ଭୁବନେଶ୍ୱର,୧୯।୬: ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ଏହି ଆଗାମୀ ଓଡ଼ିଶା ଗସ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଧାନମନ୍ତ୍ରୀ ନିଜର ଏହି ଗସ୍ତ ନେଇ ଓଡ଼ିଆ ଭାଷାରେ ଟୁଇଟ କରି ଓଡ଼ିଶାବାସୀଙ୍କୁ ଜଣାଇଛନ୍ତି ।
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିଜ ଜିଲା ମୟୂରଭଞ୍ଜ ଗସ୍ତ କରିବା ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ରାଷ୍ଟ୍ରପତିଙ୍କ ସହିତ ସେ ତାଙ୍କ ଗାଁ ପାହାଡ଼ପୁରକୁ ମଧ୍ୟ ଯିବେ ବୋଲି ଓଡ଼ିଆରେ ଲେଖି ସ୍ପଷ୍ଟ କରିଛନ୍ତି ।
ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ। ରାଜ୍ୟରେ ଭାଜପା ସରକାର ସଫଳତାର ସହ ଦୁଇ ବର୍ଷ ସମ୍ପୂର୍ଣ୍ଣ କରିଥିବାରୁ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି, ଯେଉଁଠାରେ ମୋଦି ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିବେ ।
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଅବସରରେ ରାଜ୍ୟବାସୀଙ୍କୁ ଏକ ବଡ଼ ଉପହାର ମିଳିବାକୁ ଯାଉଛି । ସେ ରାଜ୍ୟରେ ପ୍ରାୟ ୪୭ ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ଏହି ମେଗା ପ୍ରକଳ୍ପଗୁଡ଼ିକ ଉଦଘାଟିତ ହେବା ଦ୍ୱାରା ଓଡ଼ିଶାର ଭିତ୍ତିଭୂମି ଏବଂ ପ୍ରଗତି ଆହୁରି ତ୍ୱରାନ୍ବିତ ହେବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି ।
Dharitri – Odisha’s No.1 Odia Daily