କରୋନାକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କଲେ ପ୍ରଧାନମନ୍ତ୍ରୀ: କହିଲେ, ସତର୍କ ରହିବା ଜରୁରୀ

ନୂଆଦିଲ୍ଲୀ,୨୭।୪: ଗତ ୨ସପ୍ତାହ ଧରି ଦେଶରେ ବର୍ଦ୍ଧିତ କରୋନା ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଧ୍ୟାହ୍ନ ୧୨ଟାରେ ଭିଡିଓ କନଫରେନ୍ସିଂରେ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏଥିରେ ରାଜ୍ୟର କରୋନା ସ୍ଥିତି ଉପରେ ଆଲୋଚନା ହୋଇଥିଲା। ଗତ ୨ ସପ୍ତାହ ମଧ୍ୟରେ କରୋନା ମାମଲା ବୃଦ୍ଧି ପାଇଛି।

ଏବେ ବି ଦେଶରେ କରୋନା ସଙ୍କଟ ସମ୍ପୂର୍ଣ୍ଣ ଭାବେ ଟଳିନାହିଁ। ଓମିକ୍ରନ ଓ ଏହାର ସବ୍‌ ଭାରିଆଣ୍ଟ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରେ। ୟୁରୋପ ଦେଶରେ କିପରି କରୋନା ନିଜର ତାଣ୍ଡବ ରଚୁଛି ତାହା ଆମେ ସ୍ପଷ୍ଟ ଦେଖିପାରୁଛେ। ତେବେ ଆଗାମୀ ଦିନରେ ଆମକୁ ଆହୁରି ସତର୍କ ରହିବାକୁ ପଡ଼ିବ ବୋଲି ଉକ୍ତ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଗତ ୨ବର୍ଷ ମଧ୍ୟରେ କରୋନା ସମ୍ବନ୍ଧରେ ଏହା ହେଉଛି ୨୪ତମ ବୈଠକ।

ଏତଦ୍‌ ବ୍ୟତୀତ ମୋଦି କହିଛନ୍ତି, ଭାରତର ବୈଜ୍ଞାନିକ ଓ ବିଶେଷଜ୍ଞମାନେ ନିରନ୍ତର ଭାବେ ଜାତୀୟ ଏବଂ ବିଶ୍ୱ ପରିସ୍ଥିତି ଉପରେ ନଜର ରଖୁଛନ୍ତି। ସେମାନଙ୍କ ପରାମର୍ଶ ଉପରେ ଆମକୁ ସାମୂହିକ ଦୃଷ୍ଟିକୋଣ ସହିତ କାର୍ଯ୍ୟ କରିବାକୁ ପଡିବ। ପ୍ରାରମ୍ଭରୁ ହିଁ ସଂକ୍ରମଣ ବନ୍ଦ କରିବା ଆମର ପ୍ରାଥମିକତା ଥିଲା, ଆଜି ବି ଏହା ସମାନ ରହିବା ଉଚିତତ୍ୱୋଲି ମୋଦି କହିଛନ୍ତି। ଅନ୍ୟପଟେ ଦୀର୍ଘ ଦିନ ପରେ ଦେଶରେ ସ୍କୁଲ ଖୋଲିଛି।

ଏଭଳି ପରିସ୍ଥିତିରେ କରୋନା ମାମଲା ବୃଦ୍ଧି ଯୋଗୁ ଏବେ ଅଭିଭାବକଙ୍କ ଚିନ୍ତା ବଢ଼ିଛି। ଅନେକ ସ୍ଥାନରେ ପିଲାମାନେ ସଂକ୍ରମିତ ହେବାର ମାମଲା ମଧ୍ୟ ସାମ୍ନାକୁ ଆସୁଛି। କିନ୍ତୁ ଇତିମଧ୍ୟରେ ଏକ ସନ୍ତୋଷଜନକ ଖବର ରହିିଛି ଯେ, କରୋନା ଲଢ଼େଇରେ ମୁଖ୍ୟ ଅସ୍ତ୍ର ସାଜିଥିବା ଭାକ୍ସିନ ଏବେ ପିଲାମାନଙ୍କ ପାଇଁ ରକ୍ଷାସୂତ୍ର ପାଲଟିଛି। ମଙ୍ଗଳବାର ୫ରୁ ୧୨ବର୍ଷ ବୟସର ପିଲାମାନଙ୍କ ପାଇଁ କରୋନା ଟିକାକରଣ ଲାଗି ଅନୁମତି ଦିଆଯାଇଛି। ପୂର୍ବ ପରି ବିଦ୍ୟାଳୟରେ ଟିକାକରଣର ଏକ ସ୍ବତନ୍ତ୍ର ଅଭିଯାନ ଚଳାଇବାକୁ ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

Share