PNB ୟୁଜର୍ସଙ୍କ ପାଇଁ ଆଜିଠାରୁ ବଦଳିଗଲା ନିୟମ; ଟଙ୍କା ଉଠାଣରୁ ଏସବୁ କାମ ପାଇଁ ଗଣିବାକୁ ପଡ଼ିବ ଅଧିକ ଟଙ୍କା!

ନୂଆଦିଲ୍ଲୀ,୧।୧୧:ଯଦି ଆପଣଙ୍କ ପାଖରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର ଭିସା (Visa) କିମ୍ୱା ରୂପେ (RuPay) କ୍ରେଡିଟ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ବ୍ୟାଙ୍କ ନିଜର କ୍ରେଡିଟ କାର୍ଡ ନିୟମ ଓ ଚାର୍ଜରେ ବଡ଼ ଧରଣର ପରିବର୍ତ୍ତନ କରିଛି, ଯାହା ୧ ନଭେମ୍ୱର ୨୦୨୬ରୁ ଲାଗୁ ହେଉଛି। ଏବେ ଏଟିଏମରୁ ନଗଦ ଟଙ୍କା ଉଠାଇବା, ବିଳମ୍ୱରେ ବିଲ ପୈଠ (ଲେଟ ପେମେଣ୍ଟ), ୟୁଟିଲିଟି ବିଲ ପେମେଣ୍ଟ ଏବଂ ଏପରିକି ପେମେଣ୍ଟ ଫେଲ ହେବା ଉପରେ ମଧ୍ୟ ପୂର୍ୱ ଅପେକ୍ଷା ଭିନ୍ନ (ଏବଂ କେତେକ କ୍ଷେତ୍ରରେ ଅଧିକ) ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଜାଣନ୍ତୁ PNB କ୍ରେଡିଟ କାର୍ଡ ନିୟମରେ କ’ଣ କ’ଣ ବଦଳିଛି ଏବଂ ଆପଣଙ୍କୁ କେଉଁ କଥା ଉପରେ ଧ୍ୟାନ ଦେବାକୁ ପଡ଼ିବ।

PNB Credit Card New Rules

PNB ନିଜ କ୍ରେଡିଟ କାର୍ଡ ସହ ଜଡ଼ିତ ଅନେକ ଶୁଳ୍କ (ଚାର୍ଜେସ)ରେ ସଂଶୋଧନ କରିଛି:

ଲେଟ ପେମେଣ୍ଟ ଫି’ (ବିଳମ୍ୱିତ ଦେୟ ଶୁଳ୍କ):
ଯଦି ଆପଣ କ୍ରେଡିଟ କାର୍ଡ ବିଲ ସମୟ ଅନୁଯାୟୀ ପୈଠ ନ କରନ୍ତି, ତେବେ ମୋଟ ବକେୟା ରାଶି (Total Outstanding Amount) ଆଧାରରେ ଲେଟ ପେମେଣ୍ଟ ଫି’ ଧାର୍ଯ୍ୟ ହେବ:
* ୫୦୦ ଟଙ୍କା ବା ତା’ଠାରୁ କମ ବିଲ ଉପରେ: ୦ (କୌଣସି ଚାର୍ଜ ଲାଗିବ ନାହିଁ)
* ୫୦୧ ରୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ: ୫୦୦ ଟଙ୍କା
* ୧,୦୦୧ ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ: ୭୫୦ ଟଙ୍କା
* ୧୦,୦୦୧ ରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ: ୧,୦୦୦ ଟଙ୍କା
* ୫୦,୦୦୦ ଟଙ୍କାରୁ ଅଧିକ ହେଲେ: ୧,୨୦୦ ଟଙ୍କା

ଅଟୋ-ଡେବିଟ କିମ୍ୱା ଚେକ ବାଉନ୍ସ ପେନାଲ୍ଟି:

ଯଦି ଆପଣ କ୍ରେଡିଟ କାର୍ଡ ବିଲ ପାଇଁ ଅଟୋ-ଡେବିଟ (Auto-Debit) ସେଟ କରିଛନ୍ତି କିମ୍ୱା ଚେକ ଦେଇଛନ୍ତି ଏବଂ ତାହା କୌଣସି କାରଣରୁ ଫେଲ ହୋଇଯାଏ, ତେବେ ବ୍ୟାଙ୍କ ଏବେ ପ୍ରତି ଇନ୍ସଟ୍ରୁମେଣ୍ଟ ପିଛା ୧୦୦ ଟଙ୍କା ଚାର୍ଜ ଆଦାୟ କରିବ। ଫିକ୍ସଡ ଡିପୋଜିଟ (FD) ଆଧାରରେ ଜାରି ହୋଇଥିବା କ୍ରେଡିଟ କାର୍ଡରେ ଲେଟ ପେମେଣ୍ଟ ଫି’ ସର୍ୱନିମ୍ନ ବକେୟା ଦେୟ (Minimum Amount Due)ର ୩୦% ହେବ (ଯାହା ପ୍ରତି ବିଲିଂ ସାଇକେଲରେ ସର୍ୱନିମ୍ନ ୨୦୦ ଟଙ୍କା ଏବଂ ସର୍ୱାଧିକ ୫୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ)।

ଡୁପ୍ଲିକେଟ ଷ୍ଟେଟମେଣ୍ଟ ଚାର୍ଜ:

ଅନଲାଇନ ଇ-ଷ୍ଟେଟମେଣ୍ଟ (E-Statement) ପୂର୍ୱ ଭଳି ସମ୍ପୂର୍ଣ୍ଣ ମାଗଣା ରହିବ। କିନ୍ତୁ ଯଦି ଆପଣଙ୍କୁ ୩ ମାସରୁ ଅଧିକ ପୁରୁଣା ଡୁପ୍ଲିକେଟ ଷ୍ଟେଟମେଣ୍ଟ ଦରକାର, ତେବେ ପ୍ରତି ମାସ ହିସାବରେ ୫୦ ଟଙ୍କା ଫି’ ଦେବାକୁ ପଡ଼ିବ।

ATM କ୍ୟାସ ଉଠାଣ, ୟୁଟିଲିଟି ବିଲ ଏବଂ ରିୱାର୍ଡ ପଏଣ୍ଟ:

ଏଟିଏମରୁ ନଗଦ ଟଙ୍କା ଉଠାଇବା (ATM Cash Withdrawal), ରିୱାର୍ଡ ପଏଣ୍ଟସ ରିଡିମ କରିବା ଏବଂ କ୍ରେଡିଟ କାର୍ଡ ଜରିଆରେ ୟୁଟିଲିଟି ବିଲ ପେମେଣ୍ଟ କରିବା ଉପରେ ମଧ୍ୟ ନୂଆ ନିୟମ ତଥା ସଂଶୋଧିତ ଚାର୍ଜେସ ଲାଗୁ ହେବ।

PNB କାର୍ଡଧାରୀମାନେ ଏବେ କ’ଣ କରିବା ଉଚିତ?

ବିଳମ୍ୱ ଶୁଳ୍କରୁ ବର୍ତ୍ତିବା ପାଇଁ: ବିଲ ପୈଠ କରିବାର ଶେଷ ତାରିଖଠାରୁ ୨-୩ ଦିନ ପୂର୍ୱରୁ ହିଁ ପେମେଣ୍ଟ କରିଦିଅନ୍ତୁ।
ବାଉନ୍ସ ଚାର୍ଜ ନ ଲାଗିବା ପାଇଁ: ଯଦି ଅଟୋ-ଡେବିଟ ସେଟ କରିଛନ୍ତି, ତେବେ ବିଲ କଟିବା ତାରିଖରେ ନିଜ ଖାତାରେ ଆବଶ୍ୟକୀୟ ବାଲାନ୍ସ ରଖନ୍ତୁ, ଯାହାଫଳରେ ୧୦୦ ଟଙ୍କାର ବାଉନ୍ସ ଚାର୍ଜ ଲାଗିବ ନାହିଁ।
ଷ୍ଟେଟମେଣ୍ଟ ଚାର୍ଜରୁ ବର୍ତ୍ତିବା ପାଇଁ: ପୁରୁଣା ଷ୍ଟେଟମେଣ୍ଟ ପାଇଁ ଶୁଳ୍କ ଦେବାକୁ ନ ପଡ଼ିବା ପାଇଁ ନିଜ ଇମେଲ୍କୁ ଆସୁଥିବା ଇ-ଷ୍ଟେଟମେଣ୍ଟକୁ ସୁରକ୍ଷିତ ଭାବେ ସାଇତି ରଖନ୍ତୁ।

Share