Categories: ଜାତୀୟ

ଲେହରେ ଗର୍ଜିଲେ ମୋଦି

ଲେହ,୩।୭: ସମସ୍ତଙ୍କୁ ଚକିତ କଲାଭଳି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ସେ ଚାଇନା ଉପରେ ଖୁବ୍‌ ବର୍ଷିଛନ୍ତି। ସେଠାରେ ସେ ଭାରତୀୟ ସେନାଙ୍କୁ ସମ୍ବୋଧନ ଦେବା ଅବସରରେ କହିଛନ୍ତି ବିସ୍ତାରବାଦର ଯୁଗ ଶେଷ ହୋଇଛି ଏବେ ବିକାଶବାଦର ସମୟ ଆସିଯାଇଛି। କ୍ଷୀପ୍ର ଗତିରେ ବଦଳୁଥିବା ସମୟରେ ବିକାଶବାଦ ଆରମ୍ଭ ମାତ୍ର। ଏବେ ବିକାଶବାଦର ସମୟ ଆସିଛି ଓ ଏହା ଭବିଷ୍ୟତର ଆଧାର ବୋଲି ସେ କହିଛନ୍ତି। ତେବେ ଅତୀତରେ ବିସ୍ତାରବାଦ ହିଁ ମାନବଜାତିର ସବୁଠାରୁ ବଡ ଅସୁବଧା ସୃଷ୍ଟି କରିଛି। ଏମିତିକି ମାନବିକତାକୁ ବିନାଶ କରିଛି। ଯେତେବେଳେ କାହା ପାଖରେ ବିସ୍ତାରବାଦର ଭୂତ ମୁଣ୍ଡକୁ ଆସିଥାଏ ସେତେବେଳେ ସେ ବିଶ୍ୱ ଶାନ୍ତି ସମ୍ମୁଖରେ ଅସୁବିଧା ସୃଷ୍ଟି କରିଥାଏ। ଇତିହାସ ଏହାର ସାକ୍ଷୀ ବୋଲି ସେ କହିଛନ୍ତି। ଏବେ ସାରା ବିଶ୍ୱ ବିସ୍ତାରବାଦ ବିରୋଧରରେ ସ୍ବର ଉତ୍ତୋଳନ କରୁଥିବା ବେଳେ ଆଜି ବିଶ୍ୱ ବିକାଶବାଦକୁ ସମର୍ପିତ ହୋଇଛି। ମୋଦି କହିଛନ୍ତି ଯେବେ ବି ସେ ରାଷ୍ଟ୍ରର ସୁରକ୍ଷା ସହ ଜଡିତ କିଛି ନିଷ୍ପତ୍ତିକୁ ନେଇ ଚିନ୍ତା କରିଥାଆନ୍ତି ସେତେବେଳେ ସେ ଦୁଇ ମା’ଙ୍କ କଥା ପ୍ରଥମେ ସ୍ମରଣରେ ଆଣନ୍ତି। ପ୍ରଥମେ ଭାରତ ମାତା ଦ୍ୱିତୀୟରେ ସେହି ମା’ ଯେଉଁମାନେ ଆପଣମାନଙ୍କ ଭଳି ପରାକ୍ରମି ଯୋଦ୍ଧାଙ୍କୁ ଜନ୍ମ ଦେଇଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ମୋଦି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏଓ୍‌) ବିପିନ ରାଓ୍ବତଙ୍କ ସହ ଲେହ ପହଞ୍ଚିଥିଲେ। ସେଠାରେ ସେ ଚାଇନା ସହ ଲାଗିଥିବା ସୀମା ବିବାଦର ମ୍ୟାପ ଦେଖିଥିଲେ। ସେଠାରେ ସେନାଙ୍କୁ ସମ୍ବୋଧନ କରିବା ଅବସରରେ ମୋଦି କହିଥିଲେ, ଆପଣମାନେ ଯେଉଁ ବୀରତାର ପରିଚୟ ଦେଇଛନ୍ତି ତାହା ସାରା ବିଶ୍ୱ ଦେଖିଛି। ଭାରତର ଶକ୍ତି କେତେ ତାହା ମଧ୍ୟ ବିଶ୍ୱ ଜାଣିଛି। ଗଲଓ୍ବାନ ଘାଟିରେ ଶହୀଦ ହୋଇଥିବା ସେନାଙ୍କୁ ସେ ପୁଣିଥରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ ସେମାନଙ୍କ ପରାକ୍ରମ, ସେମାନଙ୍କ ସିଂହନାଦକୁ ଏବେବି ଭାରତ ମାତା ପ୍ରଶଂସା କରି ଚାଲିଛି। ବିଶ୍ୱ ଭାରତୀୟ ସେନାର ଅଦମ୍ୟ ସାହସକୁ ଦେଖିଛି। ଆପଣଙ୍କ ବୀର ଗାଥା ଆଜି ଘରେ ଘରେ ଗୁଞ୍ଜରିତ ହେଉଛି। ଆଉ ଶତ୍ରୁ ପକ୍ଷ ଆପଣଙ୍କ ନିଆଁ ବି ଦେଖିଛି କ୍ରୋଧ ବି ଦେଖିଛି । ତେଣୁ ଏଥିରୁ ସାରା ବିଶ୍ୱ ଭାରତୀୟ ସେନାର ଶକ୍ତି ବିଷୟରେ ଅବଗତ ବି ହୋଇସାରିଛି।

Share