଇଟି ଲୋକପ୍ରିୟ ପୁସ୍ତକ ‘ଭକ୍ତ ହନୁମାନ’ ଏବଂ ‘ଶ୍ରୀଜଗନ୍ନାଥ ଚରିତାମୃତ’ ପୂର୍ବରୁ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିସାରିଛି ।

ଏହି ସମ୍ବର୍ଦ୍ଧନା ସମାରୋହରେ ଶିଶିର ମହୋତ୍ସବର ସଭାପତି ତଥା ସଙ୍ଗୀତ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଏକାଡେମୀର ସଦସ୍ୟ ବସନ୍ତ କୁମାର ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମ୍ପାଦକ ଅଶୋକ କୁମାର ଏବଂ ବିଶିଷ୍ଟ ବ୍ୟଙ୍ଗକବି ହାସ୍ୟକୁମୁଦ ଡଃ ସମ୍ପଦ କୁମାର ରଥଙ୍କ ସମେତ ବହୁ ମାନ୍ୟଗଣ୍ୟ ଶିକ୍ଷାବିତ୍ ଓ ସାହିତ୍ୟିକ ଉପସ୍ଥିତ ଥିଲେ । ତାଙ୍କର ଏହି ସଫଳତା ପାଇଁ ପାଟଣା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

Dharitri – Odisha’s No.1 Odia Daily

Share