Categories: ଜାତୀୟ

‘୭୦ ବର୍ଷରେ ଭାରତ ଯାହା କରିଥିଲା, ସବୁ ବିକି ଦେଲେ ମୋଦି’

ନୂଆଦିଲ୍ଲୀ,୨୪।୮: ଗତ ୭୦ ବର୍ଷରେ ଭାରତରେ ସୃଷ୍ଟି କରାଯାଇଥିବା ସମସ୍ତ ସମ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶିଳ୍ପପତି ବନ୍ଧୁମାନଙ୍କୁ ବିକ୍ରି କରି ଦେଉଛନ୍ତି। ଏଭଳି କେନ୍ଦ୍ର ସରକାରଙ୍କ ଜାତୀୟ ମୋନେଟାଇଜେଶନ ପାଇପ୍‌ଲାଇନ (ଏନ୍‌ଏମ୍‌ପି)କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ଗତ ୭୦ ବର୍ଷରେ ପୂର୍ବ ସରକାର ଲୋକଙ୍କ ଟଙ୍କାରେ ଯେଉଁ ସବୁ ସମ୍ପତ୍ତି ସୃଷ୍ଟି କରିଥିଲେ, ସେଗୁଡ଼ିକୁ ମୋଦିଙ୍କ ନେତୃତ୍ୱାଧୀନ ସରକାର ବିକ୍ରି କରୁଛନ୍ତି। କେନ୍ଦ୍ର ସରକାରଙ୍କ ଏଭଳି ଘରୋଇକରଣ ନୀତିର ମୂଖ୍ୟ ଲକ୍ଷ୍ୟ ହେଉଛି ପ୍ରମୁଖ କ୍ଷେତ୍ରରେ ଏକଚାଟିଆ ବ୍ୟବସ୍ଥା କରିବା। ଯାହା ଫଳରେ ଲୋକେ ଚାକିରି ହରାଇବେ ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଖବରଦାତା ସମ୍ମିଳନୀରେ କହିଛନ୍ତି। ଏହି ଅବସରରେ ଉପସ୍ଥିତ ଥିଲେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ।

ମୋଦି ସରକାରଙ୍କ ଦ୍ୱାରା ବିକ୍ରି କରାଯାଇଥିବା ଜାତୀୟ ସମ୍ପତ୍ତିର ଏକ ତାଲିକାକୁ ରାହୁଲ ଗଣମାଧ୍ୟମକୁ ଦେଖାଇଛନ୍ତି। ତାଲିକାରେ ଜାତୀୟ ରାଜପଥଠୁ ଆରମ୍ଭ କରି ରେଲ୍‌ଓ୍ବେ, ପାଓ୍ବାର ଟ୍ରାନ୍ସମିଶନ, ପ୍ରାକୃତିକ ଗ୍ୟାସ ପାଇପ୍‌ଲାଇନ, ପେଟ୍ରୋଲ ପାଇପ୍‌ଲାଇନ, ଟେଲିକମ, ବିମାନ ବନ୍ଦର, ଷ୍ଟାଡିୟମ ଭଳି ଅନେକ ଜାତୀୟ ସମ୍ପତ୍ତି ରହିଛି।

ତେବେ ଘରୋଇକରଣ ନୀତିକୁ ଆମେ ବିରୋଧ କରୁ ନାହୁଁ। କିନ୍ତୁ ଘରୋଇକରଣ ପାଇଁ ଏକ ନିର୍ଦ୍ଧାରିତ ପ୍ରକ୍ରିୟା ରହିବା ଉଚିତ ବୋଲି ରାହୁଲ କହିଛନ୍ତି।

Share